ପାରାଦୀପ – ପ୍ରଳୟଙ୍କାରୀ ମହାବାତ୍ୟା ୨୧ ବର୍ଷରେ ପାଦ ଥାପିଛିି । ହେଲେ ପାରାଦୀପ ସମୁଦ୍ରର ଅତି ନିକଟରେ ରହୁଥିବା ଷଣ୍ଢକୁଦ ବସ୍ତିବାସୀନ୍ଦା ସେହିଦିନ ବାତ୍ୟାର କରାଳ ରୁପକୁ ଏଯାଏ ଭୁଲିପାରି ନାହାନ୍ତି । ଏହା ଭିତରେ ୨୦ ବର୍ଷ ବିତି ଯାଇଥିଲେ ମଧ୍ୟ ସେଠାରେ ବାତ୍ୟା ଆଶ୍ରୟ ସ୍ଥଳ ଟିଏ ନିର୍ମାଣ ହୋଇ ପାରିନାହିଁ । କେବଳ ଫଳକ ମାରିଦେଇ ପ୍ରଶାସନ ଚୁପ୍ ହୋଇ ବସିଯାଇଛି । ଯାହାକୁ ନେଇ ବସ୍ତି ବାସୀନ୍ଦାଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଅନ୍ୟପଟେ ସେହି ସ୍ମୃତିକୁ ମନେ ରଖିବା ପାଇଁ ତତକାଳିନ ପାରାଦୀପ ବନ୍ଦର ଅଧ୍ୟକ୍ଷ ମଧୁବନ ଠାରେ ନିର୍ମାଣ କରିଥିଲେ ସ୍ମୃତି ଉଦ୍ୟାନ । ସେହିଭଳି ସାମୁଦ୍ରିକ ଝଡ ଓ ପାଣିପାଗ ସଂପର୍କରେ ଆଗୁଆ ସୁଚନା ପାଇବା ପାଇଁ କେନ୍ଦ୍ର ସରକାର ପାରାଦୀପରେ ପ୍ରତିÂା କରିଛନ୍ତି ଡାପଲର ରାଡାର କେନ୍ଦ୍ର୍ର । ଯାହା ଅନେକ ସମୟରେ ପ୍ରାୟତଃ ଅଚଳ ହୋଇରହିଥାଏ ।
୧୯୯୯ ମସିହା ଅକ୍ଟୋବର ୨୯ ତାରିଖ ଠିକ୍ ଆଜିର ଦିନରେ ପ୍ରଳୟଙ୍କାରୀ ମହାବାତ୍ୟା ପାରାଦୀପ ବାସୀଙ୍କ ପାଇଁ ଏକ ଅଭୁଲା ଦିନ । ଖାସ୍ କରି ସମୁଦ୍ର କୂଳର ଅତି ନିକଟରେ ରହୁଥିବା ଷଣ୍ଢକୁଦ ବାସୀଙ୍କର ଏଥିରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଥିଲା । ସମୁଦ୍ରକୂଳର ବାଲି ଉପରେ ଗଢି ଉଠିଛି ଏହି ଷଣ୍ଢକୁଦ ବସ୍ତି । ଉଚ୍ଚ ଜୁଆରରୁ ଜନବସତିକୁ ରକ୍ଷା କରିବା ପାଇଁ କୌଣସି ପ୍ରତିବନ୍ଧକ ନଥିଲା । କିଛି ଜାଣିବା ପୂର୍ବରୁ ସମୁଦ୍ର ପାଣି ବସ୍ତି ଭିତରକୁ ମାଡି ଆସିଥିଲା । ଫଳରେ ବସ୍ତି ଭିତରେ ଦୁଇଟି ଘାଇ ସୃଷ୍ଟି ହୋଇ ସମୁଦ୍ରର ଜୁଆର ପାଣିରେ ଭାଷିଯାଇ ଶତାଧିକ ଲୋକ ପ୍ରାଣ ହରାଇଲେ । ଦୀର୍ଘ ୨୦ ବର୍ଷ ପରେ ଷଣ୍ଢକୁଦ ବସ୍ତିର ଚିତ୍ର ସାମାନ୍ୟ ବଦଳି ଥିଲେ ବି ଅବସ୍ଥିତିରେ ପରିବର୍ତନ ହୋଇନି କି ପ୍ରମୁଖ ଅସୁବିଧା ଦୂର ହୋଇନି । ଦିର୍ଘ ବର୍ଷ ତଳୁ ବସ୍ତି ମଝିରେ ବାତ୍ୟା ଆଶ୍ରୟସ୍ଥଳ ତିଆରି ପାଇଁ ଶିଳାନ୍ୟାସ ହୋଇଥିଲେ ବି ତାହା କେବଳ ଫଳକରେ ସୀମିତ ରହିଛି । ତେଣୁ ୨୦ ବର୍ଷ ତଳର ସେହି କ୍ଷତ ଅନେକାଂଶରେ ଆଜି ମଧ୍ୟ ଅପୂରଣୀୟ ହୋଇ ରହିଛି । ତେବେ ୟା ଭିତରେ ଫାଇଲିନ୍, ହୁଡହୁଡ୍, ତିତଲି ଓ ଫନି ଭଳି ବାତ୍ୟା ଗଲାଣି । ହେଲେ ମହାବାତ୍ୟାରେ ଶିହରୀ ଉଠିଥିବା ଷଣ୍ଢକୁଦବାସୀ ଏ ପର୍ଯ୍ୟନ୍ତ ନିଜକୁ ସୁରକ୍ଷିତ ମଣି ପାରି ନାହାନ୍ତି । ଦିର୍ଘ ୨୦ ବର୍ଷ ପରେ ବସ୍ତିର ମାନଚିତ୍ର କିଛି ମାତ୍ରାରେ ବଦଳି ଥିଲେ ମଧ୍ୟ ବସ୍ତିରେ ରହୁଥିବା ପ୍ରାୟ ୧୫ ହଜାର ଲୋକଙ୍କ ପାଇଁ ଏଯାଏ ଗୋଟିଏ ବାତ୍ୟା ଆଶ୍ରୟ ସ୍ଥଳ ତିଆରି ହୋଇ ପାରିନାହିଁ । ଏବେବି ବାତ୍ୟା ଆସିବାର ଶୁଣିଲେ ବସ୍ତିବାସୀନ୍ଦା ଆତଙ୍କିତ ହୋଇ ପଡନ୍ତିି । ଏଥିସହ ୧୯୯୯ ମହାବାତ୍ୟାରେ ଅଙ୍ଗେ ନିଭାଇଥିବା ବିଭୀଷିକାକୁ ମନେ ପକାଇ ଶିହରୀ ଉଠନ୍ତି ଏମାନେ । ଅତୀତରେ ହରାଇଥିବା ନିଜର ପରିବାର ସ୍ୱଜନଙ୍କ କଥାଭାବି ଆଖି ଛଳ ଛଳ କରି ପକାନ୍ତି । ଲୁଣା ଜୁଆରରେ ଭାସିଯିବା ପରେ ବଂଚି ଯାଇଥିବା ଜୟଦେବ ମାନ୍ନା, ପ୍ରଦିପ ତ୍ରିପାଠୀ, ନିତ୍ୟାନନ୍ଦ ବେହେରା ଓ ରଙ୍ଗ ସିଂ ଙ୍କ ଭଳି କେତେଜଣ ସେହି ଅନୁଭୂତି କଥା ବର୍ଣ୍ଣନା କରିବାକୁ ଯାଇ ଭାବବିହ୍ୱଳ ହୋଇ ଉଠନ୍ତି । ସେଭଳିି ବିପଦ ଆଉ କେବେ ନଆସୁ ବୋଲି ଭଗବାନଙ୍କୁ ପ୍ରାର୍ଥନା କରନ୍ତି । ତେଣୁ ବସ୍ତିରେ ବାତ୍ୟା ଆଶ୍ରୟ ସ୍ଥଳଟିଏ ନିର୍ମାଣ କରିବାକୁ ଦାବି କରିଛନ୍ତି ଷଣ୍ଢକୁଦ ବାସିନ୍ଦା ।
ସେହିଭଳି ଏଥିରୁ ବାଦ୍ ପଡି ନଥିଲା ବନ୍ଦରନଗରୀ ପାରାଦୀପ । ସେହି ବତ୍ୟାରେ ଅନେକ କିଛି ଉଜୁଡି ଯାଇଥିଲେ ମଧ୍ୟ ପାରାଦୀପ ବନ୍ଦର ପୁଣିଥରେ ବ୍ୟବସାୟିକ କ୍ଷେତ୍ରରେ ଶିର୍ଷ ସ୍ଥାନରେ ପହଁଚିବାରେ ସକ୍ଷମ ହୋଇ ପାରିଛି । ତେବେ ପାରାଦୀପ ବାସୀଙ୍କ ପାଇଁ ୯୯ ମହାବାତ୍ୟା ଥିଲା ଏକ ହୃଦୟ ବିଦାରକ ଘଟଣା । ତେଣୁ ସେହି ସ୍ମୃତିକୁ ମନେ ରଖିବା ପାଇଁ ତତକାଳିନ ବନ୍ଦର ଅଧ୍ୟକ୍ଷଙ୍କ ଉଦ୍ୟମରେ ତିଆରି ହୋଇଥିଲା ସ୍ମୃତି ଉଦ୍ୟାନ ଏବଂ ଏହି ଉଦ୍ୟାନ ଭିତରେ ରହିଛି ସ୍ମୃତି ସ୍ତମ୍ଭ । ସେହି ସ୍ମୃତି ଉଦ୍ୟାନ ଓ ସ୍ମୃତିସ୍ତମ୍ଭ ବୟାନ କରୁଛି ମହାବାତ୍ୟାର ବିଭୀଷିକାମୟ କାହାଣୀକୁ । ପ୍ରତ୍ୟେକଦିନ ଏଠାକୁ ବୁଲି ଆସୁଥିବା ଲୋକେ ଏହି ଉଦ୍ୟାନର ସୈାନ୍ଦର୍ଯ୍ୟ ଉପଭୋଗ କରିବାସହ ସ୍ମୃତିସ୍ତମ୍ଭ ନିକଟରେ ଅବସର ସମୟ କଟାଇ ମୃତକ ମାନଙ୍କ ପ୍ରତି ଗଭିର ସମବେଦନା ଜଣାଇଥାନ୍ତି ।
ଅନ୍ୟପଟେ ପୂର୍ବ ଉପକୂଳରେ ସାମୁଦ୍ରିକ ଝଡ଼, ସୁନାମୀ ଓ ଲଘୁଚାପ ଭଳି ପ୍ରାକୃତିକ ବିପର୍ଯ୍ୟୟ ତଥା ପାଣିପାଗର ଆଗୁଆ ସୂଚନା ପାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପାରାଦୀପରେ ଏକ ଅତ୍ୟାଧୁନିକ ଡାପଲର୍ ରାଡାର ପ୍ରତିÂା ହୋଇଥିଲା । ୧୫ କୋଟିରୁ ଅଧିକ ଟଙ୍କା ବ୍ୟୟରେ ତିନି ବର୍ଷ ତଳୁ ଏହା କାର୍ଯ୍ୟକ୍ଷମ ହୋଇସାରିଲାଣି । ଏହା କାର୍ଯ୍ୟକାରୀ ହେଲେ ଝଡ଼ ବାତ୍ୟା ଘଡଘଡି ସମ୍ପର୍କରେ ଜନସାଧାରଣ ସିଧାସଳଖ ସୂଚନା ପାଇପାରିବେ ବୋଲି ସାଧାରଣରେ ଧାରଣା ସୃଷ୍ଟି ହୋଇଥିଲା । ମାତ୍ର ପାରାଦୀପରେ ରାଡାର କେନ୍ଦ୍ର ଥିଲେ ବି ଆଗଭଳି ଟିଭିରୁ ବାତ୍ୟା ସମ୍ପର୍କରେ ସୂଚନା ଜାଣୁଥିବା ଲୋକେ କୁହନ୍ତି । ଚାଇନା ନିର୍ମିତ ଏହି ରାଡାରର ଯନ୍ତ୍ରପାତି ବାରମ୍ବାର ଖରାପ ହୋଇଯାଉଥିବାରୁ ଅନେକ ସମୟରେ ଏହା ଅଚଳ ରହୁଥିବା ଜଣାଯାଇଛି । ଚୀନରୁ ଯନ୍ତ୍ରାଂଶ ଆସିଲେ ଏହାର ମରାମତି ହେଉଥିବା ଅଭିଯୋଗ ହେଉଛି । ତେଣୁ ଲୋକମାନେ ଆଗୁଆ ପାଣିପାଗ ସୂଚନା ପାଇବା ପାଇଁ ପ୍ରାୟତଃ ପୂର୍ବଭଳି ଟି.ଭି. ଓ ରେଡିଓ ଉପରେ ନିର୍ଭର କରୁଛନ୍ତି ।