ଘଟଗାଁ, କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ବଡଜାମୁପଶି ଗ୍ରାମପଚାଂୟତ ବଡଜାମୁପଶି ଗ୍ରାମର ସମାଜସେବୀ ଶ୍ରୀମତୀ ଦାଶ, (ଜହ୍ନ ଦିଦି) କୋଦଣ୍ଡଧର ପାଠଶାଳା କରି ନିଜର କଷ୍ଟ ଅର୍ଜିତ ଅର୍ଥରେ ଗରିବ ଆଦିବାସୀ, ଅନାଥ କୁନି କୁନି ପିଲାମାନଙ୍କୁ ପାଠ୍ୟଉପକରଣ ବାଂଟିବା ସହିତ ମାଗଣାରେ ଶିକ୍ଷାଦାନ କରୁଛନ୍ତି । ଖଲ୍ଲୀପତ୍ର ସିଲେଇକରି, କୁଲି ମଜୁରୀ କରି ସେଥିରୁ ଯାହା ଅର୍ଥ ରୋଜଗାର କରନ୍ତି, ତାହାକୁ ସେ ସମାଜରେ ଦିନଦରିଦ୍ର, ନିଃସହାୟ ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗଙ୍କ ସେବାରେ ଓ ଅନାଥପିଲାଙ୍କ ପାଠପଢାରେ ଖର୍ଚ୍ଚ କରନ୍ତି । ତାଙ୍କର ଏହି ମହନୀୟ କାର୍ଯ୍ୟ ପାଇଁ ସମାଜର ସବୁମହଲରୁ ତାଙ୍କୁ ମିଳିଛି ଭୁରି ଭୁରି ପ୍ରଶଂସା । ତାଙ୍କ ଏହି ପ୍ରୟାସ ଫଳରେ ଅନେକ ଗରିବ ଓ ଅବହେଳିତ ଓ ଅସହାୟଙ୍କ ମୁହଁରେ ହସ ଫୁଟି ଉଠିଛି ।
ବଡଦିନରେ ବଡଜାମୁପଶି ଗ୍ରାମପଚାଂୟତର ଆଖୁପାଳ ଗ୍ରାମର ବୟୋଜ୍ୟୋଷ୍ଠ ପିତା ମାତା ତୁଲ୍ୟ ଓ.ଦିବ୍ୟାଙ୍ଗ ଅନାଥ ମାନଙ୍କୁ ପ୍ରବଳଥଣ୍ଡା ଜାଡରୁ ରକ୍ଷାପାଇଁ ଶ୍ରୀମତୀ ଦାଶ ଜହ୍ନଦିଦି ନିଜ କଷ୍ଟ ଅର୍ଜିତ ଅର୍ଥରେ କମ୍ବଳ ଓ ଶୀତବସ୍ତ୍ର ବଂଟନ କରିଛନ୍ତି ।ସେହିପରି ଘଟଗାଁ ବ୍ଲକ୍ ରୁଟିଶିଳା ପଚାଂୟତ ଅନ୍ତର୍ଗତ ଜୁଳାବେଡ଼ା ସାହିର ବିଧବା ନିସହାୟ ଚମ୍ପା ମୁଣ୍ଡା (୫୦)ଙ୍କ ଘର ଝଡ଼ବର୍ଷାରେ ଭାଙ୍ଗିଯାଇଥିଲା । ଘରେ କିଛି ଖାଇବାକୁ ନଥିଲା । କୌଣସି ସୂତ୍ରରୁ ଏହି ଖବର ପାଇବା ପରେ ସମାଜସେବୀ ଜହ୍ନ ଦିଦି ତୁରନ୍ତ ସେଠାରେ ପହଂଚି ଚମ୍ପାଙ୍କୁ ମାସକ ପାଇଁ ଖାଦ୍ୟ ସାମଗ୍ରୀ ଓ ଘର ଛପର ପାଇଁ ପଲଥିନ୍ ଯୋଗାଇ ଦେଇଥିଲେ ।ଘଟଗାଁ ବ୍ଲକ୍ ବଳଭଦ୍ରପୁର ପଚାଂୟତ ଅନ୍ତର୍ଗତ ମୁଣ୍ଡା ସାହିର ଗରିବ ଅସହାୟ ମାଟେ ମୁଣ୍ଡା (୮୫)ଙ୍କ ଘରର ଚାଳଛପର ଅଦିନିଆ ଝଡ଼ ବର୍ଷାରେ ଉଡିଯାଇଥିବା ବେଳେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ସେ ଏହି ଘରେ ବସବାସ କରୁଥିଲେ । ଏ ସମ୍ପର୍କରେ ଖବର ପାଇ ଶ୍ରୀମତୀ ଦାଶ ତୁରନ୍ତ ସେଠାରେ ପହଂଚି ମାଟେ ମୁଣ୍ଡାଙ୍କୁ ଘର ଛପର ପାଇଁ ପଲିଥିନ୍, ମାସକ ନିମନ୍ତେ ଆବଶ୍ୟକ ଖାଦ୍ୟ ସାମଗ୍ରୀ, ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଯୋଗାଇ ଦେଇଥିଲେ । ଏଥି ସହିତ ତାଙ୍କର ଭରଣପୋଷଣର ଦାୟୀତ୍ୱ ମଧ୍ୟ ନେଇଛନ୍ତି ସମାଜସେବୀ ଜହ୍ନ ଦିଦି ।ଅନୁରୂପ ଭାବେ ତାଙ୍କ ନିଜ ଗ୍ରାମ ବଡଜାମୁପଶିରେ ଭାଲୁ କାମୁଡ଼ାରେ ଆହତ ହୋଇ ଘରେ ଅସହାୟ ଅବସ୍ଥାରେ ପଡି ରହିଥିବା ବୃଦ୍ଧା ମହିଳା ଶୁରୁମଣି ଦାଶ (୫୭)ଙ୍କୁ ମଧ୍ୟ ସହଯୋଗର ହାତ ବଢାଇଛନ୍ତି ଜହ୍ନ ଦିଦି । ଭାଲୁ କାମୁଡ଼ାରେ ତାଙ୍କ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ବେଳେ ଚିକିତ୍ସାରେ ଅର୍ଥ ସାଜିଥିଲା ବାଧକ । ଜହ୍ନ ଦିଦି ତାଙ୍କୁ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ଯୋଗାଇଦେବା ସହ ପ୍ରତ୍ୟେକ ମାସରେ ଆବଶ୍ୟକ ଖାଦ୍ୟ ସାମଗ୍ରୀ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେଉଛନ୍ତି ।ଠିକ୍ ସେମିତି ବଡଜାମୁପଶି ଗ୍ରାମର ମଙ୍ଗୁଳୁ ଦଳେଇ (୨୭)ଙ୍କ ପରିସ୍ରାନଳୀରେ ଷ୍ଟୋନ୍ ହୋଇଯାଇଥିବା ବେଳେ ସେ ଅର୍ଥାଭାରୁ ଚିକିତ୍ସା ହୋଇପାରିନଥିଲେ । ତାଙ୍କୁ ମଧ୍ୟ ଆର୍ଥିକ ସହାୟତା ଯୋଗାଇ ଦିଆଯିବା ସହ କଟକ ବଡ଼ ମେଡ଼ିକାଲକୁ ଚିକିତ୍ସା ନିମନ୍ତେ ପଠାଯାଇଛି ।ଏଥି ସହ ସେହି ଗ୍ରାମର ଚିନ୍ତାମଣି ରାଉତ (୭୫) ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ହୋଇଥିଲେ । ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନିଆଯିବା ସହ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି । ଏବଂ ତାଙ୍କର ଖାଦ୍ୟପେୟ ଓ ଔଷଧ ବ୍ୟବସ୍ଥା କରାଯାଇଛି ।ଅନୁରୂପ ଭାବେ କେନ୍ଦୁଝର ଜିଲ୍ଲା ସୀମାନ୍ତ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଏନଏସି ଅନ୍ତର୍ଗତ କଙ୍କଡ଼ା ଗ୍ରାମର କ୍ୟାନସର ପୀଡ଼ିତ କୁନୁ ପରିଡା (୪୫)ଙ୍କୁ ଚିକିତ୍ସା ନିମନ୍ତେ ଆର୍ôଥକ ସହାୟତା, ଔଷଧ ଓ ସୁଷମ ଖାଦ୍ୟ ବ୍ୟବସ୍ଥା କରାଯାଇଥିବା ବେଳେ ପରବର୍ତି ସମୟରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।ସେହିପରି କେନ୍ଦୁଝର ସଦର ବ୍ଲକ୍ ରାଇସୁଆଁ ଗ୍ରାମପଚାଂୟତ ଅନ୍ତର୍ଗତ ରାଇସୁଆଁ ଗ୍ରାମରେ ପେଟରୋଗରେ ପୀଡ଼ିତ ଜଣେ ମହିଳାଙ୍କୁ ଆର୍ଥିକ ସହାୟତା ଯୋଗାଇଛନ୍ତି ଜହ୍ନ ଦିଦି । ବଡଜାମୁପଶି ଗ୍ରାମର ମୃତ ବୈରାଗୀ ଦଳେଇଙ୍କ ଶୁଦ୍ଧିକ୍ରିୟା ପାଇଁ ଆର୍ଥିକ ସହାୟତା, ସେହି ଗ୍ରାମର ରଇବାରୀ ଦଳେଇଙ୍କ ଘର ମରାମତି, ବିଧବା ମୋଟି ମାଙ୍କ ଘର ମରାମତି ଏବଂ ବଡଜାମୁପଶି ଓ ଏହାର ଆଖପାଖ ଗ୍ରାମରେ କେହି ରୋଗରେ ପୀଡ଼ିତ ହେଲେ ତାଙ୍କୁ ତୁରନ୍ତ ମେଡ଼ିକାଲ ନେବା ବ୍ୟବସ୍ଥା କରିବା, ତାଙ୍କ ପାଇଁ ଆବଶ୍ୟକ ଔଷଧ ଓ ଖାଦ୍ୟର ବ୍ୟବସ୍ଥା କରିବା, ପରିବେଶ ସଫାସୁତରା ରଖିବା, ବୃକ୍ଷରୋପଣ ଆଦି ସଚେତନତାଧର୍ମି କାର୍ଯ୍ୟରେ ଜହ୍ନ ଦିଦିଙ୍କ ଉଦ୍ୟମ ବେଶ୍ ପ୍ରଶଂସନୀୟ । ଏହା ବ୍ୟତୀତ ପ୍ରଥମାଷ୍ଟମୀରେ ବଡଜାମୁପଶି ଗ୍ରାମପଚାଂୟତର ଆଖୁପାଳ ଠାରେ କିଛି ଅନାଥ ଶିଶୁ, ବିଧବା, ଦିବ୍ୟାଙ୍ଗ ଓ ନିଃସହାୟ ମାନଙ୍କୁ ନୂତନ ପୋଷାକ ପ୍ରଦାନ କରି ସେମାନଙ୍କ ସହିତ ପ୍ରଥମାଷ୍ଟମୀ ପାଳନ କରିଥିଲେ ଜହ୍ନ ଦିଦି । ନିଜର କଷ୍ଟ ଅର୍ଜିତ ସ୍ୱଳ୍ପ ପାରିଶ୍ରମିକରେ ସେ ଅନାଥ, ଗରିବ ପିଲାମାନଙ୍କୁ ମାଗଣାରେ ପାଠ ପଢାଇବା ସହିତ ସେମାନଙ୍କ ନିମନ୍ତେ ପାଠ୍ୟ ଉପକରଣ, ପୋଷାକ ଖାଦ୍ୟପେୟ ବ୍ୟବସ୍ଥା କରିବା ଓ ଅନ୍ୟ ସେବାମୂଳକ କାର୍ଯ୍ୟ ପାଇଁ କୋଦଣ୍ଡଧର ପାଠଶାଳାର ଅଧ୍ୟକ୍ଷା ଶ୍ରୀମତୀ ଦାଶଙ୍କୁ ଅନେକ ସାମାଜିକ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ତେବେ ଏନେଇ ତାଙ୍କୁ ରାଜ୍ୟ ସରକାର କିମ୍ବା ଅନ୍ୟ ସାମାଜିକ ଅନୁଷ୍ଠାନ ମାନଙ୍କର ସହଯୋଗ ମିଳିଲେ ସେ ଆହୁରି ଅଧିକ ସଂଖ୍ୟାରେ ଗରିବ ଓ ଅସହାୟଙ୍କୁ ସେବା ଯୋଗାଇପାରନ୍ତେ ବୋଲି କହିଛନ୍ତି ।