ମାଲକାନଗିରି,ସିପିଆଇ ମାଓବାଦୀ ସଂଗଠନ ପକ୍ଷରୁ ଡିସେମ୍ବର ୨ ରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲ୍ଜିଏ ସପ୍ତାହ ପାଳନ କରାଯାଉଛି । ଏଥିପାଇଁ ମାଲକାନଗିରି ଜିଲ୍ଲା ତଥା ଅବିଭକ୍ତ କୋରାପୁଟ ଜିଲ୍ଲାରେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବର୍ତ୍ତମାନ ମାଓ ସଂଗଠନ ଦୁର୍ବଳ ହେବାରେ ଲାଗିଥିବାବେଳେ ଓଡ଼ିଶା ରାଜ୍ୟ ପରିବହନ ନିଗମ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ମାଓ ପ୍ରଭାବିତ ଅଞ୍ଚଳରେ ଚାଲୁଥିବା ସମସ୍ତ ସରକାରୀ ବସ୍ ଚଳାଚଳ ବନ୍ଦ ରହିଛି । ପ୍ରଶ୍ନ ଉଠୁଛି ମାଲକାନଗିରିରେ ୮ ବାଟାଲିୟନ ସୀମା ସୁରକ୍ଷା ବାହିନୀ, ମାଓ ଦମନ ନିମନ୍ତେ ୨ ହଜାରରୁ ଉର୍ଦ୍ଧ୍ବ ଓଡ଼ିଶା ପୁଲିସର ଏସଓଜି, ଡିଭିଏଫ, ମାଳମାଳ ପୁଲିସ ଶିବିର, ଦିନରାତି ବିଏସଏଫ ବାହିନୀ ପଇଁତରା ମାରୁଥିବା ବେଳେ ଦୀର୍ଘ ୮ରୁ ୧୦ ବର୍ଷ ହେବ ମାଓବାଦୀମାନେ କୌଣସି ବଡ ଧରଣର ହିଂସାକାଣ୍ଡ ଘଟାଇବାରେ ସମର୍ଥ ହୋଇନାହାନ୍ତି । ଏପରି ସ୍ଥଳେ ରାଜ୍ୟ ସଡ଼କ ପରିବହନ ନିଗମ କାହିଁକି ଏଭଳି ନିଷ୍ପତି ନେଇ ସରକାରୀ ବସ୍ ଗୁଡିକ ବନ୍ଦ କରି କର୍ମଚାରୀମାନଙ୍କ ଅଘୋଷିତ ଛୁଟି ଘୋଷଣା କରିଛନ୍ତି, ସେ ନେଇ ବଡ଼ପ୍ରଶ୍ନ ସୃଷ୍ଟି ହୋଇଛି । ଏହା ମାଓ ଡର ନା ” ବିଭାଗର ବାହାନା ବୋଲି ସାଧାରଣରେ ଆଲୋଚନା ହେଉଛି । ପୁଲିସ ସୁରକ୍ଷା ବ୍ୟବସ୍ଥା ପ୍ରତି ନିଗମର ବିଶ୍ବାସ ନାହିଁ କି ବୋଲି ପ୍ରଶ୍ନ ଉଠୁଛି । ୧୦ ହଜାରରୁ ଉର୍ଦ୍ଧ୍ବ ପୁଲିସ ଯଦି ୧୦ଟି ବସ୍ କୁ ସୁରକ୍ଷା ଦେଇପାରିବେ ନାହିଁ । ତେବେ ସାଧାରଣ ଜନଜୀବନକୁ କ’ଣ ସୁରକ୍ଷା ଦେବେ, ତାହା ଏବେ ବଡ ପ୍ରଶ୍ନ । ଅନ୍ୟପକ୍ଷରେ ଜାଣିଶୁଣି ନିଗମ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଅଭିଯୋଗ ହେଉଛି । ବିଭିନ୍ନ ମହଲରେ ଏହି ବସ୍ ବନ୍ଦକୁ ତୀବ୍ର ନିନ୍ଦା କରାଯାଇଛି ।
ଡିଟିଏମ ଶ୍ରୀନିବାସ ପାଣିଗ୍ରାହୀଙ୍କ ସୂଚନା ଅନୁଯାୟୀ, ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ମାଓବାଦୀଙ୍କ ପିଏଲଜିଏ ସପ୍ତାହରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମାଓ ଉପଦୃତ
ଅଞ୍ଚଳରେ ବସ୍ ସେବା ବନ୍ଦ ରହିଛି । ଜୟପୁର ଜୋନରେ ମୋଟ୍ ୧୯ଟି ରାସ୍ତାରେ ଗାଡି ଚଳାଚଳ କରିବ ନାହିଁ ବୋଲି ରାଜ୍ୟ ମୁଖ୍ୟାଳୟ ପକ୍ଷରୁ ନିର୍ଦେଶ ଜାରି ହୋଇଛି । ଏଥିମଧ୍ୟରୁ ଜୟପୁର-କଟକ ଭାୟା ରାୟଗଡ଼ା, ଜୟପୁର- ଫୁଲବାଣୀ, ଜୟପୁର-ଭଦ୍ରାଚଳମ୍ ଭାୟା ମାଲକାନଗିରି, ଜୟପୁର- ପାରଳାଖେମୁଣ୍ଡି, ଜୟପୁର-ପାର୍ବତୀପୁରମ୍, ଜୟପୁର-ମାଲକାନଗିରି, ଜୟପୁର-ଘଟଗାଁ, ମୋଟୁ-ଜୟପୁର, ମୋଟୁ-ଭବାନୀପାଟଣା, ଜୟପୁର-କୋଟିଆ, ଇନ୍ଦ୍ରାବତୀଠାରୁ ସ୍ବାଭିମାନଅଞ୍ଚଳ-ଜାନବାଇ, ନବରଙ୍ଗପୁର-ଇନ୍ଦ୍ରାବତୀ, ବିଜୟନଗରମ୍, ମାଲକାନଗିରି, ବିଶାଖାପାଟଣା, ଏମ୍.ଭି. ୭୯, ବିଶାଖାପାଟଣା-ଚିତ୍ରକୋଣ୍ଡା ରୁଟ୍ ରେ ଯାନବାହନ ଚଳାଚଳ ବନ୍ଦ ରହିଛି । ଏଥିମଧ୍ୟରୁ କିଛି ବସ୍ ବିଶାଖାପାଟଣାଠାରୁ ଜୟପୁର ଚଳାଚଳ କରିବ ବୋଲି ଜଣାପଡିଛି । ସେହିପରି ମାଲକାନଗିରି ଜୋନ୍ ରେ ପଡ଼ିଆ-ଜୟପୁର -ଏମଭି ୭୯, କାଲିମେଳା-ଜୟପୁର, ମୋଟୁ- କୋରାପୁଟ, କଟକ- ଚିତ୍ରକୋଣ୍ଡା , ମୋଟୁ- ଭୁବନେଶ୍ଵର, କାଲିମେଳା -ଚିତ୍ରକୋଣ୍ଡାକୁ ବସ୍ ଚଳାଚଳ ବନ୍ଦ ରହିଛି । ବର୍ତ୍ତମାନ ସ୍ଥିତିରେ ମାଓବାଦୀଙ୍କ ପ୍ରଭାବ ମାଲକାନଗିରି ଜିଲ୍ଲାରେ ନ ଥିବା ପୁଲିସ ମହାନିର୍ଦେଶକ ( ଡିଜି ) ଅଭୟ କିଛି ଦିନ ତଳେ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିବା ବେଳେ ଓଡ଼ିଶା ରାଜ୍ୟ ପରିବହନ ନିଗମ ପକ୍ଷରୁ ପୁଲିସ ସୁରକ୍ଷା ବ୍ୟବସ୍ଥା ପ୍ରତି କାହିଁକି ଭରସା ଉଠିଯାଇଛି, ତାହା ଜଣାପଡୁନାହିଁ । ମାଲକାନଗିରି ଜିଲ୍ଲାରେ ଦିନ ବେଳେ ବସ୍ ଚଳାଚଳରେ କୌଣସି ଅସୁବିଧା ନ ଥିବା ବେଳେ ମାଲକାନଗିରି ଠାରୁ ଜୟପୁର ମଧ୍ୟରେ ପାଣ୍ଡ୍ରିପାଣି, ନାୟକଗୁଡା, ମାଥିଲି, ଗୋବିନ୍ଦପାଲ୍ଲୀ, ସପ୍ତାଧାରା, ବୈପାରିଗୁଡା ମଧ୍ୟରେ ଛଅଟି ପୁଲିସ ବିଏସଏଫ ଶିବିର ଥିବାବେଳେ ଦିବାରାତ୍ରି ସେଠାରେ ତଲାସି ଅଭିଯାନ କରାଯାଉଛି । ଏଭଳି ସ୍ଥିତିରେ ରହୁଥିବା ବସ୍ ଗୁଡିକ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବାବେଳେ କେବଳ ରାତ୍ରି ସମୟରେ ବିଶାଖାପାଟଣା ଓ ବିଜୟନଗରମ ଦୁଇଟି ବସ୍ ଜୟପୁର ଦେଇ ଯାତାୟାତ କରୁଥିଲା । ଏହି ଦୁଇଟି ବସ୍ ପାଇଁ ବିପଦର ଆଶଙ୍କା ରହିଛି । ରାତ୍ରି ତଲାସି ଅଭିଯାନକୁ ଆହୁରି କଡାକଡି କଲେ କୌଣସି ଅସୁବିଧା ହେବନାହିଁ । ମୁଖ୍ୟତଃ ମାଲକାନଗିରି ଠାରୁ ବିଶାଖାପାଟଣା ବସ୍ ଉପରେ ବହୁ ଲୋକ ନିର୍ଭର କରୁଛନ୍ତି । କାରଣ ସ୍ବାସ୍ଥ୍ୟ ସେବା ପାଇଁ ଏହି ଏକ ବସ୍ ହିଁ ଭରସା । ଜୟପୁର ଦେଇ ବିଶାଖାପାଟଣା ଗଲେ ସ୍ଥାନୀୟ ଲୋକଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି । ରାଜ୍ୟ ପରିବହନ ମୁଖ୍ୟଙ୍କ ସହ ପ୍ରଶାସନ ଆଲୋଚନା କରି ବସ୍ ଚଳାଚଳକୁ ସ୍ବାଭାବିକ କରିବାକୁ ବିଭିନ୍ନ ମହଲରେ ଦାବୀ ହେଉଛି । ଯଦି ବସ୍ ଓ ଯାତ୍ରୀଙ୍କୁ ମୁଖ୍ୟ ରାସ୍ତାରେ ସୁରକ୍ଷା ଦେବାରେ ପୁଲିସ ଓ ଯବାନ ବିଫଳ ହେଉଛନ୍ତି, ତାହାହେଲେ ଏହି ସୁରକ୍ଷା ବ୍ୟବସ୍ଥା କାହା ପାଇଁ ବୋଲି ସାଧାରଣରେ ପ୍ରଶ୍ନ ଉଙ୍କି ମାରୁଛି ।