
-
ରାଉରକେଲାରୁ ବିଶ୍ରାକୁ ବିଇଓ ଅଫିସ ସ୍ଥାନାନ୍ତର ମାମଲା
ରାଉରକେଲା,ଦିର୍ଘ ୬୦ ବର୍ଷ ଧରି ରାଉରକେଲାରେ ଥିବା ସେ ସମୟର ରାଉରକେଲା ଡିଆଇ ଅଫିସ ବର୍ତମାନର ବିଶ୍ରା ବିଇଓ ଅଫିସ ପଲିଟିକାଲ ଟଣା ଓଟରା ଲାଗି ବିଶ୍ରାକୁ ସ୍ଥାନାନ୍ତର ହୋଇଛି । ଏହା ଦ୍ୱାରା ୭୦ ହଜାର ପିଲା, ୬୦୦ ଶିକ୍ଷକ ଓ ୧୯୮ ବିଦ୍ୟାଳୟ ତଥା ଏଠିକାର ଅଫିସ କର୍ମଚାରୀ ମାନେ ବଳିପଡିଥିବା ଅଭିଯୋଗ ହୋଇଛି । ଦିର୍ଘ ୬୦ ବର୍ଷ ତଳେ ରାଉରକେଲାରୁ ଏହି ଅଫିସ ଚାଲିବା ସହ ଏହା ଅଧିନରେ ଥିବା ବିଦ୍ୟାଳୟ ଓ ଛାତ୍ର ଛାତ୍ରୀ ମାନଙ୍କୁ ଚଳାଇ ଆସୁଥିଲା । ଏହି ଅଫିସରେ ଅନେକ କର୍ମଚାରୀ ଓ ଅଧିକାରୀ କାମ କରି ଯାଇଛନ୍ତି । ତେବେ ନିକଟରେ ଏହି ଅଫିସକୁ ବିଶ୍ରା ବ୍ଲକ ଏଜୁକେଶନ ଅଫିସ ଭାବେ ନାମିତ କରାଗଲା । ତେବେ ନାମିତ ହେବା ପରେ ମଧ୍ୟ ଏହି ଅଫିସ ଅଧିନରେ ମହାନଗର ଓ ଆଖ ପାଖର ୧୯୮ ବିଦ୍ୟାଳୟର ୭୦ ହଜାର ପିଲା ୬୦୦ ଶିକ୍ଷକ ନିର୍ଭର କରୁଥିଲେ । ବିଶ୍ରା ଅଂଚଳର ପ୍ରାୟ୧୦୦ ଶିକ୍ଷକ (ଯେଉଁମାନେ ପ୍ରାୟ ମହାନଗର ଅଂଚଳରେ ରୁହନ୍ତି), ୮ହଜାର ପିଲା ଓ ୧୨୪ଟି ବିଦ୍ୟାଳୟ ନିର୍ଭର କରୁଥିଲେ । ତେବେ ନିକଟରେ ବିଜେପି ବିଧାୟକ ଶଙ୍କର ଓରାମ ଏହି ଅଫିସକୁ ବିଶ୍ରାକୁ ନେବା ଲାଗି ବାରମ୍ବାର ଦାବି କରିବାରୁ ସରକାର ବୃହତମ ସ୍ୱାର୍ଥକୁ ଦୃଷ୍ଟି ନଦେଇ ଏହାକୁ ବିଶ୍ରାକୁ ସ୍ଥାନାନ୍ତର ଲାଗି ଚିଠି କରିଦେଲେ । ଏହାକୁ ଅନୁସରଣ କରି ଅନ୍ୟ ଅଧିକାରୀ ମାନେ ମଧ୍ୟ ଚିଠି କରିଦେଲେ । ତେବେ ଏନେଇ ରାଉରକେଲା, ରଘୁନାଥପାଲ୍ଲୀ ବିଧାୟକ ଏଯାଏଁ ମୁହଁ ବନ୍ଦ କରି ରଖିଥିବା ବେଳେ ଏଭଳି ସ୍ଥାନାନ୍ତର ପଛରେ ପଲିଟିକାଲ ଲଢେଇ ଓ କିଛି ଅଧିକାରୀ ମାନଙ୍କ ମନମାନି ମୁଖ୍ୟ କାରଣ ବୋଲି କୁହାଯାଉଛି ।
ଅଭିଯୋଗରୁ ଜଣାପଡିଛି ଯେ, ଏହି ଅଫିସକୁ ବିଜେପି ସମର୍ଥିତ ଲୋକ ମାନେ ବାରମ୍ବାର ଆସି ଫେରିବା, ଅଧିକାରୀ ମାନଙ୍କ ଠାରୁ ସନ୍ତୋଷଜନକ ଉତର ନପାଇବା ସେମାନଙ୍କୁ ଅସନ୍ତୋଷ କରିଥିଲା । ସ୍ଥାନୀୟ ବିଇଓଙ୍କୁ ନେଇ ବିଭିନ୍ନ ସମୟରେ ବିବାଦ ଦେଖାଜିବା ସହ ଏହା ଗଣମାଧ୍ୟମର ହେଡଲାଇନ ହେଉଥିଲା । ରାଉରକେଲା ବିଧାୟକଙ୍କ ନିର୍ଦ୍ଦେଶରେ ଏହି ଅଫିସ ଚାଲିଛି ଓ ଅସିକାରୀ ମାନେ ତାଙ୍କର ବଚସ୍କର ସାଜିଥିବାର ଅଭିଯୋଗ ହୋଇ ଆସୁଥିଲା । ଏହା ଛଡା ଆହୁରି ଅନେକ ଅକୁହା କଥା ମଧ୍ୟ ଆଲୋଚନା ଚାଲିଥିଲା । ଏହାରି ଭିତରେ ବିଧାୟକ ସରକାରୀ ନିୟମକୁ କାର୍ଯ୍ୟକାରୀ କରିବାକୁ ଯାଇ ସରକାରଙ୍କୁ ବାରମ୍ବାର ଚିଠି ଲେଖିଲେ ଓ ଶେଷରେ ଏହା କାର୍ଯ୍ୟକାରୀ ହେଲା । ଏହାଦ୍ୱାରା ବର୍ତମାନ ଏହି ଅଫିସରେ ସବୁ କାମ ପ୍ରାୟ ଠପ୍ ହୋଇଛି । ଶିକ୍ଷକ ମାନେ ୧ ତାରିଖରେ ଦରମା ପାଉଥିବା ବେଳେ ଆଜିଯାଏ ଦରମା ପାଇନାହାନ୍ତି । ଏହି ଦରମା ୨୦ ତାରିଖରେ ହେବ କି ନାହିଁ ତାହା ମଧ୍ୟ କେହି କହିପାରୁନାହାନ୍ତି । ସେପଟେ ସକାଳୁ ରାତି ୯ଟା ଯାଏ ଏହି ଅଫିସରେ କାମ କରୁଥିବା କର୍ମଚାରୀ ମାନେ ବିଶ୍ରା ଅଫିସରେ କେତେ ସମୟ କାମ କରିବେ ସେ ନେଇ ଚିନ୍ତା କରୁଥିବା ବେଳେ ମାତ୍ର ୧୦ ହଜାର ଦରମାରେ ଏଠି ଚାକିରୀ କରିଥିବା କର୍ମଚାରୀ ବନ୍ଧମୁଣ୍ଡା ଭଳି ଜନଗହଳିପୂର୍ଣ୍ଣ ରାସ୍ତା ଓ କୁକୁଡା ଗେଟ୍ ର ରେଳ ଫାଟକରେ ୪୫ ମିନିଟ ରହି କିଭଳି ଅଫିସ କରି ପୁଣି ଫେରିବେ ଓ ଦିନକୁ ୧୦୦ ଟଙ୍କାର ରାସ୍ତା ଖର୍ଚ୍ଚ କେଉଁଠୁ ଆଣିବେ ସେ ନେଇ ଚିନ୍ତା କଲେଣି । ଏଭଳି ଆଦେଶନାମା ପରେ ଏଭଳି ଝାମେଲାରୁ ମୁକ୍ତି ଲାଗି ଅନେକ ଛୁଟିରେ ରହିବାକୁ ଚିନ୍ତା କରୁଥିବା ବେଳେ, ଅନେକ ତାଙ୍କ ପୁରୁଣା ଯାଗାକୁ ଫେରିବାକୁ ଚିନ୍ତା କଲେଣି । ଫଳରେ ଶିକ୍ଷକ ମାନଙ୍କ ଲାଗି ସମସ୍ୟା ବଢିବାର ଆଶଙ୍କା ସୃଷ୍ଟି ହେଲାଣି । ଅନ୍ୟପଟେ ସରକାର ସିନା ଅଫିସ ନେବାକୁ କହିଦେଲେ, ହେଲେ ଏତେ ଫାଇଲ ସାମଗ୍ରୀ ଆଦିକୁ କିଏ ନେବ, ଇଂଟରନେଟ କିଏ ଲଗାଇବ କର୍ମଚାରୀ ମାନଙ୍କୁ କିଏ ବୁଝାଇବ ସେ ବ୍ୟବସ୍ଥା କଲେ ନାହିଁ । ତେବେ ଯଦି ବିଇଓ ବିଶ୍ରା ଅଫିସ ବିଶ୍ରାକୁ ଗଲା ମହାନଗର ଓ ଆଖ ପାଖ ଅଂଚଳର ବିଦ୍ୟାଳୟ ଗୁଡିକରେ ଚାଲିଥିବା ସୁନ୍ଦର ପାଠ ପଢା ବାଧାପ୍ରାପ୍ତ ହେବା ସହ କର୍ମଚାରୀ, ଶିକ୍ଷକ ଓ ପିଲାମାନେ ନାନା ସମସ୍ୟାରେ ପଡିବେ ବୋଲି ଅନେକ ମତ ଦେଲେଣି । ତେଣୁ ପ୍ରଥମେ ବନ୍ଧମୁଣ୍ଡା ରାସ୍ତାର ଟ୍ରାଫିକ ସମସ୍ୟା, କୁକୁଡା ଗେଟ ରେଳ ଫାଟକ ସମସ୍ୟାକୁ ସମାଧାନ କରାଯିବା ସହ ଏହି ଅଫିସର ଏକ ଶାଖା ଅଫିସ ଯେଉଁଠି ସମସ୍ତ ଫାଇଲ ଓ ବିଲ୍ ପତ୍ର ହେବାକୁ ସୁବିଧା ଥିବ ତାହାର ବ୍ୟବସ୍ଥା ରାଉରକେଲାରେ କରି ଅଫିସକୁ ଉଠାଇ ନିଆଯାଉ ସେଥିରେ କିଛି ସମସ୍ୟା ନାହିଁ ବୋଲି ମତ ପ୍ରକାଶ ପାଇଛି । ଯଦି ସରକାର ତୁରନ୍ତ ଏହା ଉପରେ ବିଚାର କରି ସୁବ୍ୟବସ୍ଥା ନକରନ୍ତି ତେବେ ମହାନଗର ଅଂଚଳର ଶିକ୍ଷକ ମାନେ ଆନ୍ଦୋଳନର ରାସ୍ତା ଆପଣେଇବେ ଓ କୌଣସି ସରକାରୀ କାମରେ ସହଯାେଗ କରିବେ ନାହିଁ ବୋଲି ଚେତାବନୀ ଦେଲେଣି ।