-
ତିନି ଦିନରେ ୧୦ କୋଭିଡ ସଂକ୍ରମିତ ଚିହ୍ନଟ
କନ୍ଧମାଳ, ସମଗ୍ର ଦେଶରେ କୋଭିଡର ତୃତୀୟ ଲହରୀ ଆରମ୍ଭ ହୋଇଯାଇଛି । କନ୍ଧମାଳ ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଜିଲ୍ଲାରେ ଗତ ୬ ତାରିଖ ଦିନ ପ୍ରଥମ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ନେଇ ଜିଲ୍ଲା ସ୍ୱସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡିଛି । ସଂକ୍ରମିତ ଜଣକ କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଳକ ଅଂଚଳର ରାଣିପଥର ଗ୍ରାମର ଜଣେ ୧୮ ବର୍ଷିୟ ଯୁବକ ବୋଲି ଜଣାପଡିଛି । ସେହିପରି ଗତ ୭ ତାରିଖ ଦିନ ବାଲିଗୁଡାର ଜଣେ ୩୫ ବର୍ଷିୟ ସିଆରପିଏଫ ଜବାନ ଚିହ୍ନଟ ହୋଇଥିବାବେଳେ କୋଟଗଡ ଅଂଚଳର ଜଣେ ୫୬ ବର୍ଷିୟ ଡାକ୍ତରଖାନା କର୍ମଚାରୀ ଏବଂ ଜଣେ ୨୨ ବର୍ଷୀୟା ମହିଳା ଜିଲ୍ଲା ବାହାରେ ଚିହ୍ନଟ ହୋଇଛନ୍ତି । ଆଜି ଏହି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୬ରେ ପହଂଚିଛି । ଜିଲ୍ଲାର ଜଣେ ୪୨ ବର୍ଷିୟ ପୁରୁଷ ଏବଂ ଆଉ ଜଣେ ୨୫ ବର୍ଷିୟା ମହିଳା କିମସ ହସପିଟାଲରେ ଚିହ୍ନଟ ହୋଇଥିବାବେଳେ କୋଟଗଡ କୁମ୍ଭାରସାହିର ଜଣେ ୧୭ ବର୍ଷିୟ ତରୁଣ ଏବଂ କୋଟଗଡର ହରଡାଗଡ ଅଂଚଳର ଜଣେ ୪୫ ବର୍ଷିୟା ମହିଳା, ବିଶିପାଡର ଜଣେ ୩୫ ବର୍ଷିୟା ମହିଳା ଏବଂ ଫୁଲବାଣୀ ସର୍କିଟହାଉସର ଜଣେ ୩୨ ବର୍ଷିୟ ପୁରୁଷଙ୍କୁ ମିଶାଇ ମୋଟ ୬ ଜଣ ରହିଥିବା ଜଣାପଡିଛି । ସେମାନଙ୍କୁ ମିଶାଇ ଜିଲ୍ଲାରେ ତୃତୀୟ ଲହରରେ ମୋଟ୍ ୧୦ ଜଣ ସଂକ୍ରମିତ ଚିକିତ୍ସିତ ହେଉଥିବା ଜଣାପଡିଛି । ଆଜି ସୁଦ୍ଧା ଜିଲ୍ଲାରେ ୧୧୪୬୫ ଜଣ ସଂକ୍ରମିତ ସୁସ୍ଥ ହୋଇ ଫେରିଛନ୍ତି । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରିବା ସହିତ ମୁହଁରେ ମାସ୍କ ଲଗାଇବାକୁ ପରାମର୍ଶ ଦିଆଯାଇଛି ।