-
ଜିରୋ ନାଇଟ୍ ସେଲିବ୍ରେସନ୍ ଉପରେ ରୋକ୍ , ଡିସେମ୍ବର ୩୧ , ଜାନୁଆରୀ ୧ ରେ ପିକନିକ୍ ମନା
ଭୁବନେଶ୍ୱର, ଗତବର୍ଷ ଭଳି ଏଥର ମଧ୍ୟ ଫିକା ପଡିବ ଇଂରାଜୀ ନୂଆବର୍ଷ ପାଳନ । ନୂଆ ବର୍ଷରେ କୌଣସି ସ୍ଥାନରେ ଜିରୋ ନାଇଟ୍ ସେଲିବ୍ରେସନ୍ ହୋଇପାରିବ ନାହିଁ । ହୋଟେଲ, ରେଷ୍ଟୁରାଂଟ, ପାର୍କରେ ମଧ୍ୟରାତ୍ରୀରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିର ଆୟୋଜନ ହୋଇପାରିବ ନାହିଁ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ଡିସେମ୍ବର ମାସ ପାଇଁ ଗାଇଡଲାଇନ ଜାରି କରି ଏହି ସୂଚନା ଦେଇଛନ୍ତି ।
ଏସଆରସିଙ୍କ ଗାଇଡ୍ ଲାଇନ୍ ରେ କୁହାଯାଇଛି ଯେ ନୂଆବର୍ଷକୁ ସ୍ୱାଗତ କରିବାକୁ କୌଣସି କାର୍ଯ୍ୟକ୍ରମର ଆୟୋଜନ ହୋଇପାରିବ ନାହିଁ । ଏହାସହ ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖରେ ପିକନିକ୍ କରିବାକୁ ମଧ୍ୟ ସରକାର ବାରଣ କରିଛନ୍ତି । ହୋଟେଲ, ରେଷ୍ଟୁରାଂଟ, ପାର୍କରେ ଏକାଠି ହେବା ମନା ହୋଇଛି ।
ଡିସେମ୍ବର ୧ରୁ ୧ ଜାନୁଆରୀ୨୦୨୨ ପର୍ଯ୍ୟନ୍ତ କଟକଣା ଲାଗୁ ରହିବ । ରାତି ୧୦ରୁ ସକାଳ ୫ ଯାଏଁ ସହରାଂଚଳ ନାଇଟ କର୍ଫ୍ୟୁ ବଳବତର ରହିବ । ରାଜ୍ୟର କୌଣସି ସ୍ଥାନରେ ସପ୍ତାହନ୍ତ ସଟଡାଉନ ଲାଗୁ ହେବନି । ପ୍ରଦର୍ଶନୀ, ଏକ୍ସପୋ, ମେଳା ଓ ବାଣିଜ୍ୟ ଉପରେ କଟକଣା ଲାଗୁ ହୋଇଛି । ସେହିପରି କ୍ଲବ କନଭେନ୍ସନ ହଲ, କଲ୍ୟାଣ ମଣ୍ଡପରେ ଜନସମାଗମ ମନା ହୋଇଛି ।
ତେବେ ଡିସେମ୍ବର ଗାଇଡଲାଇନରେ ବାହାଘରକୁ ନେଇ ସେହି ପୁରୁଣା ନିୟମ ଲାଗୁ ହେବ । ଅର୍ଥାତ ବାହାଘରରେ ୨୫୦ ଜଣ ସାମିଲ ହୋଇପାରିବେ । ଡିସେମ୍ବର ମାସରେ ଅଧିକ ସଂଖ୍ୟକ ବାହାଘର ରହିଛି । ଆଉ ଏହି ସବୁ ବାହାଘରରେ ସର୍ବାଧିକ ୨୫୦ ଜଣଙ୍କୁ ସାମିଲ ହେବାକୁ ଅନୁମତି ଦେଇଛନ୍ତି ସରକାର । ବରପକ୍ଷ, କନ୍ୟାପକ୍ଷ, ପଣ୍ଡିତ, ବନ୍ଧୁ ବାନ୍ଧବ ଏପରିକି ବାହାଘରରେ ସାମିଲ ହେଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସଂଖ୍ୟା ୨୫୦ରୁ ଅଧିକ ହେବନି । ଏହାବାଦ୍ ବାହାଘର ଶୋଭାଯାତ୍ରାରେ ସର୍ବାଧିକ ୫୦ ଜଣ ସାମିଲ ହୋଇପାରିବେ ।