କେନ୍ଦ୍ରାପଡ଼ା – କେନ୍ଦ୍ରାପଡା କ୍ରେଡିଟ୍ କୋ- ଅପରେଟିଭ୍ ସୋସାଇଟିକୁ ବଦନାମ୍ କରୁଥିବା ଚକ୍ରାନ୍ତିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ କର୍ମଚାରୀଙ୍କ ତରଫରୁ ଏସ୍ପିଙ୍କ ନିକଟରେ ଦାବି କରାଯାଇଛି । କେନ୍ଦ୍ରାପଡାର ଅଗ୍ରଣୀ ସମବାୟ ସଂସ୍ଥା କେନ୍ଦ୍ରାପଡା କ୍ରେଡିଟ୍ କୋ- ଅପରେଟିଭ୍ ସୋସାଇଟି ଆର୍ଥିକ କାରବାରରେ ରାଜ୍ୟରେ ସୁନାମ ଅର୍ଜନ କରିଥିବାବେଳେ ଏହାକୁ ବଦନାମ୍ କରିବା ପାଇଁ କିଛି କୁଚକ୍ରୀ ଗୋଷ୍ଠୀ ଷଡଯନ୍ତ୍ର ରଚନା କରିଛନ୍ତି । ଏହାକୁ ବଦନାମ୍ କରାଯାଉଥିବା ଉଦ୍ୟମକୁ ନେଇ ଶାଖାର ସମସ୍ତ କର୍ମଚାରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ବୁଧବାର ସଂନ୍ଧ୍ୟା ସମୟରେ ଭେଟି ନିରପେକ୍ଷ ତଦନ୍ତ ସହ ଷଡଯନ୍ତ୍ରକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । କେନ୍ଦ୍ରାପଡା କ୍ରେଡିଟ୍ କୋ ଅପରେଟିଭ୍ ସୋସାଇଟିର ଜନୈକ ପୂର୍ବତନ ମହିଳା କର୍ମଚାରୀ ସମିତିର ମୁଖ୍ୟ ଶାଖାରେ ଦୀର୍ଘମାସ ଧରି କାମ କରିବା ପରେ ତାଙ୍କର ଘରପାଖ ମାର୍ଶାଘାଇ ଶାଖାକୁ ବଦଳି କରାଯାଇଥିଲା । ଏଥିରେ ସେ ଅନିଚ୍ଛା ପ୍ରକାଶ କରି ପ୍ରତିଶୋଧ ପରାୟଣ ହୋଇ ବିଭିନ୍ନ ଖଳ ପ୍ରକୃତିର ଲୋକମାନଙ୍କ ସହିତ ମିଶି ସୋସାଇଟିକୁ ବଦନାମ୍ କରିବାକୁ ଉଦ୍ୟମ କରୁଛନ୍ତି । ଏହି ସୋସାଇଟି ଜିଲ୍ଲାର ଗରିବ, କ୍ଷୁଦ୍ର ଓ ମଧ୍ୟବିତ ଶ୍ରେଣୀର ଲୋକଙ୍କ ଦାରିଦ୍ର୍ୟ ଦୂରୀକରଣ ଓ ସ୍ୱାର୍ଥରକ୍ଷା ପାଇଁ କାର୍ଯ୍ୟ କରି ଆସୁଛି । ଜିଲ୍ଲା ଓ ଜିଲ୍ଲା ବାହାରେ ଏହାର ୧୭ଟି ଶାଖା କାର୍ଯ୍ୟ କରୁଥିବାବେଳେ ୫ଶହ କର୍ମଚାରୀଙ୍କ ପରିବାରଙ୍କ କର୍ମସନ୍ଥାନ ଯୋଗାଇଛି । ଏହାକୁ ବଦନାମ୍ କରୁଥିବା ଲୋକମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କ୍ରେଡିଟ୍ କୋ ଅପରେଟିଭ୍ ସୋସାଇଟିର ପ୍ରହ୍ଲାଦ ସାହୁ, ଅରବିନ୍ଦ ସାହୁ, ମନୋଜ କୁମାର ସାହୁ, ରମେଶ ସେଠୀ, ସନ୍ତୋଷୀ କୁମାରୀ ସାମଲ, ପ୍ରିୟମ୍ବଦା ରାଉତରାୟ, ସେକ୍ ରଫିଉଦ୍ଦିନ୍, ସାହିନା ପରୱିନ୍, ସୁଷମା ସଙ୍ଗିତା ରଣା, ବିଜୟାଲକ୍ଷ୍ମୀ ବେହେରା ପ୍ରମୁଖ ଆରକ୍ଷୀ ଅଧିକ୍ଷକ ଶ୍ରୀ ନୀତିଶେଖରଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି ଏହି କ୍ରେଡିଟ୍ ସୋସାଇଟିକୁ ବଦନାମ୍ କରିବା ପାଇଁ ପୂର୍ବରୁ ମଧ୍ୟ ଅନେକଥର ଚେଷ୍ଟା କରି ଚକ୍ରାନ୍ତକାରୀମାନେ ବିଫଳ ହେବା ପରେ ପୁନର୍ବାର ଉଦ୍ୟମ ଜାରୀ କରିଛନ୍ତି ।
Related Stories
April 17, 2024