-
୮୪୬୦ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ
ଭୁବନେଶ୍ୱର, ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷାଫଳ ପ୍ରକାଶ ପାଇଛି । ପରିଷଦ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଏହି ପରୀକ୍ଷାରେ ୬୮.୬୬ ପ୍ରତିଶତ ପାସହାର ରହିଛି । ଏଥିରେ ମୋଟ ୧୨,୩୨୧ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିବାବେଳେ ସେଥିମଧ୍ୟରୁ ୮୪୬୦ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ତେବେ ଏହି ପରୀକ୍ଷାରେ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନଙ୍କର ପ୍ରଦର୍ଶନ ଭଲ ରହଥିବା ଜଣା ପଡିଛି ।
କଳାରେ ୬୩୧୦ ଜଣ ଛାତ୍ରଛାତ୍ରୀ ପାସ କରିଥିବା ବେଳେ ବିଜ୍ଞାନରେ ୧୫୦୧, ବାଣିଜ୍ୟରେ ୪୨୨ ଏବଂ ଧନ୍ଦାମୂଳକ ଶିକ୍ଷାରେ ୨୨୭ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ପରୀକ୍ଷାରେ ଛାତ୍ରମାନଙ୍କ ପାସହାର ୬୨.୭ ପ୍ରତିଶତ ରହିଥିବାବେଳେ ଛାତ୍ରୀମାନଙ୍କର ପାସହାର ୬୭.୭୬ ପ୍ରତିଶତ ରହିଛି ।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପୂର୍ବାହ୍ନ ୧୧ଟାରେ ଫଳ ପ୍ରକାଶ କରାଯାଇଛି । ପରୀକ୍ଷାର୍ଥୀମାନେ ୱେବ୍ସାଇଟ୍ରୁ ସେମାନଙ୍କ ରେଜଲ୍ଟ ଜାଣିପାରିବେ ।
ଏଠାରେ ଉଲ୍ଲେଖ କରା ଯାଇ ପାରେ ଯେ ଯୁକ୍ତ୨ ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷାର ବ୍ୟବସ୍ଥା କରା ଯାଇଥିଲା । ତେଣୁ ଅକ୍ଟୋବରରେ ସ୍ୱତନ୍ତ୍ର ପରୀକ୍ଷା କରାଯାଇଥିଲା ।
ଗତ ଅକ୍ଟୋବର ମାସ ୧ରୁ ୧୧ ତାରିଖ ପର୍ଯ୍ୟନ୍ତ ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏଥିରେ ସାମିଲ ହେବା ପାଇଁ ୧୩ ହଜାର ୪୩ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ୧୨ ହଜାରରୁ ଅଧିକ ପିଲା ପରୀକ୍ଷା ଦେଇଥିଲେ । କଳାରେ ସର୍ବାଧିକ ୮୯୯୧ ପରୀକ୍ଷାର୍ଥୀ ରହିଥିବା ବେଳେ ବିଜ୍ଞାନରେ ୨୩୩୧, ବାଣିଜ୍ୟରେ ୬୧୭ ଓ ଧନ୍ଦାମୂଳକ ଶିକ୍ଷା ବିଭାଗରେ ୬୧୭ ଜଣ ପରୀକ୍ଷା ଦେଇଥିଲେ ।