କନ୍ଧମାଳ, ଏଣିକି ମିଛ ମାମଲା ରୁଜୁ କଲେ ମିଳିବ କଠୋର ଦଣ୍ଡ, ଆଗାମୀ ପିଢ଼ିର ଯୁବକ ଯୁବତୀ ମାନଙ୍କୁ ପଥଭ୍ରଷ୍ଟରୁ ଦୂରେଇ ରଖିବା ପାଇଁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି କୋର୍ଟ । କନ୍ଧମାଳ ଜିଲା ଫୁଲବାଣୀ ଫାଷ୍ଟଟ୍ରାକ ସ୍ୱତନ୍ତ୍ର କୋର୍ଟ ଏକ ଗଣଦୁଷ୍କର୍ମ ମାମଲାର ବିଚାର କରି ଏକ ଦୃଷ୍ଟାନ୍ତମୂଳକ ରାୟ ପ୍ରକାଶ କରିଛନ୍ତି । ପୀଡ଼ିତା ପୂର୍ବରୁ ଏତଲା ଓ ୧୬୪ ଧାରାରେ ଦେଇଥିବା ବୟାନରୁ ଓହରି କୋର୍ଟଙ୍କ ସାମ୍ନାରେ ବୟାନ ବଦଳାଇ ଶେଷ ମୁର୍ହୁତରେ ଦୁଷ୍କର୍ମ ହୋଇ ନ ଥିବା କହିଥିଲେ । ଅନ୍ୟାନ୍ୟ ସାକ୍ଷ୍ୟ ପ୍ରମାଣ ଅଭାବରୁ ଗଣଦୁଷ୍କର୍ମ ଅଭିଯୁକ୍ତ ମାନଙ୍କୁ କୋର୍ଟ ଖଲାସ କରିଥିଲେ । ପୀଡିତା ନିଜ ପୂର୍ବ ବୟାନରୁ ଦୂରେଇ ଯିବା ସହ ସତ ନକହିବାରୁ ମାନ୍ୟବର କୋର୍ଟ ପୀଡିତାଙ୍କ ବିରୋଧରେ ୧୯୩ ଧାରାରେ ମାମଲା ରୁଜୁ କରିବାକୁ ରାୟ ପ୍ରକାଶ କରିଛନ୍ତି । ଏହା ସହିତ ପୀଡିତାଙ୍କୁ ଯେଉଁ ସରକାରୀ ଆର୍ଥିକ ସହାୟତା ମିଳିବା କଥା ତାକୁ ଏହି କେଶ ନ ସରିବା ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ମାନ୍ୟବର କୋର୍ଟ ନିର୍ଦେଶ ଦେଇଛନ୍ତି ।
ସୂଚନା ପ୍ରକାରେ ଫୁଲବାଣୀ ସଦର ଥାନା ଅଂଚଳରେ ଗତ ୧୬ ମଇ ୨୦୨୦ ତାରିଖ ଦିନ ପୀଡିତା ତାଙ୍କ ମାମୁଁ ଘରକୁ ଯାଇଥିବା ବେଳେ ତାଙ୍କର ତିନି ଜଣ ସାଙ୍ଗ ଯୁବକ ବନ୍ଧୁଙ୍କ ସହ ଦେଖା କରିବାକୁ ରାତି ୧୦ ଟା ରେ ଘର ଠାରୁ କିଛି ଦୂର ଯାଇଥିଲେ । ସାଙ୍ଗ ଓ ପୁରୁଷ ବନ୍ଧୁ କିଛି ଦୂରରେ କଥା ହେଉଥିବାବେଳେ ତିନି ଜଣ ଯୁବକ ଆସି ତାଙ୍କୁ ଉଠାଇ ନେଇ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଥିଲେ ପୀଡ଼ିତା । ଏ ନେଇ ଫୁଲବାଣୀ ସଦର ଥାନାରେ ପୀଡିତା ଏଫ.ଆଇ.ଆର. କରିଥିଲା । ସଦର ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ।