
ରାଉରକେଲା,ରାଉରକେଲା ଛେଣ୍ଡ କଲୋନୀ ପୋଷ୍ଟ ଅଫିସ ଏକ ଗଳି ଯାଗାରେ ଚାଲିଥିବା ବେଳେ ଏହି ପୋଷ୍ଟ ଅଫିସର ଗ୍ରାହକ ମାନେ ନାହିଁନଥିବା ସମସ୍ୟାରେ ପଡୁଛନ୍ତି । ଏନେଇ ଦୀର୍ଘ ଆଠ ବର୍ଷ ଭିତରେ ୩ ଥର ଉପରିସ୍ଥ ଅଧିକାରୀଙ୍କୁ ଜଣାଜିବା ସତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ସମସ୍ୟାକୁ ଦ୍ୱିଗୁଣିତ କରିବାରେ ଲାଗିଛି ।
ଅଭିଯୋଗରୁ ଜଣାପଡିଛି ଯେ, ରାଉରକେଲା ଛେଣ୍ଡ କଲୋନୀ ଠାରେ ଥିବା ପୋଷ୍ଟ ଅଫିସ ଏକ ଘରୋଇ ସ୍ଥାନରେ ରହିଛି । ଏହି ଯାଗାରେ ରାସ୍ତା ଅଣ ଓସାରିଆ ହୋଇଥିବାରୁ ୪/୫ଟି ମୋଟର ସାଇକେଲ ରଖାଜିବା ପରେ ରାସ୍ତାରେ ଅନ୍ୟ ଗାଡି ଯିବାରେ ସମସ୍ୟା ହେବା ସହ କଲୋନୀ ଲୋକେ ସମସ୍ୟାରେ ପଡୁଛନ୍ତି । ଖାଲି ସେତିକି ନୁହେଁ ଏହି ପୋଷ୍ଟ ଅଫିସରେ ଧାଡିରେ ୨/୪ ଜଣ ଠିଆ ହେବା ମଧ୍ୟ କଷ୍ଟକର । କରୋନା ସମୟରେ ଲୋକେ ସାମାଜିକ ଦୂରତାକୁ ରକ୍ଷା କରିବାକୁ ଚାହିଁ ମଧ୍ୟ ବିଫଳ ହେଉଛନ୍ତି । ଫଳରେ ଛୋଟିଆ ଘରେ ଲୋକେ ଭିଡ଼ରେ କାମ କରିବାକୁ ବାଧ୍ୟ ହେଉଛନ୍ତି ଓ ୫୦ହଜାରରୁ ଅଧିକ ଗ୍ରାହକ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହା ଛଡା ଏହି ପୋଷ୍ଟ ଅଫିସଟି ପାହାଡ ପାଖରେ ଥିବାରୁ ଏଠାରେ ନେଟଓ୍ବାର୍କ ମଧ୍ୟ ସଠିକ୍ ଭାବରେ ରହୁନାହିଁ । ବାରମ୍ବାର ବିଜୁଳି କାଟ ଆଉ ଏକ ସମସ୍ୟା ସୃଷ୍ଟି କରୁଛି । ଏଯାବତ୍ ଏସବୁ ସମସ୍ୟାକୁ ନେଇ ଡାକ ବିଭାଗ ମୁଖ୍ୟଙ୍କୁ ବାରମ୍ବାର ଏଠାରୁ ଜଣା ଗଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ । ନିକଟରେ ଡାକ ବିଭାଗର ମୁଖ୍ୟ ରାଉରକେଲା ଗସ୍ତରେ ଆସିଥିଲେ । ଏନେଇ ତାଙ୍କୁ ଅବଗତ କରାଯାଇଛି । ତୁରନ୍ତ ମୁଖ୍ୟ ରାସ୍ତା କଡ ଓ ପାର୍କିଂର ବ୍ୟବସ୍ଥା ଥିବା ଯାଗାକୁ ଏହାକୁ ସ୍ଥାନାନ୍ତର କରିବାକୁ ଦାବି ହୋଇଛି ।