ମାଲକାନଗିରି – ଏଣିକି ଆଉ ସ୍ୱାଭିମାନ ଅଞ୍ଚଳର ପ୍ରସୂତିଙ୍କୁ ଅସ୍ତ୍ରୋପଚାର ପାଇଁ ଯିବାକୁ ପଡିବନି ମାଲକାନଗିରି । କାରଣ ଚିତ୍ରକୋଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ପ୍ରଥମ ଅସ୍ତ୍ରୋପଚାର ସଫଳତାର ସହ କରାଯାଇଛି ।
ଆଜି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରଥମ ଥର ପାଇଁ ଏକ ଅସ୍ତ୍ରୋପଚାର କରାଯାଇଛି । ପ୍ରଥମ ଥର ପାଇଁ ଅସ୍ତ୍ରୋପଚାର କରାଯାଇ ପ୍ରସୂତୀ ମହିଳା ଓ ନବଜାତ ଶିଶୁ ପୁତ୍ରକୁ ମରଣ ମୁହଁରୁ ଉଦ୍ଧାର କରିଛନ୍ତି ସ୍ତ୍ରୀ ଓ ପ୍ରସ୍ତୁତି ରୋଗ ବିଶେଷଜ୍ଞ ଡାକ୍ତର ଦୀପକ କୁମାର ନାୟକ । ଯାହାକି ସ୍ୱାଭିମାନ ଅଂଚଳ ପାଇଁ ଏକ ଖୁସି ଖବର। ପୂର୍ବରୁ ଏହି ଅଂଚଳରେ ବିପଦରେ ଥିବା ପ୍ରସୂତୀ ମହିଳାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଥିଲା, ଯାହାକି ସୁରକ୍ଷିତ ମନେ କରାଯାଉନଥିଲା। କିନ୍ତୁ ଆଜି ତାହାର ଅନ୍ତ ଘଟିଛି ଏବଂ ସ୍ଥାନୀୟ ମେଡିକାଲରେ ପ୍ରଥମ ଥର ଅସ୍ତ୍ରୋପଚାର କରି ପ୍ରସୂତୀ ମା ଓ ଶିଶୁଟିକୁ ମରଣ ମୁହଁରୁ ରକ୍ଷା କରାଯାଇଛି। ଡାକ୍ତର କହିଛନ୍ତି ମାଆ ଦେହ ଅତ୍ୟନ୍ତ ଖରାପ ଆଡକୁ ଗତି କରିବାରୁ ଅସ୍ତ୍ରୋପଚାର କରାଗଲା। ଅସ୍ତ୍ରୋପଚାର ପରେ ମା ସୁସ୍ଥ ଥିଲା ବେଳେ ଗର୍ଭସ୍ଥ ଶିଶୁଟି ମଳ ଖାଇ ଦେଇଥିବା ଯୋଗୁଁ ଗୁରୁତର ହୋଇପଡିଥିଲା । ଶିଶୁ ପୁତ୍ରଟିକୁ ଅଧିକ ଚିକିତ୍ସା ନିମନ୍ତେ ପରବର୍ତୀ ସମୟରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଡାକ୍ତର କହିଛନ୍ତି ।