ଭୁବନେଶ୍ୱର, ଓଡ଼ିଶାର ପାଇକ ବିଦ୍ରୋହର ଅନ୍ୟତମ ସଂଗ୍ରାମୀ ଯୋଦ୍ଧା ଭୁବନେଶ୍ୱର ବଡ଼ଗଡ଼ ମାଟିର ଯୋଗ୍ୟ ଦାୟାଦ ଅମର ଶହୀଦ ପଦ୍ମନାଭ ଛୋଟରାୟଙ୍କ ୨୦୦ତମ ବଳିଦାନ ଦିବସ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଶହୀଦ ପଦ୍ମନାଭ ଛୋଟରାୟ ସ୍ମୃତି ସଂସଦ ବଡ଼ଗଡ଼ଙ୍କ ମିଳିତ ସହଯୋଗରେ ଆଜି ପୂର୍ବାହ୍ନରେ ଭୁବନେଶ୍ୱର ବଡ଼ଗଡ଼ସ୍ଥିତ ତାଙ୍କ ପ୍ରତିମୂର୍ତି ସ୍ଥଳୀରେ ପାଳିତ ହୋଇଯାଇଛି ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅନୁଶାସନ ସଚିବ, ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ , ସ୍ମୃତି କମିଟି ସଭାପତି ଯତୀନ୍ଦ୍ର ମୋହନ ଛୋଟରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଯୁବନେତା ଅଜିତ୍ ବେହେରା ସ୍ୱଗାତ ଜଣାଇଥିବା ବେଳେ ବୀର କିଶୋର ବେହେରା ପରିଚୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବଡ଼ଗଡ଼ ଗ୍ରାମ କମିଟି ସଭାପତି ରାହାସ ବିହାରୀ ନରେନ୍ଦ୍ର, ସମ୍ପାଦକ ଲକ୍ଷ୍ମୀଧର ଶ୍ରୀଚନ୍ଦ୍ରନ, ପୂର୍ବତନ କାଉନ୍ସିଲର ତଥା ଶିକ୍ଷାବିତ୍ ପ୍ରତାପ ଜେନା, ସରୋଜ ମହାନ୍ତି, ସୁଧିର କୁମାର ପରିଡ଼ା, ଗୌତମ ନାୟକ, ପ୍ରମୁଖ ଯୋଗଦେଇ ଶହୀଦଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହ ଦୀପଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବକ୍ତାମାନେ ନିଜ ବକ୍ତବ୍ୟରେ ବକ୍ସି ଜଗବନ୍ଧୁ ଓ ଜୟୀରାଜଗୁରୁଙ୍କ ନେତୃତ୍ୱରେ ହୋଇଥିବା ଭାରତବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଖୋର୍ଦ୍ଧାର ପାଇକ ବିଦ୍ରୋହରେ ବଡ଼ଗଡ଼ ଗ୍ରାମର ପଦ୍ମନାଭ ଛୋଟରାୟ ଅଗ୍ରଣୀ ଯୋଦ୍ଧା ଭାବେ ସକ୍ରୀୟ ଅଂଶଗ୍ରହଣ କରି ନିଜ ବୀରତ୍ୱ ଓ ଯୁଦ୍ଧ ଚାଳନାରେ ବ୍ରିଟିଶ୍ ଶକ୍ତିକୁ ଥରହର କରିଥିଲେ । ଶ୍ରୀ ଛୋଟରାୟ ଆତ୍ମଗୋପନ କରି ସଂଗ୍ରାମ କରୁଥିଲେ । ତାଙ୍କର ବଳିଦାନ ଯୁବ ସମାଜକୁ ଯୁଗେଯୁଗେ ଦେଶପ୍ରେମରେ ଉଦ୍ବୁଦ୍ଧ କରିବ ବୋଲି ବକ୍ତମାନେ ମତ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ରଘୁନାଥ ମିଶ୍ର, ଗାୟକ ଆହ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ, ଭୁବନେଶ୍ୱର ବ୍ଲକ ଶିକ୍ଷା ଅଧିକାରୀ ଡଃ ପ୍ରଜ୍ଞାପାରମିତା ଜେନା, ସଂଗୀତଜ୍ଞ ବଶିଷ୍ଠ ନାୟକ, ଓଡ଼ିଶୀ ନୃତ୍ୟଶିଳ୍ପୀ ରଶ୍ମିରଂଜନ ନାୟକଙ୍କୁ ଶହୀଦ ପଦ୍ମନାଭ ଛୋଟରାୟ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା ।