
ଆଜିଠାରୁ ପୁରୀ ପୌରାଞ୍ଚଳ ବାସୀନ୍ଦାଙ୍କ ପାଇଁ ଲାଗୁ ହେଲା ଜଗା ଦର୍ଶନ ପାଇଁ ନୂତନ ମାର୍ଗଦର୍ଶିକା। ଏଣିକି ସେମାନେ ଆଉ ଲମ୍ବା ଲାଇନରେ ସିଂହଦ୍ଵାର ପଟେ ପ୍ରବେଶ ନକରି ପଶ୍ଚିମଦ୍ୱାର ଦେଇ ଶ୍ରୀମନ୍ଦିର ଯିବେ। କୋଭିଡ୍ କଟକଣା ସହ ସାଙ୍ଗରେ ଟିକାର ଦୁଇଟି ଡୋଜ୍ ନେଇଥିବା ପ୍ରମାଣପତ୍ର କିମ୍ବା ଆରଟିପିସିଆର୍ ନେଗେଟିଭ୍ ରିପୋର୍ଟ ଦେଖାଇ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ପ୍ରଶାସନର ଏଭଳି ନିଷ୍ପତ୍ତିକୁ ପୁରୀବାସୀ ସ୍ୱାଗତ କରିଥିବା ବେଳେ ଦକ୍ଷିଣ ଓ ଉତ୍ତରଦୁଆର ଖୋଲିଲେ ଜଗା ଦର୍ଶନରେ ଆହୁରି ସୁବିଧା ହେବବୋଲି ପ୍ରଶାସନକୁ ନିବେଦନ କରିଛନ୍ତି। ଦୀର୍ଘମାସ ପରେ ଶୃଙ୍ଖଳିତ ଓ ସୁରୁଖୁରୁରେ ମହାପ୍ରଭୁଙ୍କ ଦର୍ଶନ କଲେ ପୁରୀବାସୀ। ପଶ୍ଚିମଦ୍ବାର ଦେଇ ଶ୍ରୀମନ୍ଦିର ପ୍ରବେଶ କରି ଉତ୍ତରଦୁଆର ଦେଇ ପ୍ରସ୍ଥାନ କରୁଛନ୍ତି ପୁରୀ ଅଧିବାସୀ। ବିଭିନ୍ନ ସ୍ତରରୁ ଦାବି ଜୋର୍ ଧରିବା ପରେ ପ୍ରଶାସନ ତରଫରୁ ପୌରାଞ୍ଚଳ ଅଧିବାସୀଙ୍କ ପାଇଁ ଜାରି ହୋଇଛି ନୂତନ ମାର୍ଗଦର୍ଶିକା। ପୂର୍ବରୁ ପୁରୀବାସୀ ମାନେ ସାଧାରଣ ଭକ୍ତଙ୍କ ଭଳି ଶ୍ରୀମନ୍ଦିର ସିଂହଦ୍ଵାର ବାଟେ ଲମ୍ବା ଲାଇନରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଥିଲେ ଯାହାକି ସେମାନଙ୍କ ପାଇଁ କଷ୍ଟସାଧ୍ୟ ଥିଲା। କିନ୍ତୁ ଦୁଇଦୁଇଥର ରଥଯାତ୍ରା ନଦେଖି ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ ପୁରୀବାସୀ କରିଥିବାରୁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ଵ୍ୟଵସ୍ଥା ଲାଗୁ କରାଯାଇଛି। ଆଜି ସକାଳୁ ସକାଳୁ ପୁରୀ ଅଧିବାସୀ ମାନେ ଶୃଙ୍ଖଳିତ ଭାବେ ପଶ୍ଚିମଦ୍ବାର ନିକଟରେ ହୋଇଥିବା କିଓସ୍କୋରେ ନିଜନିଜର ପରିଚୟପତ୍ର ସହ କୋଭିଡ୍ ନେଗେଟିଭ୍ ରିପୋର୍ଟ ଓ ଦୁଇଟି ଡୋଜ୍ ନେଇଥିବା ଟିକାର ପ୍ରମାଣପତ୍ର ଦେଖାଇ ଶ୍ରୀମନ୍ଦିର ପ୍ରବେଶ କରିଛନ୍ତି। ପ୍ରଶାସନର ଏଭଳି ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥାକୁ ନେଇ ପୁରୀବାସୀ ଆତ୍ମସନ୍ତୋଷ ପ୍ରକାଶ କରିଥିବା ବେଳେ ଅନେକ ସ୍ଥାନୀୟ ଭକ୍ତ ଅନ୍ୟ ଦୁଇଦୁଆର ଯଥା ଉତ୍ତର ଓ ଦକ୍ଷିଣ ଦୁଆର ଉନ୍ମୁକ୍ତ କରିବାକୁ ନିବେଦନ କରିଛନ୍ତି। ଉତ୍ତରଦୁଆର ଓ ଦକ୍ଷିଣ ଦୁଆର ନିକଟରେ ରହୁଥିବା ପୁରୀ ଅଧିବାସୀଙ୍କ ପାଇଁ ପଶ୍ଚିମଦ୍ବାର ଦେଇ ଶ୍ରୀମନ୍ଦିର ଯିବା ଟିକିଏ କଷ୍ଟସାଧ୍ୟ ବୋଲି ଅନେକ ବୃଦ୍ଧବୃଦ୍ଧା ପ୍ରତିକ୍ରିୟା ରଖିଛନ୍ତି। ଆଜି ସକାଳୁ ସକାଳୁ ନୂତନ ମାର୍ଗଦର୍ଶିକା ଅନୁଯାୟୀ ଆରମ୍ଭ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୁରୀ ଜିଲ୍ଲାପାଳ, ଏସପି,ଉପଜିଲ୍ଲାପାଳ ଓ ଶ୍ରୀମନ୍ଦିର ପ୍ରଶାସନର ଉଚ୍ଚପଦସ୍ଥ ଅଧିକାରୀ ମାନେ। କିଭଳି ଶୃଙ୍ଖଳିତ ଭାବରେ ସ୍ଥାନୀୟ ଅଧିବାସୀ ମାନେ ମହାପ୍ରଭୁଙ୍କ ଦର୍ଶନ କରିବେ ସେନେଇ ଗତକାଲି ଠାରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଆଜି ଏହାକୁ ତଦାରଖ କରିଛନ୍ତି ପ୍ରଶାସନିକ ଅଧିକାରୀ ମାନେ। ପୌରାଞ୍ଚଳ ବାସୀଙ୍କ ପାଇଁ ଆରମ୍ଭ ହୋଇଥିବା ନୂତନ ଦର୍ଶନ ବ୍ୟବସ୍ଥାର ପ୍ରଥମ ଦିନରେ ସ୍ଥାନୀୟ ଅଧିବାସୀ ମାନେ ଶୃଙ୍ଖଳିତ ଭାବେ କୋଭିଡ୍ କଟକଣାକୁ ମାନି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଥିବା ଉପଜିଲ୍ଲାପାଳ କହିଛନ୍ତି। ନୂତନ ମାର୍ଗଦର୍ଶିକା ଅନୁଯାୟୀ ଦର୍ଶନ ବ୍ୟବସ୍ଥାର ପ୍ରଥମ ଦିନରେ ବେଶ୍ ଶୃଙ୍ଖଳା ପରିଲକ୍ଷିତ ହୋଇଥିବା ବେଳେ ଅନ୍ୟ ଦୁଆର ସ୍ଥାନୀୟ ଅଧିବାସୀ ମାନଙ୍କ ପାଇଁ ଖୋଲିବାକୁ ବିଭିନ୍ନ ସ୍ତରରୁ ଦାବି ଉଠୁଛି।