ଭଦ୍ରକ – ଭଦ୍ରକ ଜିଲା ଏବେ ସମଗ୍ର ରାଜ୍ୟରେ ବେଆଇନ୍ ଗୋ-ଚାଲାଣର ପେଣ୍ଠସ୍ଥଳୀ ପାଲଟିଥିବାବେଳେ ଗତକାଲି ବିଳମ୍ବିତ ରାତିରେ ପୁଣି ଭଦ୍ରକ ସହରାଞ୍ଚଳ ଥାନା ଅଧୀନସ୍ଥ ୧୬ନଂ ଜାତୀୟ ରାଜପଥର ମୋଟେଲ ଛକରୁ ଆଉ ଏକ ଗୋରୁ ବୋଝେଇ ଓଡି-୦୧ଡି-୩୫୬୩ ନମ୍ବରର ପିକ୍-ଅପ୍ ଭ୍ୟାନ୍କୁ ସ୍ଥାନୀୟ ଯୁବକମାନେ ଅଟକାଇ ପୁଲିସ୍ର ଜିମା ଦେଇଛନ୍ତି । ଏହି ଗୋରୁ ବୋଝେଇ ଗାଡିରୁ ୩୫ଟି ଗୋରୁକୁ ଉଦ୍ଧାର କରାଯାଇଛି । ଯାହା ଜଣାଯାଏ ଏହି ଜିଲାର ସଦର ମହକୁମାଟି ୧୬ନଂ ଜାତୀୟ ରାଜପଥ ପାଶ୍ୱର୍ରେ ଅବସ୍ଥିତ ଥିବାରୁ ଗୋ-ମାଫିଆମାନେ ଏହାକୁ ମାଧ୍ୟମ କରି ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ଗୋରୁଗୁଡିକୁ ପଡୋଶୀ ପଶ୍ଚିମବଙ୍ଗକୁ ଚାଲାଣ କରିଆସୁଛନ୍ତି । ଏହି କାର୍ଯ୍ୟରେ ପୁଲିସ୍ ବିଭାଗର କେତେକ ଅସାଧୁ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ବହୁ ଅସାମାଜିକ ଯୁବକ ଜଡିତ ଅଛନ୍ତି । ଏମାନେ ଆଖୁଆପଦା ଠାରୁ ପଶ୍ଚିମବଙ୍ଗ ସୀମାରେଖା ପର୍ଯ୍ୟନ୍ତ ଏହି ବେଆଇନ୍ ଗୋରୁ ଗାଡିଗୁଡିକ ସୁରକ୍ଷା ଦେଇ ଚାଲାଣ କରିବାର ସହାୟତା କରୁଛନ୍ତି । ଏହି କାର୍ଯ୍ୟରେ ବହୁ ମାଫିଆମାନେ କୋଟି କୋଟି ଟଙ୍କା ପୁଲିସ୍ ଠାରୁ ଆରମ୍ଭ କରି ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ବେଆଇନ୍ ଭାବେ ଦେଇଆସୁଛନ୍ତି । ଏହି ଗୋରୁ ଦଲାଲ ମାନେ ବଡ ବଡ ୧୮ ଚକିଆ କଂଟେନରରେ ମଧ୍ୟ ଏହି ଗୋରୁଗୁଡିକୁ ଅତ୍ୟନ୍ତ ନିର୍ମମ ଭାବେ ନେଉଥିବାବେଳେ ପୁଲିସ୍ ତାର ସୁରାଗ ପାଉନାହିଁ । ତେବେ ଗତକାଲି ବିଳମ୍ବିତ ରାତିରେ ଉପରୋକ୍ତ ଗୋରୁବୋଝେଇ ପିକ୍ଅପ୍ ଭ୍ୟାନଟି ପାଣିକୋଇଲିରୁ ପଶ୍ଚିମବଙ୍ଗ ଆସୁଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ସ୍ଥାନୀୟ ଯୁବକମାନେ ଏହି ଗାଡିଟିକୁ ମୋଟେଲ ଛକଠାରେ ଅଟକାଇଥିଲେ । ଏହି ଘଟଣାଟିକୁ ନେଇ କିଛି ସମୟ ଧରି ସେଠାରେ ଦଲାଲମାନଙ୍କ ସହ ଯୁବକମାନଙ୍କର ବାକ୍ବିତଣ୍ଡା ହୋଇ ଉତେଜନା ଦେଖାଦେଇଥିଲା । ଖବର ପାଇ ସହରାଂଚଳ ଥାନା ପୁଲିସ୍ ସେଠାରେ ପହଂଚି ଗୋରୁଗୁଡିକୁ ଉଦ୍ଧାର କରିବା ସହ ଗାଡି ଚାଳକ ଓ ଗାଡିଟିକୁ ଅଟକ ରଖି ତଦନ୍ତ ଚଳାଇଛି ।
Related Stories
November 3, 2024