ରାଉରକେଲା, ରାଜ୍ୟରେ ବର୍ତମାନ କରୋନା ସାଙ୍ଗକୁ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ସୁନ୍ଦରଗଡ ଜିଲ୍ଲା ମଧ୍ୟ ଆଗରେ ରହିବା ସହ ରାଉରକେଲାରେ ସଂକ୍ରମଣ ବଢି ଚାଲିଛି, ସରକାରୀ ସ୍ତରରେ ଏହାକୁ ରୋକିବାକୁ ନେଇ ଯେଉଁ ସବୁ ପଦକ୍ଷେପ ବିବୃତିରେ କୁହାଯାଉଛି ତାହାର କାମ ଶୁନ ବୋଲି ରାଉରକେଲା ରେଳଷ୍ଟେସନରୁ ଜଣାପଡିଛି । ୫ ଦିନ ତଳେ ସୁନ୍ଦରଗଡ ଜିଲ୍ଲାପାଳ କହିଥିଲେ ରାଉରକେଲା ରେଳଷ୍ଟେସନରେ ଆସୁଥିବା ଯାତ୍ରୀ ମାନଙ୍କର କରୋନା ପରୀକ୍ଷା କରାଯିବ । ଗତକାଲି ଦିନ ୨ଟା ସମୟରେ ମୁଖ୍ୟ ଫାଟକ ପାଖରେ ଏକ ଟେବୁଲରେ ସମସ୍ତ ସାମଗ୍ରୀ ଥିବା ବେଳେ ଡାକ୍ତରୀ ଦଳର ଦେଖାନଥିଲା, ଆରପିଏଫ ବାଲା ସେ ଟେବୁଲକୁ ଜଗି ରହିଥିବା ବେଳେ ବିଭିନ୍ନ ସାମଗ୍ରୀକୁ ଯତ୍ନ ସହକାରେ ଦେଖୁଥିବାର ଦେଖାଯାଇଥିଲା । ତେବେ ସେମାନଙ୍କୁ ପଚରାଜିବାରେ ସେମାନେ କହିଥିଲେ, ଡାକ୍ତର ନାହାନ୍ତି ସେଥିଲାଗି ପରୀକ୍ଷା କରାଯାଉନାହିଁ । ସେତିକି ବେଳେ ଜାମୁତାଇ ଗାଡି ଆସିଲା, ଅନେକ ଯାତ୍ରୀ ଓହ୍ଲାଇ ସେହି ଟେବୁଲକୁ ଚାହିଁ ଫେରିଲେ । ବିଗତ ୨/୩ ଦିନ ଧରି ଏହିଭଳି କରୋନା ପରୀକ୍ଷା ଷ୍ଟେସନରେ କରାଯାଉଛି । ଏପଟେ ବାବୁ ମାନେ ଏସି ରୁମରୁ ଥାଇ ବିଦ୍ୟୁତିକ ଗଣମାଧ୍ୟମକୁ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ମାନ ଦେଇଚାଲିଛନ୍ତି ।
ନିକଟରେ ମହାନଗର କମିଶନର ଯୋଗଦାନ କଲେ, ସେ ମଧ୍ୟ ଏକ ବାର୍ତା ଦେଇଛନ୍ତି, କିନ୍ତୁ ଖୋଦ ମହାନଗର ଅଫିସ ପାଖରେ ଥିବା ଦୋକାନ ବଜାରରେ କରୋନା ନିୟମର ଧଜିଆ ଉଡୁଛି ତାକୁ ଟିକେ ଦେଖିବା ଲାଗି ମତ ପ୍ରକାଶ ପାଇଛି । ମାସ୍କ ପିନ୍ଧା ଓ ସାମାଜିକ ଦୂରତାକୁ ଯାଂଚ୍ ନେଇ ପୁଲିସ ପକ୍ଷରୁ କିଛିଟା ପଦକ୍ଷେପ ଗତ ଥର ନିଆଯାଇଥିଲା । ଏଥର ମଧ୍ୟ ସାପ୍ତାହୀକ ବଜାର ଗୁଡିକୁ ହଟାଇ ଅନ୍ୟ ଯାଗାକୁ ନିଆଯାଇଛି । ହେଲେ ବିବୃତି ଦେଉଥିବା ଅଧିକାରୀ ଓ ତାଙ୍କର ଅନ୍ୟ କର୍ମଚାରୀ ମାନେ ଯଦି ସତର୍କ ନହେବେ ତେବେ ଏହିଭଳି ରାଉରକେଲାରେ କରୋନା ମିଟର ବଢି ଚାଲିଥିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ସେହିଭଳି ଜାତୀୟକରଣ ବ୍ୟାଙ୍କ ଗୁଡିକରେ ଏହି ନିୟମର ଧଜିଆ ଉଡୁଛି । ଗରାଖ ସେବା ଲାଗି ବୋଧେ ସମସ୍ତେ ନୀରବ । ରାଉରକେଲା ଇସ୍ପାତ କାରଖାନା ଭିତରେ ମଧ୍ୟ ସେଇ ଅବସ୍ଥା । ତେଣୁ ସରକାର ଏ ଦିଗରେ ଦୃଷ୍ଟି ଦେବା ସହ ବାବୁ ମାନେ ବାହାରକୁ ଆସି କିଭଳି ଏସବୁର ସମୀକ୍ଷା କରି ସମାଧାନ କରିବେ ସେ ଦିଗରେ ପଦକ୍ଷେପ ନେବାକୁୁ ଦାବି ହେଉଛି ।