
ଭୁବନେଶ୍ୱର, ସମ୍ଭାବ୍ୟ ବାତ୍ୟା ନେଇ କେନ୍ଦ୍ର ସରକାର ସମ୍ପୂର୍ଣ ପ୍ରସ୍ତୁତ ଅଛନ୍ତି । ପ୍ରଶାସନ ଦ୍ୱାରା ଜାରୀ କରାଯାଇଥିବା ସତର୍କ ସୂଚନାକୁ ପାଳନ କରିବା ଏବଂ ଧୈର୍ଯ୍ୟ ଓ ସାହାସର ସହ ବାତ୍ୟାକୁ ମୁକାବିଲା କରିବା ଏହା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଟ୍ୱିଟ କରି କହିଛନ୍ତି ଯେ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନେତୃତ୍ୱରେ ଭାରତ ସରକାର ସମ୍ଭାବ୍ୟ ବାତ୍ୟା ଜୱାଦର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ପ୍ରଧାନମନ୍ତ୍ରୀଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ସମୀକ୍ଷା ବୈଠକରେ ଓଡ଼ିଶା ସମେତ ପ୍ରଭାବିତ ଅଂଚଳର ନାଗରିକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରଣ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।
ବାତ୍ୟାର ମୁକାବିଲା ପାଇଁ ସମସ୍ତ ମନ୍ତ୍ରଣାଳୟ ଏବଂ ସଂସ୍ଥା ଗୁଡ଼ିକ ମିଳିତ ଭାବେ କାମ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ବାତ୍ୟା ସମୟରେ ବିଦ୍ୟୁତ୍ ଯୋଗାଣ, ଟେଲି ଯୋଗାଯୋଗ, ବିଶୁଦ୍ଧ ପାନୀୟ ଜଳ ସହ ଅତ୍ୟାବଶ୍ୟକ ସାମଗ୍ରୀ ଆଦି ବିଭିନ୍ନ ଜରୁରୀ ସେବାକୁ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ପ୍ରାକୃତିକ ବିପତ୍ତି ସମୟରେ ଓଡ଼ିଶାର ଭାଇ ଭଉଣୀ ଓ ଗୁରୁଜନମାନଙ୍କୁ ଅନୁରୋଧ, ସମସ୍ତେ ପ୍ରଶାସନ ଦ୍ୱାରା ଜାରୀ କରାଯାଇଥିବା ସତର୍କ ସୂଚନାକୁ ପାଳନ କରିବା ଏବଂ ଧୈର୍ଯ୍ୟ ଓ ସାହାସର ସହ ବାତ୍ୟାକୁ ମୁକାବିଲା କରିବା । ଜୱାଦ ପ୍ରଭାବରେ କାହାର କୌଣସି କ୍ଷତି ନ ହେଉ, ଏହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ।