
-
ଏସଆରସି ଜାରୀ କଲେ ଗାଇଡଲାଇନ
ଭୁବନେଶ୍ୱର, ରାଜ୍ୟ ସରକାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ଅନୁମତି ଦେଇଛନ୍ତି । କରୋନା କଟକଣା ଭିତରେ ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡି ଆଦି ଆୟୋଜିତ ହୋଇପାରିବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ ପକ୍ଷରୁ ସୂଚନା ଦିଆ ଯିବା ସହ ଏକ ନୂତନ ଗାଇଡଲାଇନ୍ ଜାରି କରାଯାଇଛି ।
ଏହି ଗାଇଡଲାଇନରେ କୁହା ଯାଇଛି ଯେ ଏସବୁ ଲାଗି ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଓ ପୌର କମିସନରଙ୍କଠାରୁ ଅନୁମତି ନେବାକୁ ପଡ଼ିବ । ଖୋଲା ଜାଗାରେ ୨ ହଜାର ଲୋକଙ୍କୁ ନେଇ ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡି ଆଦି ଆୟୋଜିତ ହୋଇପାରିବ ।
ଏହ ିସମୟରେ ସାମାଜିକ ଦୂରତା ବଜାୟ ରଖିବାକୁ ପଡ଼ିବ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି । ଅନଲାଇନ୍ ବା ଅଧିକସଂଖ୍ୟକ କାଉଂଟରରେ ଟିକେଟ୍ ବୁକିଂ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ଅନୁରୂପ ଭାବେ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍ ଚାଲିପାରିବ ବୋଲି କୁହାଯାଇଛି । ହଲ୍ ଭିତରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଗଲେ ସେଠାରେ ମଧ୍ୟ କରୋନା କଟକଣା ମାନିବାକୁ ପଡ଼ିବ । ଆବଶ୍ୟକସ୍ଥଳେ ସ୍ଥାନୀୟ ପ୍ରଶାସନ ଦର୍ଶକଙ୍କ ସଂଖ୍ୟାରେ ପରିବର୍ତନ କରିପାରିବେ ବୋଲି ଏହି ନୂଆ ମାର୍ଗଦର୍ଶିକାରେ କୁହାଯାଇଛି ।
ଯେଉଁମାନେ ଡବଲ୍ ଡୋଜ୍ କୋଭିଡ୍ ଟିକା ନେଇଥିବେ ବା ୭୨ ଘଂଟା ପୂର୍ବରୁ ଆଂଟିିଜେନ୍ ବା ଆରଟିପିସିଆର୍ ଟେଷ୍ଟ କରାଇଥିବେ କେବଳ ସେହିମାନଙ୍କୁ ଏହି ସାଂସ୍କୃତିକ କାର୍ଯ୍ୟକ୍ରମମାନଙ୍କରେ ଯୋଗ ଦେବା ଲାଗି ଅନୁମତି ମିଳିବ ।