ଭୁବନେଶ୍ୱର, କଟକ ଜିଲ୍ଲାର ଅରିଲୋ ଠାରେ ୨୬୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଓମ୍ଫେଡ୍ ର ଅତ୍ୟାଧୁନିକ ଦୁଗ୍ଧ ପ୍ରକ୍ରିୟାକରଣ କାରଖାନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଏହି ଅତ୍ୟାଧୁନିକ ପ୍ଲାଂଟରେ ଦୈନିକ ୫ ଲକ୍ଷ ଲିଟର କ୍ଷୀର ପ୍ରକ୍ରିୟା କରଣ କରାଯିବ ଏବଂ ଏଥିରୁ ଦୈନିକ ୨ ଲକ୍ଷ ଲିଟର ଦୁଗ୍ଧ ଗୁଣ୍ଡ ଉତ୍ପାଦିତ ହେବ । ଏହା ସହିତ ଉଚ୍ଚମାନର ଦହି, ଦୁଗ୍ଧ, ଲହୁଣି, ଲସି, ଘିଅ, ପନୀର ଓ ଫ୍ଲେବରଡ୍ ମିଲ୍କ ଉତ୍ପାଦନ କରାଯାଇ ଲୋକଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯିବ ।
ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଓମ୍ଫେଡ୍ ହେଉଛି ରାଜ୍ୟର ଲକ୍ଷ ଲକ୍ଷ ଦୁଗ୍ଧ ଚାଷୀ ମାନଙ୍କର ନିଜ ଅନୁଷ୍ଠାନ । ଏହାର ବିକାଶରେ ସବୁ ଚାଷୀ ଭାଇ ଭଉଣୀ ମାନଙ୍କର ଅବଦାନ ରହିଛି । ଓମ୍ଫେଡ୍ ମଧ୍ୟ ସବୁବେଳେ ଚାଷୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ କାମ କରିଆସୁଛି । ଆଜିର ଏହି ନୂଆ ପ୍ଲାଂଟ ଉଦଘାଟନ ଦ୍ୱାରା ଚାଷୀ ମାନଙ୍କର ରୋଜଗାର ବଢିବ ଓ ପ୍ରାୟ ୬ ଲକ୍ଷ ଚାଷୀ ଉପକାର ପାଇବେ ।
ମୁଖ୍ୟମନ୍ତ୍ରୀ କହିଲେ ଯେ ଆମର ସବୁ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି ଚାଷୀ ଭାଇର ରୋଜଗାର ବଢାଇବା । ଏଥିପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ରାଜ୍ୟରେ ଡାଇରୀ ଫାର୍ମ ଓ ପ୍ରୋସେସିଂ ୟୁନିଟ୍ ପ୍ରତିଷ୍ଠା ପାଇଁ ଯେପରି ଯୁବ ସମାଜ ଆଗେଇ ଆସିବେ ସେଥିପାଇଁ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଦେଉଛନ୍ତି । ତେଣୁ ସରକାରଙ୍କର ବିଭିନ୍ନ କାର୍ଯ୍ୟକ୍ରମର ସୁଯୋଗ ନେଇ ରାଜ୍ୟର ବିକାଶରେ ଭାଗୀଦାର ହେବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଥିଲେ ।
ପୁଷ୍ଟି ନିରାପତାରେ ଦୁଗ୍ଧର ଗୁରୁତ୍ୱ ବିଷୟରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଆହ୍ୱାନ ଜଣାଇଥିଲେ ଏବଂ ଶ୍ୱେତ ବିପ୍ଳବ ଆଣିବା ପାଇଁ ସରକାରଙ୍କ ଉଦ୍ୟମରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ରାଜ୍ୟରେ ଓମ୍ଫେଡ୍ ର ଦୁଗ୍ଧ ସଂଗ୍ରହ କ୍ଷମତା ଦୈନିକ ୧୦ ଲକ୍ଷ ଲିଟରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ସୂଚନାଯୋଗ୍ୟ ଯେ ଗତ ଦୁଇ ଦଶକରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ତିନିଗୁଣ ବୃଦ୍ଧି ପାଇଛି । ୨୦୦୦ ମସିହାରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ୮ଲକ୍ଷ ୭୫ ହଜାର ମେଟ୍ରିକ ଟନ୍ ଥିବାବେଳେ ୨୦୨୦ ରେ ଏହା ୨୩ ଲକ୍ଷ ୭୦ ହଜାର ମେଟ୍ରିକ ଟନ୍ କୁ ବୃଦ୍ଧି ପାଇଛି । ବର୍ତମାନ ଓମ୍ଫେଡ୍ ଦ୍ୱାରା ଦୈନିକ ସଂଗୃହିତ ୫ ଲକ୍ଷ ଲିଟର ଦୁଗ୍ଧ ଓମ୍ଫେଡ୍ର ୪୦୫ ଟି ଶୀତଳୀକରଣ କେନ୍ଦ୍ରରେ କରାଯାଉଛି ଏବଂ ୧୩ ଟି ପ୍ଲାଂଟରେ ପ୍ରକ୍ରିୟାକରଣ କରାଯାଉଛି ।
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭାଗୀୟ ମନ୍ତ୍ରୀ ଡ. ଅରୁଣ ସାହୁ ରାଜ୍ୟରେ କୃଷି ଓ ଆନୁସଙ୍ଗିକ କୃଷିର ବିକାଶ କ୍ଷେତ୍ରରେ ସରକାର ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ସଂଗୃହିତ ଦୁଗ୍ଧର ଉପଯୁକ୍ତ ବିକ୍ରି ଓ ଉଚିତ ମୂଲ୍ୟ ପାଇବା ହେତୁ ଦୁଗ୍ଧ ଚାଷୀଙ୍କ ଆୟରେ ଉଲ୍ଲେଖନୀୟ ବୃଦ୍ଧି ଘଟିବେ ବୋଲି ସେ ଆଶା ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଙ୍କି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା, ଏନଡିଡିବିର ଅଧ୍ୟକ୍ଷ ଓ ବିଭାଗୀୟ ଶାସନ ସଚୀବ ପ୍ରମୁଖ ଯୋଗ ଦେଇଥିଲେ ।