କନ୍ଧମାଳ, ଲଗାତାର ଭାବେ କନ୍ଧମାଳରେ ତାପମାତ୍ରା ଖସିବାରେ ଲାଗିଛି । ଆରମ୍ଭରୁ ଜିଲ୍ଲାରେ ଶୀତର ପ୍ରଭାବ ଏତେ ଅନୁଭୁତ ହୋଇନଥିଲା । ହେଲେ ଗତ ଚାରି ଦିନ ହେଲା ଜିଲ୍ଲାରେ ଶୀତର ପ୍ରକୋପ ଦେଖିବାକୁ ମିଳିଛି । ଦୁଇ ଦିନ ହେଲା ଫୁଲବାଣୀ ଓ ଦାରିଙ୍ଗବାଡିରେ ତାପମାତ୍ରା ଦୁଇ ଅଙ୍କ ତଳକୁ ଖସି ଆସିଛି । ଗତକାଲି ଦାରିଙ୍ଗବାଡିରେ ୮ ଡିଗ୍ରୀ ସେଲସିୟସ ଓ ଫୁଲବାଣୀରେ ୯ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଥିଲା । ସେହିପରି ଆଜି ଦାରିଙ୍ଗବାଡ଼ିର ତାପମାତ୍ରା ୮ ଡିଗ୍ରୀରେ ସ୍ଥିର ଥିବାବେଳେ ଫୁଲବାଣୀର ତାପମାତ୍ରା ତଳକୁ ଖସି ୮.୫ ଡିଗ୍ରୀ ସେଲସିୟସ ରହିଥିବା ନେଇ ଜିଲ୍ଲା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହା ଫଳରେ ଫୁଲବାଣୀ ଏବଂ ଆଖପାଖର ଅଂଚଳରେ ଭୀଷଣ ଶୀତ ଅନୁଭୁତ ହେଉଛି । ସକାଳୁ ଘରୁ ବାହାରିବା କଷ୍ଟକର ହୋଇପଡୁଛି । ଏହା ଦ୍ବାରା ଫୁଲବାଣୀ ସମେତ ଦାରିଙ୍ଗବାଡି, ଫିରିଙ୍ଗିଆ, ଘୂ. ଉଦୟଗିରି, ରାଇକିଆ, ତୁମୁଡ଼ିବନ୍ଧ, କୋଟଗଡ ଆଦି ଅଂଚଳର ଲୋକେ ଶୀତ ଦାଉରୁ ରକ୍ଷା ପାଇବାକୁ ନିଆଁ ଲଗାଇ ପାଖରେ ଥିବା ଦେଖାଯାଉଛି । ଘନ କୁହୁଡ଼ି ଦିନ ୧୦ ଟା ପର୍ଯ୍ୟନ୍ତ ରହୁଛି । ଫଳରେ ରାସ୍ତାରେ ଯାନବାହାନ ଚଳାଚଳରେ ମଧ୍ୟ ବାଧା ସୃଷ୍ଟି ହେଉଛି । ତେବେ ଏହି ଭୀଷଣ ଶୀତରେ ଅଧିକ ପ୍ରଭାବିତ ହେଉଛନ୍ତି ଗରିବ ବାସହୀନ ଲୋକେ ସେମାନଙ୍କ ପାଇଁ ରାତ୍ରି ଯାପନ ଅତି କଷ୍ଟକର ହୋଇପଡୁଛି । ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବା ନିତାନ୍ତ ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।