ରାଉରକେଲା, ବଜାରରେ ଏବେ ଅପମିଶ୍ରିତ ଖାଦ୍ୟ ବହୁଳ ଭାବେ ବିକ୍ରି ଚାଲିଛି । ଏନେଇ ବିଭିନ୍ନ ସମୟରେ ଅଭିଯୋଗ ହେଉଥିଲେ ମଧ୍ୟ ରାଉରକେଲା ଖାଦ୍ୟ ନିରୀକ୍ଷକ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତେ ନିରବଦ୍ରଷ୍ଟା ସାଜିଛନ୍ତି । ସାଧାରଣତଃ ରୋଗୀଟିଏ ଡାକ୍ତରଙ୍କ ପରାମର୍ଶ କ୍ରମେ ଫଳ ଆହରଣ କରିଥାଏ । ହେଲେ ଏବେ ରାଉରକେଲା ସହରରେ ଫଳ ଗୁଡିକ କେମିକାଲ ମିଶି ଆସୁଥିବା ନେଇ ଅଭିଯୋଗ ହେଉଥିଲେ ବି ତାର ନମୁନା ସଂଗ୍ରହ ହେଉନାହିଁ କିମ୍ବା ଏହାର ଯାଂଚ୍ କରାଯାଉନାହିଁ । ଫଳରେ ଏହା ଅସାଧୁ ବ୍ୟବସାୟୀଙ୍କୁ ପ୍ରୋତ୍ସାହନ ଯୋଗାଇବା ସଦୃଶ ହୋଇଛି । ବାରମ୍ବାର ଏନେଇ ଅଭିଯୋଗ କରାଯିବା ସତ୍ୱେ ଖାଦ୍ୟ ନିରୀକ୍ଷକ ଓ ବିଭାଗୀୟ କର୍ତୃପକ୍ଷ ନାମକୁ ମାତ୍ର କେତେକ ଜାଗାରେ ଚଢ଼ଉ କରି ବାଃ ବାଃ ନେଉଥିବା ବେଳେ ଲୋକେ ପ୍ରତିଦିନ ବ୍ୟବହାର କରୁଥିବା ଖାଦ୍ୟ ସାମଗ୍ରୀର ମାନକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବଜାରରେ ସବୁଠାରୁ ଅଧିକ ବିକ୍ରୀ ହେଉଥିବା କ୍ଷୀର ଆଉ ଗାଈ କ୍ଷୀର ହୋଇ ରହିନାହିଁ । ତାହା ସମ୍ପୂର୍ଣ୍ଣ ଅପମିଶ୍ରିତ ବୋଲି ବାରମ୍ବାର ଅଭିଯୋଗ ହେଉଛି । ସେହିଭଳି ଅସୁସ୍ଥ ମଣିଷକୁ ଫଳ ଆହରଣ ପାଇଁ ଡାକ୍ତର ପରାମର୍ଶ ଦେଉଥିବା ବେଳେ କେମିକାଲ୍ ମିଶ୍ରିତ ଫଳ ରୋଗୀଙ୍କ ପାଇଁ କାଳ ହୋଇଛି । ରାଜ୍ୟ ବାହାରୁ ରାଉରକେଲାକୁ ଆସୁଥିବା ଫଳ ଉପରେ ରଙ୍ଗ ଦିଆଯାଉଥିବା ବେଳେ କଦଳୀକୁ ଅଧିକ ଦିନ ରଖି ବ୍ୟବସାୟ କରିବା ନିମନ୍ତେ ଏହାକୁ ସମ୍ପୂର୍ଣ୍ଣ କେମିକାଲରେ ବୁଡାଇ ସତେଜ ରଖାଯାଉଛି । ଫଳରେ ସେହି କଦଳୀ ପ୍ରକୃତ କଦଳୀର ସ୍ୱାଦ ଦେଉନାହିଁ । ସିଜିନ୍ ସମୟରେ ଆମ୍ବ ହେଉ କିମ୍ବା ପଣସ, ଲିଚୁ ପ୍ରତି ଫଳକୁ ଏହି ଅସାଧୁ ବ୍ୟବସାୟୀ ମାନେ କେମିକାଲ୍ ସ୍ପ୍ରେ କରି ଦୀର୍ଘ ଦିନ ରଖୁଛନ୍ତି । ଯାହାକି ମଣିଷ ଶରୀର ପାଇଁ କ୍ଷତିକାରକ ।
ସେହିଭଳି ସହରର ମାଛ ବଜାର ମଧ୍ୟ କେମିକାଲ ବଳୟରେ ରହିଛି । ମାଛକୁ ସତେଜ ରଖିବା ପାଇଁ ଆନ୍ଧ୍ର ଓ ଅନ୍ୟାନ୍ୟ ରାଜ୍ୟରୁ ଆସୁଥିବା ମାଛରେ ଫର୍ମାଲିନ ମିଶାଯାଉଛି । ଏହି ମାଛ ମଣିଷ ଶରୀରରେ ନାନା ରୋଗ ସୃଷ୍ଟି କରୁଥିବା ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ମତ ଦେଇଛନ୍ତି । ଏହା ବ୍ୟତୀତ ଅଫ୍ ସିଜିନରେ ମାର୍କେଟରେ ମିଳୁଥିବା ପୋଟଳ, ଟମାଟୋ, କାଙ୍କଡ଼, କଲରା ଆଦିରେ ରଙ୍ଗ ମିଶାଯାଇ ବିକ୍ରୀ କରାଯାଉଛି । ରାସ୍ତା କଡ଼ରେ ବିକ୍ରୀ ହେଉଥିବା ଫାଷ୍ଟଫୁଡ୍ ରେ ରଙ୍ଗ ନମିଶିଲେ ତାହା ବିକ୍ରୀ ହେଉନାହିଁ । ବଜାରରେ ପ୍ଲାଷ୍ଟିକ ଅଣ୍ଡା ଓ ଚାଉଳ ବିକ୍ରୀ ହେଉଥିବା ନେଇ ଖବର ପ୍ରଚାର ହେବା ପରେ ରାଉରକେଲା ଗୋଲଘର ଅଂଚଳରେ ପ୍ଲାଷ୍ଟିକ ଅଣ୍ଡା ବାହରିଥିଲା । ହେଲେ ଆଜିଯାଏ ତାର ଯାଂଚ ହେଲା ନାହିଁ । ଫାଷ୍ଟଫୁଡ ତିଆରି କରୁଥିବା ରାସ୍ତା କଡର ଦୋକାନୀ ମାନେ ଖୋଲା ଖୋଲି ଭାବେ ନକଲି ସସ୍ ବ୍ୟବହାର କରୁଛନ୍ତି । ପନି ପରିବା ଠାରୁ ଫଳ ଚାଉଳ ଯାଏ ସବୁ ସାମଗ୍ରୀ ଭେଜାଲ ହେଉଥିବା ନେଇ ଅଭିଯୋଗ ହେଉଥିଲେ ବି ଖାଦ୍ୟନୀରିକ୍ଷକ ଓ ସ୍ୱାସ୍ଥ୍ୟ ବିଭାଗ ଯେତିକି ତତ୍ପର ହେବା କଥା ତାହା ଦେଖାଯାଉନାହିଁ । ଅନ୍ୟପକ୍ଷରେ ଏଭଳି ଭେଜାଲ ବଜାରକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି, ମାତ୍ର ସେମାନେ ନିରୁପାୟ । ପୂର୍ବରୁ ଏଭଳି ସମସ୍ୟାକୁ ଦେଖି ଭିଜିଲାନ୍ସ ପକ୍ଷରୁ ମିଳିତ ଚଢ଼ଉ କରାଯାଉଥିଲା ମାତ୍ର ତାହା ମଧ୍ୟ ଏବେ ବନ୍ଦ । ମହାନଗରର ୨ଜଣ ଓଏସ କମିଶନର, ଜଣେ ଆଇଏସ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ତାଙ୍କ ଅଫସିରେ ଥିବା ଅଧିକାରୀ ମାନେ ଲୋକଙ୍କୁ ସେବା ଯୋଗାଇବାରେ ବିଫଳ ହୋଇଛନ୍ତି । ବିଭାଗିୟ ଉଚ୍ଚ କର୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି ।