କନ୍ଧମାଳ – ଆଜି ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ଭଗବାନ ପ୍ରଧାନ ଏଲକ ଲାଂଚ ନେବା ମାମଲାର ବିଚାରଣ କରି ସାଖ୍ୟ ଓ ପ୍ରମାଣ ଆଧାରରେ ମାମଲାର ଅଭିଯୁକ୍ତ ଗୁଟିଙ୍ଗିଆ ପଂଚାୟତ ନିର୍ବାହୀ ଅଧିକାରୀ ସୁଧିନ୍ଦ୍ର ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ ଏବଂ ୧୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ତାଙ୍କୁ ଆଉ ୬ ମାସ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ନିଜ ରାୟରେ ପ୍ରକାଶ କରିଛନ୍ତି ବିଚାରପତି । ୨୦୧୫ ମସିହାରେ ଗୁଟିଙ୍ଗିଆ ପଂଚାୟତ କାର୍ଯ୍ୟାଳୟଠାରୁ ଗୁଡ୍ରିପଡି ଗ୍ରାମ ପର୍ଯ୍ୟନ୍ତ (ମନରେଗା)ଯୋଜନାରେ ଏକ ମାଟି ରାସ୍ତା ନିର୍ମାଣ ହୋଇଥିଲା । ଏହି କାମର ମଷ୍ଟରରୋଲ ଜରିଆରେ ବିଲ କରାଯାଇ ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ସେହି କାମର ବଳକା ୫୦ ହଜାର ଟଙ୍କାର ମଷ୍ଟରରୋଲ ତିଆରି କରିବାପାଇଁ ସେହି ପଂଚାୟତର ଗାଁସାଥି କୁବେର ପ୍ରଧାନ ୮/୧୦/୨୦୧୫ ତାରିଖ ଅପରାହ୍ନ ୨ଟାବେଳେ ନିର୍ବାହୀ ଅଧିକାରୀ ସୁଧିନ୍ଦ୍ର ସାହୁଙ୍କ ନିକଟକୁ ଯାଇଥିଲେ । ନିର୍ବାହୀ ଅଧିକାରୀ ସୁଧିନ୍ଦ୍ର ସାହୁ ଏହି କାମ କରିବାପାଇଁ କୁବେରଙ୍କୁ ୧୦ ହଜାର ଟଙ୍କା ଲାଂଚ ମାଗିଥିଲେ । ଏନେଇ କୁବେର ଫୁଲବାଣୀ ଭିଜିଲାନ୍ସ ବିଭାଗରେ ଏକ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ଭିଜିଲାନ୍ସ ବିଭାଗ ଏକ ମାମଲା ୪୮/୨୦୧୫ ରୁଜ୍ଜୁ କରିଥିଲା । ୮/୧୦/୨୦୧୫ତାରିଖ ଦିନ ସଂନ୍ଧ୍ୟା ପ୍ରାୟ ୫ଟାରେ କୁବେର ଭିଜିଲାନ୍ସ ବିଭାଗର ଯୋଜନା ଅନୁସାରେ ପଂଚାୟତ କାର୍ଯ୍ୟାଳୟରେ ସୁଧିନ୍ଦ୍ରଙ୍କୁ ୧୦ ହଜାର ଟଙ୍କା ଦେବାବେଳେ ଭିଜିଲାନ୍ସ ବିଭାଗ ସେଠାରେ ପହଂଚି ତାଙ୍କଠାରୁ ସେହି ଟଙ୍କା ଜବତ କରିବାସହ ସୁଧିନ୍ଦ୍ରଙ୍କୁ କୋର୍ଟ ଚାଲାଣ କରିଥିଲା । ଆଜି ସେହି ମାମଲାର ବିଚାରଣ କରି ମାନ୍ୟବର ବିଚାରପତି ଉପୋରୋକ୍ତ ରାୟ ଶୁଣାଇଛନ୍ତି । ସରକାରଙ୍କ ତରଫରୁ ମାମଲାର ପରିଚାଳନା ସ୍ୱତନ୍ତ୍ର ପିପି ସୁରେଶ କୁମାର ମହାପାତ୍ର କରିଥିଲେ ।