ଭୁବନେଶ୍ୱର, ଓଡ଼ିଶାର ବରପୁତ୍ର ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ୧୨୨ତମ ଜୟନ୍ତୀ ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ବିଭାଗୀୟ ସମ୍ମିଳନୀ କକ୍ଷରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । କୋଭିଡ୍ -୧୯ ତୃତୀୟ ଲହର ସଂକ୍ରମଣକୁ ଦୃଷ୍ଟିରେ ରଖି କୋଭିଡ୍ ମାର୍ଗଦର୍ଶିକାର କଡ଼ାକଡ଼ି ଅନୁପାଳନ ସହ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଏବଂ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା ।
ଉତ୍କଳ ଜନନୀର ଅନ୍ୟତମ ସୁଯୋଗ୍ୟ ସନ୍ତାନ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ଓଡ଼ିଶାର ରାଜନୀତି, ସମାଜନୀତି, ଶିକ୍ଷା, ସ୍ୱାସ୍ଥ୍ୟ ତଥା ସାଂସ୍କୃତିକ ପରମ୍ପରାକୁ ରୁଦ୍ଧିମନ୍ତ କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ । ସେ ଥିଲେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ନିର୍ମାଣର ପ୍ରମୁଖ ବିନ୍ଧାଣୀ ତଥା ଉତ୍କଳ ସମ୍ମିଳନୀର ଅନ୍ୟତମ କର୍ଣ୍ଣଧାର । ଲଣ୍ଡନରେ ଆୟୋଜିତ ତୃତୀୟ ଗୋଲଟେବୁଲ୍ ବୈଠକରେ ରାଜା ରାମଚନ୍ଦ୍ର ଯୋଗଦେଇ ଓଡ଼ିଆ ଭାଷାଭାଷୀ ଅଂଚଳର ମିଶ୍ରଣ ସପକ୍ଷରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ । ଓଡ଼ିଆ ଭାଷା ଆନ୍ଦୋଳନ ଇତିହାସରେ ଏକ ଅମ୍ଳାନ ଅଧ୍ୟାୟ ସୃଷ୍ଟି କରିଥିବା ଏହି ଉଜ୍ଜ୍ୱଳ ଜ୍ୟୋତିଷ୍କ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ଏ ଜାତିର ଗର୍ବ ଓ ଗୌରବ ।
ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ନିରଞ୍ଜନ ସେଠୀ, ଉତ୍କଳ ପ୍ରସଙ୍ଗ ଓ ଓଡ଼ଶା ରିଭ୍ୟୁର ସଂପାଦକ ଡକ୍ଟର ଲେନିନ୍ ମହାନ୍ତି, ଅତିରିକ୍ତ ନିର୍ଦ୍ଦେଶକ ସୁରେନ୍ଦ୍ରନାଥ ପରିଡ଼ା, ଯୁଗ୍ମ ନିର୍ଦ୍ଦେଶକ ମାନସ ରଞ୍ଜନ ଖୁଂଟିଆ ଏବଂ ସନ୍ତୋଷ କୁମାର ଦାସଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।