ଜଟଣୀ – ଜଟଣୀ ବ୍ଲକ୍ ସ୍ତରୀୟ ବିଦ୍ୟାଳୟ ସମୁହ ଶିଶୁ ମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମ ବୁଧବାର ସ୍ଥାନୀୟ ଉପରବସ୍ତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ ଶିକ୍ଷାଧିକାରୀ ରମେଶ ଚନ୍ଦ୍ର ଖଟେଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସୁରଭି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡିଓ ବାସୁଦେବ ମାହାରୀ, ସମ୍ମାନୀତ ଅତିଥି ବି.ଆର୍.ସି.ସି ପ୍ରେମାନନ୍ଦ ମହାନ୍ତି, ବ୍ଲକ୍ ଉପଶିକ୍ଷାଧିକାରୀ ମଦନ ମୋହନ ଭୂୟାଁ, ପ୍ରଧାନ ଶିକ୍ଷୟତ୍ରୀ କରବୀ ପ୍ରଭା ବଳ, ସରପଚଂ ବନ ବିହାରୀ ରଣା, ଶୁକାନ୍ତ କୁମାର ପରିଡା, ଏଲିମେଂଟାରୀ ଶିକ୍ଷକ ସଂଘ ସଭାପତି କୈଳାଶ ରାଉତ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ସୁନ୍ଦର ହସ୍ତାକ୍ଷର, କୁଇଜ୍, ସୃଜନଶୀଳ ଲିଖନ, ଚିତ୍ରକଳା, ହସ୍ତକଳା, ଲଘୁସଂଗୀତ ଓ ଲୋକନୃତ୍ୟ ଆଦି ପ୍ରତିଯୋଗିତା ବରିଷ୍ଠ ଓ କନିଷ୍ଠ ବିଭାଗରେ କରାଯାଇଥିଲା । କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶିକ୍ଷାର୍ଥୀମାନେ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଆସନ୍ତା ମାସ ୮ ତାରିଖରେ ଭାଗ ନେବାକୁ ଥିବା ଜଣାପଡିଛି ।
ସମସ୍ତ ସି.ଆର୍.ସି.ସି ଓ ଗାଇଡ୍ ଶିକ୍ଷକ ଶିକ୍ଷୟତ୍ରୀମାନେ ଆଜିର ଏହି ସୁରଭି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଶିକ୍ଷୟିତ୍ରୀ ଟୁଲୁ ଦେଇ ମଂଚ ପରିଚାଳନା କରିଥିଲେ । ଏଥିରେ ୧୦ ଟି କ୍ଲଷ୍ଟରରୁ ୧୯୫ ଜଣ ଶିକ୍ଷାର୍ଥୀ ଅଂଶ ଗ୍ରହଣ କରିଥିବା ବେଳେ ପରିଶେଷରେ ଉପରବସ୍ତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଟୁଲୁ ଦେଇ ଧନ୍ୟବାଦ ଅର୍ପଣ କରିଥିଲେ ।