ଭଦ୍ରକ – ସରକାରଙ୍କ ଗାଇଡ୍ ଲାଇନ୍ ଅନୁସାରେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଆତ୍ମନିର୍ଭରଶୀଳ ହେବା ପାଇଁ ବିଭିନ୍ନ ବ୍ୟାଙ୍କ ମାନଙ୍କରୁ ଋଣ ନେଇ ତାହା ପରିଶୋଧ ପରେ ପୁନଶ୍ଚ ଋଣ ଚାହିଁଥାନ୍ତି ଅଧିକ କିଛି କରିବା ପାଇଁ । କିନ୍ତୁ ଏପରି ସ୍ଥଳେ ଆଜି ଏହି ଜିଲାର ମଂଜୁରୀରୋଡ୍ ସ୍ଥିତ ଆଲ୍ଲାହାବାଦ ବ୍ୟାଙ୍କ ଏହି ଗୋଷ୍ଠୀଙ୍କୁ ପ୍ରତାରିତ କରି ପଡିଛି ହରଡଘଣାରେ । ଉତ୍ତ୍ୟକ୍ତ ମହିଳାମାନେ ଆଜି ପ୍ରତିବାଦ ସ୍ୱରୂପ ବ୍ୟାଙ୍କଟିରେ ଚାବି ପକାଇଦେବା ଭଳି ଅଭାବନୀୟ ଘଟଣା ଘଟାଇଛନ୍ତି । ପ୍ରାତଃ ଖବରରୁ ଯାହା ଜଣାଯାଏ ଏହି ଅଂଚଳର ମା’ ବାଗେଶ୍ୱରୀ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଉକ୍ତ ବ୍ୟାଙ୍କରୁ ନେଇଥିବା ୨ ଲକ୍ଷ ଟଙ୍କାର ପୁରୁଣା ଋଣ ସୁଧ ମୂଳ ସହିତ ପରିଶୋଧ କରିଥିଲେ । ଏବଂ ଆଠ ମାସ ତଳୁ ଆଉ ଏକ ଲୋନ୍ ପାଇଁ ଆବେଦନ କରିଥିଲେ । କିନ୍ତୁ ଏହି ବ୍ୟାଙ୍କର ମ୍ୟାନେଜର ସେମାନଙ୍କୁ ଋଣ ନଦେଇ ବାରମ୍ବାର ବିଭିନ୍ନ ଆଳରେ ବ୍ୟାଙ୍କକୁ ଦୌଡାଉଥିଲେ । ଫଳରେ ଆଜି ସଂପୃକ୍ତ ସ୍ୱୟଂ ସହାୟିକା ଗୋଷ୍ଠୀର ସମସ୍ତ ମହିଳା ବାଧ୍ୟହୋଇ ଆଇନ୍କୁ ହାତକୁ ନେଇ ଉକ୍ତ ବ୍ୟାଙ୍କରେ ଚାବି ପକାଇଦେଇଥିଲେ । ପରେ ପୁଲିସ୍ ହସ୍ତକ୍ଷେପ ଫଳରେ ସେମାନଙ୍କ ସମସ୍ୟାର ସମାଧାନର ପ୍ରତିଶ୍ରୁତି ମିଳିବା ପରେ ତାଲାପକା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।
Related Stories
November 28, 2024
November 28, 2024