
ଘସିପୁରା, ପିକଅପ୍ ଭ୍ୟାନ୍ ଭଡ଼ାକୁ କେନ୍ଦ୍ର କରି ଆନନ୍ଦପୁର ଥାନା ମୋଚିନ୍ଦା ଗାଁରେ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ ସଂଘର୍ଷ । ଭୁଜାଲି, କତା ଓ ଲୁହା ରଡରେ ଉଭୟ ଉଭୟଙ୍କୁ ଆକ୍ରମଣ କରିଥିବା ଯୋଗୁଁ ଦୁଇ ପକ୍ଷରୁ ମୋଟ୍ ୮ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୨ ଜଣ ମହିଳା ମଧ୍ୟ ରହିଛନ୍ତି । ୧୦୮ ଆମ୍ବୁଲାନ୍ସ ସହାୟତାରେ ସମସ୍ତ ଆହତଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତି କରାଯାଇଛି ।
ସୂଚନା ଅନୁସାରେ , ମୋଚିନ୍ଦା ଗାଁର ଉଭୟ ସାର୍ତ ସାହୁ ଓ ଅଙ୍କୁରା ସାହୁଙ୍କ ପରିବାରରେ ପିକଅପ୍ ଭ୍ୟାନ୍ ଅଛି । ସେଗୁଡିକୁ ଉଭୟ ପରିବାର ଭଡ଼ା ସୂତ୍ରରେ ଦେଇଥାନ୍ତି । ଆଜି ଜଣେ ବ୍ୟକ୍ତି କେନ୍ଦୁଝରକୁ କିଛି ସାମଗ୍ରୀ ନେଇ ଯିବାକୁ ସାର୍ତ ସାହୁଙ୍କ ପୁଅ ସହ ପିକଅପ୍ ଭଡ଼ା ଛିଡାଇଥିଲା । ଏହି କଥା ଜାଣିପାରି ନିକଟରେ ଥିବା ଅଙ୍କୁରା ସାହୁଙ୍କ ପୁଅ ଉକ୍ତ ବ୍ୟକ୍ତିଙ୍କୁ ଅଧା ଦରରେ ନେଇଯିବାକୁ କହିଥିଲେ । ଫଳରେ ଏହି ଘଟଣାକୁ କେନ୍ଦ୍ର କରି ପ୍ରଥମେ ଯୁକ୍ତିତର୍କ ଓ ପରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ଖବରପାଇ ଆନନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ପରିସ୍ଥତି ଉପରେ ନଜର ରଖିବା ସହ ଏନେଇ ଅଧିକ ତଦନ୍ତ ଚଳାଇଛି ।