ଭୁବନେଶ୍ୱର, ପଂଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ହେବାକୁ ଥିବା ସାଧାରଣ ନିର୍ବାଚନ-୨୨ ସଂପର୍କରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଆସନ୍ତା ୧୫ ତାରିଖ ଦିନ ସାଢେ ୧୦ଟା ସମୟରେ ସମସ୍ତ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ/ପୁଲିସ୍ ଡେପୁଟି କମିଶନର, ରାଜସ୍ୱ କମିଶନର, ରେଞ୍ଜ ଆଇଜି/ଡିଆଇଜିମାନଙ୍କ ସହ ଭର୍ଚୁଆଲ୍ ମାଧ୍ୟମରେ ଆଲୋଚନା କରିବେ । ନିର୍ବାଚନ କମିଶନରଙ୍କ ଓସ୍ୱାନ୍ ସମ୍ମିଳନୀ କକ୍ଷରେ ନିର୍ବାଚନ କମିଶନରଙ୍କ ସହ ମୁଖ୍ୟ ଶାସନ ସଚିବ, ପୁଲିସ୍ ଡିଜି, ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର ଗୃହ ସଚିବ, ସ୍ୱାସ୍ଥ୍ୟ ସଚିବ ଓ ପଂଚାୟତିରାଜ ବିଭାଗର ସଚିବ ପ୍ରମୁଖ ଉପସ୍ଥିତ ରହିବେ ଓ ସେହିପରି ଜିଲ୍ଲା ଓସ୍ୱାନ୍ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ,ଡିସିପି ରାଜସ୍ୱ କମିଶନର, ରେଞ୍ଜ ଆଇଜି/ଡିଆଇଜି ପ୍ରମୁଖ ଉପସ୍ଥିତ ରହିବେ ।
ଆଗାମୀ ଦିନରେ ହେବାକୁ ଥିବା ପଂଚାୟତ ନିର୍ବାଚନକୁ ଅବାଧ, ସ୍ୱଚ୍ଛ ଓ ନିରାପଦ କରିବା ସହ ସୁରୁଖୁରୁରେ ନିର୍ବାଚନ ପରିଚାଳନା, ନିର୍ବାଚନବେଳେ ଆଇନଶୃଙ୍ଖଳା ରକ୍ଷା, ନିର୍ବାଚନ ସମୟରେ ରାଜ୍ୟରେ କୋଭିଡ୍-୧୯ ମଧ୍ୟରେ କିପରି ଭାବରେ ନିରାପଦ ନିର୍ବାଚନ ହୋଇପାରିବ ସେ ସଂପର୍କରେ ବିସ୍ତୃତ ଆଲୋଚନା ହେବ ବୋଲି ରାଜ୍ୟ ନିର୍ବାଚନ ଆୟୋଗଙ୍କ ସୂତ୍ରରୁ ପ୍ରକାଶ ।