
କେନ୍ଦୁଝର – କେନ୍ଦୁଝର ଜିଲ୍ଲାରେ ଚାଲିଥିବା ଅନେକ ରାସ୍ତା କାମରେ ଦୁର୍ନିତିର ଗନ୍ଧ ସ୍ପଷ୍ଟ ବାରି ହୋଇ ପଡୁଥିବା ସତ୍ୱେ ଏ ଦିଗରେ ନା ଜିଲ୍ଲାର ମୁଖିଆ ନା ସରକାର କେହି ହେଲେ ବି ଗୁରୁତ୍ୱ ନଦେବା ସାଧାରଣଙ୍କ ପାଇଁ ରହସ୍ୟପୂର୍ଣ୍ଣ ହୋଇପଡିବା ସ୍ୱାଭାବିକ । ଯେପରିକି ଦୁର୍ନିତିକୁ ଆଇନସମ୍ମତ କରିବା ଲାଗି ଏଠାରେ ସମସ୍ତେ ଅଂଟା ଭିଡିଛନ୍ତି । ନିକଟରେ ଗ୍ରାମ୍ୟ ଉନ୍ନୟନ ବିଭାଗର କେତେକ ଅସାଧୁ କର୍ମଚାରୀ ଓ ଠିକାଦାରଙ୍କର ମିଲିଭଗତରେ ବାଂଶପାଳ ବ୍ଳକର ତଳ କଇଁଶାରୀ ପଞ୍ଝାୟତ ଇଚିଣ୍ଡା ଠାରୁ ଉପର କଇଁସାରୀ ରାସ୍ତା ନିର୍ମାଣ ନାମରେ ଚାଲିଥିବା ଲକ୍ଷ ଲକ୍ଷ ଟଙ୍କାର ଲୁଟ ଘଟଣା ଗଣମାଧ୍ୟମ ଦ୍ୱାରା ଲୋକ ଲୋଚନକୁ ଆସିଥିଲା । କିନ୍ତୁ ଏହି ଘଟଣାରେ ନା ହେଲା ତଦନ୍ତ ନା ହେଲା କାର୍ଯ୍ୟାନୁଷ୍ଠାନ । ସମସ୍ତଙ୍କ ମଧ୍ୟରେ ଏକ ରହସ୍ୟପୁର୍ଣ୍ଣ ନୀରବତା । ସରକାର ପ୍ରତ୍ୟେକ ଗାଁ, ଗହଳି, ସହର, ବାହାର ଏବଂ ଅପହଂଚ ଇଲାକାର ଲୋକମାନଙ୍କର ଯାତାୟତର ସୁବିଧା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ରାସ୍ତା ନିର୍ମାଣ କରାଉଥିବା ବେଳେ ବିଭାଗୀୟ କେତେକ ଅସାଧୁ ଅଧିକାରୀ ଓ ଠିକାଦାରଙ୍କ ମିଳି ଭଗତରେ ସ୍ପଷ୍ଟ ଦିବା ଲୋକରେ ଆଇନ ଆଖିରେ ଅଙ୍ଗୁଠି ଗେଞି ହେଉଛି ଲୁଟ । ସମସ୍ତ ପ୍ରାମାଣିକ ତଥ୍ୟ ଉପଲବ୍ଧ ସତ୍ୱେ ହେଉ ନାହିଁ କାର୍ଯ୍ୟାନୁଷ୍ଠାନ । ବାଂଶପାଳ ବ୍ଳକ ପରେ ଏବେ ଅନ୍ୟ ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଘଟଗାଁ ବ୍ଲକରେ । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଘଟଗାଁ ବ୍ଳକ ଅନ୍ତର୍ଗତ ସାନ୍ତରାପୁର ଠାରୁ ଅସନବାହାଳି ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ରାସ୍ତାର ଦୂରତା ପାଖାପାଖି ୯ କି.ମି । ଏବେ ଦୁଇ ତିନି ଦିନ ବ୍ୟବଧାନରେ ଗତ ପ୍ରାୟ ମାସେରୁ ଉର୍ଦ୍ଧ ହେବ କେନ୍ଦୁଝର ଜିଲ୍ଲାରେ ଚାଲିଛି ବର୍ଷା । କିନ୍ତୁ ତା ଭିତରେ ମଧ୍ୟ ଚାଲିଛି ରାସ୍ତା ନିର୍ମାଣ କାମ । ଏହି ସାମନ୍ତରା- ଅସନବାହାଳୀ ରାସ୍ତା ନିର୍ମାଣର ମାତ୍ର ୧୦ ଦିନ ପରେ ରାସ୍ତାରୁ ଉଠୁଛି ପୋଳା ପୋଳା ପିଚୁ । ଯାହାକୁ କି ଗଣମାଧ୍ୟମ ସମ୍ମୁଖରେ ସ୍ଥାନୀୟ ଲୋକମାନେ ପ୍ରାମାଣ ସହ ବାରମ୍ବାର ପ୍ରଦର୍ଶନ କରୁଛନ୍ତି । ତା ସହିତ ରାସ୍ତା କାମ ଆରମ୍ଭ କରିବା ପୂର୍ବରୁ ସୂଚନା ଫଳକ ଲଗାଇବା ଲାଗି ଥିବା ନିର୍ଦ୍ଧିଷ୍ଟ ନିୟମକୁ ମଧ୍ୟ ଠିକାଦାର କିମ୍ବା ଅଧିକାରୀ ଆଖିମିଟିକା ମାରି ଲଗାଉନାହାଁନ୍ତି । କିନ୍ତୁ ଏଠାରେ ରାସ୍ତା କାମ ଆରମ୍ଭ ହେବାର ଦେଢ ବର୍ଷରୁ ଉଦ୍ଧ୍ୱର୍ ହେଲାଣି କିୁନ୍ତୁ ସୂଚନା ଫଳକ ତିଆରି କରାଯାଇନାହିଁ । ଏନେଇ ଆମେ କଂଟ୍ରାକ୍ଟର ମହାଶୟଙ୍କୁ ପଚାରିବାରୁ ଉକ୍ତ ରାସ୍ତା ଉପରେ ପୁନର୍ବାର ପିଚୁ ପଡିବ ବୋଲି ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଘଟଗାଁ ଗ୍ରାମ୍ୟ ନିର୍ମାଣ ଉପ ଡିଭିଜନର ଏସ୍.ଡି.ଓ ଙ୍କୁ ଅବଗତ କରାଯିବା ସତ୍ୱେ ସେ ଦୁର୍ନିତି କଥାକୁ ଏଡାଇ ଯାଇ ରାସ୍ତା କାମ ଠିକ୍ ଠାକ୍ କରାଯାଉଥିବା ପ୍ରକାଶ କରିଛନ୍ତି । ସମ୍ପୁର୍ଣ୍ଣ ଖବର ଅନୁସାରେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ସାନ୍ତରାପୁର ଠାରୁ ଅସନବାହାଳି ପର୍ଯ୍ୟନ୍ତର ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା । ଏହି ରାସ୍ତା ନିର୍ମାଣ ପାଇଁ ପାଖା ପାଖୀ ଅଟକଳ ପ୍ରାୟ ପାଂଚ କୋଟି ଟଙ୍କାରୁ ଉଦ୍ଧ୍ୱର୍ ରହିଛି । ମହାବୀର ଇମ୍ଫ୍ରା ଡେଭ୍ଲୋପର(ପ୍ରା) ଲିମିଟେଡ ନାମକ ଏକ ଘରୋଇ କମ୍ପାନି ଏହି କାମ ତିଆରି କରିବାର ଦାୟିତ୍ୱ ନେଇଛି । ତେବେ ଏହି ରାସ୍ତା କାମ ୨୦୧୮ ମାର୍ଚ୍ଚ ରୁ ଆରମ୍ଭ ହୋଇଥିବା ବେଳେ ବିଗତ ଦେଢ ମାସ ପୂର୍ବରୁ ପିଚୁ କାମ ଆରମ୍ଭ ହୋଇଛି । ତେବେ ପିଚୁ କାମ ହେବାର ପାଂଚ ଦିନ ପରେ ରାସ୍ତାରୁ ପୋଳା ପୋଳା ପିଚୁ ଉଠିପଡୁଥିବା ଗାଁ ଲୋକେ ଦେଖାଇଛନ୍ତି । ଅନ୍ୟପକ୍ଷରେ ଏହି ରାସ୍ତା କାମ ୨୦୧୮ ମାର୍ଚ୍ଚ ୧୪ ତାରିଖରେ ଆରମ୍ଭ ହୋଇ ୨୦୧୮ ଡିସେମ୍ବର ୧୩ ତାରିଖ ମଧ୍ୟରେ ରାସ୍ତା କାମ ସମ୍ପୁର୍ଣ୍ଣ ହେବାର କଥା । ରାସ୍ତାକାମ ଆରମ୍ଭ ପୂର୍ବରୁ ସୂଚନା ଫକଳ ଲଗାଯିବା କଥା କିନ୍ତୁ ଆଜକୁ ଦେଢ ବର୍ଷ ହେଲାଣି ନା ରାସ୍ତାକାମ ସରୁଛି, ନା ସୂଚନା ଫଳକ ଲାଗୁଛି । ନିମ୍ନମାନର ରାସ୍ତା କାମ ଏବଂ ସୂଚନା ଫଳକ ସମ୍ପର୍କରେ ଘଟଗାଁ ଗ୍ରାମ୍ୟ ନିର୍ମାଣ ଉପ ଡିଭିଜନର ଏସ୍.ଡି.ଓ ଙ୍କୁ ବାରମ୍ବାର ସ୍ଥାନୀୟ ଲୋକେ ଅବଗତ କରାଇଥିଲେ ମଧ୍ୟ ଗୋଟିଏ ଥର ହେଲେ ବି ବିଭାଗୀୟ କର୍ତୃପକ୍ଷ ଘଟଣାସ୍ଥଳ ପରିଦର୍ଶନ ନକରିବା ପରୋକ୍ଷରେ ଦୁର୍ନିତିକୁ ପ୍ରୋତ୍ସାହନ ଦେବା ସହ ସମାନ ବୋଲି ପ୍ରକାଶ ପାଉଥିବା ମତକୁ ସହଜେ ଏଡାଇ ଦିଆଯାଇ ପାରୁ ନାହିଁ । ତେବେ ଯେଉଁ କାମ ପାଇଁ ସରକାରୀ ଅଧିକାରୀମାନେ ସରକାରଙ୍କ ଠାରୁ ମାସିକ ମୁଠା ମୁଠା ଟଙ୍କା ନେଉଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରା ଯାଉ ନାହିଁ କାହିଁକି ବର୍ତମାନ ତାହା ଏକ ବଡ଼ ପ୍ରଶ୍ନ ଭାବେ ଛିଡା ହୋଇଛି । କିନ୍ତୁ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବା ଅଧିକ ଆବଶ୍ୟକ ହୋଇ ପଡିଛି । କିନ୍ତୁ ତାହା କଣ ସମ୍ଭବ ହୋଇ ପାରିବ ତାହା ମଧ୍ୟ ସନ୍ଦେହ ବୋଲି ମତପ୍ରକାଶ କରିଛନ୍ତି ସ୍ଥାନୀୟ ଅଧିବାସୀମାନେ ।