ନୂଆପଡା, ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଘଣ୍ଟିଗୁଡା ପଞ୍ଚାୟତ ତରଫରୁ ସ୍ଥାନୀୟ ଚଲନା ଶିବ ମନ୍ଦିର ପ୍ରାଙ୍ଗଣରେ ଏକ ଗ୍ରାମ୍ୟ ପାର୍କ ନିର୍ମାଣ ହେଉଥିବା ବେଳେ ନିର୍ମାଣ କାର୍ଯ୍ୟରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଉକ୍ତ କାର୍ଯ୍ୟ ବିନା ସୂଚନା ଫଳକରେ ହେବା ସହ ନିମ୍ନମାନର ହେଉଥିବା ବେଳେ ଦୁର୍ନୀତିକୁ ଲୁଚାଇବା ପାଇଁ ଅସମ୍ପୂର୍ଣ୍ଣ ଅବସ୍ଥାରେ ଥିବା ଫଟା କାନ୍ଥବାଡ଼ ଉପରେ ଚୁନଲେପ ଦିଆଯାଉଥିବା ଦେଖିବାକୁ ମିଳିଛି। ସରକାରଙ୍କ ନିର୍ଦ୍ଧେଶ ଅନୁସାରେ ଯେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ରେ ସାଧାରଣ ଜନତାଙ୍କ ଅବଗତି ନିମନ୍ତେ କାର୍ଯ୍ୟର ସବିଶେଷ ବିବରଣୀ ଆଧାରିତ ଏକ ସୂଚନା ଫଳକ ଦେବାର ବ୍ୟବସ୍ଥା ରହିଛି। କିନ୍ତୁ ଏଠାରେ ତାର ବ୍ୟତିକ୍ରମ ଦେଖାଯାଇଛି। ଉକ୍ତ କାର୍ଯ୍ୟଟି ଅଠର ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ହେଉଥିବା ଜଣାପଡିଛି। ସେହିପରି ନିର୍ମାଣ କାର୍ଯ୍ୟ ମଧ୍ୟ ନିମ୍ନମାନର ହେଉଛି, ବାଡ଼ ନିର୍ମାଣରେ ନିର୍ଦ୍ଧାରିତ ଅନୁପାତରେ ବାଲିରେ ସିମେଣ୍ଟ ଦିଆଯାଉ ନାହିଁ।ଫଳରେ କାନ୍ଥର ପ୍ଲାଷ୍ଟର ହାତରେ ଘସିଦେଲେ ଖସି ପଡୁଛି। କାନ୍ଥରେ ପାଣି ମଧ୍ୟ ସିଞ୍ଚନ କରାଯାଇ ନାହିଁ। ଫଳରେ କାନ୍ଥର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଏହି ପାର୍କର ବାଡ଼ ନିର୍ମାଣରେ ମୋଟ ୫୨ ଗୋଟି କଲମ କରାଯାଇ ଥିବା ବେଳେ ୪୭ ଗୋଟି କାନ୍ଥଖଣ୍ଡ ନିର୍ମାଣ ହେଉଛି। ହେଲେ ନିମ୍ନମାନର ନିର୍ମାଣ ଯୋଗୁଁ ୨୧ ଖଣ୍ଡ କାନ୍ଥ ରେ ଫାଟ ଦେଲାଣି। ନିର୍ମାଣ ନସରୁଣୁ ନୂତନ କାନ୍ଥରେ ଫାଟ କୁ ନେଇ ନିମ୍ନମାନର କାର୍ଯ୍ୟ ବୋଲି ବିଭିନ୍ନ ମହଲରେ ଅଭିଯୋଗ ହେଉଛି। ଏ ବିଷୟକୁ ନେଇ ସିନାପାଲି ବିଡ଼ିଓ ଙ୍କୁ ଅବଗତ କରାଯାଇଥିବା ବେଳେ ତାର ପୁନଃନିର୍ମାଣ କରାଯିବ ବୋଲି ପ୍ରକାଶ କରି ତୁରନ୍ତ କର୍ଯ୍ୟସ୍ଥଳ କୁ ପରିଦର୍ଶନରେ ଯାଇ ତାଗିଦ କରିଥିବା ଜଣାପଡ଼ିଛି।କିନ୍ତୁ ବିଡ଼ିଓଙ୍କ ତାଗିଦ ପରେ ଉକ୍ତ ନିମ୍ନମାନ ରେ ନିର୍ମାଣ କାର୍ଯ୍ୟ ର ଖସୁଥିବା ପ୍ଲାଷ୍ଟର ଓ ଫାଟକୁ ଲୁଚାଇବା ପାଇଁ ନିର୍ମାଣ ଦାଇତ୍ୱରେ ଥିବା ସ୍ଥାନୀୟ ସରପଞ୍ଚ ତଥା ବ୍ୟକ୍ତି ବିଶେଷ ଚୁନଲେପ ଦିଆଯାଉଥିବା ଦେଖିବାକୁ ମିଳିଛି। ଏଠାରେ ସୂଚନାଯୋଗ୍ୟ ଯେ ନିର୍ମାଣଧୀନ ଥିବା ଅସମ୍ପୂର୍ଣ୍ଣ କାନ୍ଥବାଡ଼ରେ ଚୁନଲେପ ଦେବାର ଅସଲ ଉଦ୍ଧେଶ୍ୟ କଣ ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟ ପକ୍ଷରେ ଦୁର୍ନୀତିକୁ ଲୁଚାଇବାର ଏହା ଏକ ପ୍ରଶାସନିକ ତରିକା ବୋଲି ଚର୍ଚ୍ଚା ଜୋର ଧରିଛି। ନୂଆପଡା ଜିଲାପାଳ ଗତ ୫ତାରିଖ ଦିନ ସିନାପାଲି ଗସ୍ତରେ ଆସି ଏହି ପାର୍କ ପରିଦର୍ଶନ କରି ଠିକ ଭାବେ କାର୍ଯ୍ୟ ସମ୍ପାଦନ କରିବା ପାଇଁ ସ୍ଥାନୀୟ ସରପଞ୍ଚ,କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବିଭାଗୀୟ ଅଧିକାରୀ ଙ୍କୁ ତାଗିଦ କରିଥିଲେ। ହେଲେ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ ଏଠାରେ ପାଣିର ଗାର ପାଲଟି ଯାଇଛି। ନିର୍ମାଣ ଦାୟିତ୍ୱରେ ଥିବା ସ୍ଥାନୀୟ ସରପଞ୍ଚ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବିଭାଗୀୟ ଅଧିକାରୀ କର୍ମଚାରୀ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କୁ ଖାତିର କରୁନାହାନ୍ତି। ଏଣୁ ନୂଆପଡା ଜିଲାପାଳ ପୁନଃ ଏହି ପାର୍କ କୁ ନିଜେ ପରିଦର୍ଶନରେ ଆସି ନିମ୍ନମାନର ନିର୍ମାଣ କାର୍ଯ୍ୟ ତଦାରଖ କରି ସଂପୃକ୍ତ ଅଧିକାରୀ ଓ ଜନପ୍ରତିନିଧି ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି। ପୁଣି ଏଠାରେ ଲକ୍ଷାଧିକ ଟଙ୍କା ଅଟକଳ ମୂଲ୍ୟରେ ଏକ ସ୍ୱିମିଙ୍ଗ ପୁଲ ନିର୍ମାଣ କରାଯିବାର ମଧ୍ୟ ଯୋଜନା ରହିଛି। ସ୍ୱିମିଙ୍ଗ ପୁଲ ପାଇଁ ଗାତ ଖନନ ମଧ୍ୟ ଆରମ୍ଭ ହୋଇଛି। ସେହି ଖନନ ମାଟିକୁ ପାର୍କ ସମ୍ମୁଖରେ ଓ ମନ୍ଦିର ପରିସରରେ ପକାଇ ସମତୁଲ କରିବାର ଆବଶ୍ୟକ ମଧ୍ୟ ରହିଛି। କିନ୍ତୁ ଦୁଃଖର ବିଷୟ ସ୍ଥାନୀୟ ସରପଞ୍ଚ , କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବିଭାଗୀୟ ଅଧିକାରୀ କର୍ମଚାରୀ ଙ୍କ ମଧୁଚନ୍ଦ୍ରିକାରେ ସେହି ଖନନ ମାଟିକୁ ଅନ୍ୟତ୍ର ସ୍ଥାନାନ୍ତର କରି ରାସ୍ତାନିର୍ମାଣ କରାଯାଉଛି। ତାହା ମଧ୍ୟ ବିନା ଅନୁମୋଦନ କ୍ରମେ ଚାଲିଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ଭୈରବ ଚରଣ ବାଗ ପ୍ରକାଶ କରିଛନ୍ତି। ସରକାରୀ ନିୟମ ଅନୁସାରେ ବିନା ଅନୁମୋଦନ ରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ନହେବା କଥା। କିନ୍ତୁ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ଜାଣତରେ କିପରି ଉନ୍ନୟନ ମୂଳକ କାର୍ଯ୍ୟ ଚାଲିଛି ,ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏସବୁ ନେଇ ସ୍ଥାନୀୟ ଲୋକେ ପ୍ରତିବାଦ କରିବାରୁ ଉକ୍ତ କାର୍ଯ୍ୟକୁ କିଛିଦିନ ସ୍ଥଗିତ କରି ପୁଣି କାର୍ଯ୍ୟ ସମ୍ପାଦନ କରିଥିବା ଜଣାପଡିଛି। ପ୍ରକାଶ ଯୋଗ୍ୟ ଏଠାରେ ଯେ ବିଭାଗୀୟ ଅଧିକାରୀ ଏବଂ ସ୍ଥାନୀୟ ଜନପ୍ରତିନିଧି ଙ୍କ ମନମୁଖୀରେ ଏକଚାଟିଆ କାରବାର ଚାଲିଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ ଉକ୍ତ ସ୍ଥାନରେ ପାରଦେଶ୍ୱର ଶିବମନ୍ଦିର ଥିବାରୁ ପ୍ରତିବର୍ଷ ଶୀତଳ ଷଷ୍ଠୀ ବା ଶିବ ବିବାହ କାର୍ଯ୍ୟକ୍ରମ ମହା ସମାରୋହରେ ପାଳିତ ହୋଇଥାଏ।ଦୁରଦୁରାନ୍ତରୁ ହଜାର ହଜାର ଲୋକଙ୍କ ଏଠାରେ ସମାଗମ ଦେଖିବାକୁ ମିଳିଥାଏ। ଉକ୍ତ ସ୍ଥାନରେ ପାର୍କ ଓ ସ୍ୱିମିଙ୍ଗପୁଲ ନିର୍ମାଣ ହେବା ଦ୍ୱାରା ବହୁତ ଆକର୍ଷଣୀୟ ହୋଇପାରିବ ଏବଂ ଆଗାମୀ ଦିନରେ ଆହୁରି ଅଧିକା ଜାକଜମକରେ କାର୍ଯ୍ୟକ୍ରମ ପାଳିତ ହୋଇପାରିବ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଏଣୁ ବ୍ଲକ ତଥା ଜିଲ୍ଲା ପ୍ରଶାସନ ଏହି ନିର୍ମାଣ କାର୍ଯ୍ୟ ପ୍ରତି ଦୃଷ୍ଟି ଦେଇ ଦୁର୍ନୀତି ଗ୍ରସ୍ତ ଅସାଧୁ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି।