ଗଞ୍ଜାମ, ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଜକର ଗ୍ରାମର ବଡଦାଣ୍ଡ ସାହିରେ ବାସ କରନ୍ତି ଉକ୍ତ ଗ୍ରାମର ବିପିନି ମହାପାତ୍ର । ବୟସ ମାତ୍ର ୪୮ ବର୍ଷ । ନିଜର ବୋଲି କେହିନାହାନ୍ତି ତାଙ୍କର । ତାଙ୍କର ଗୋଟାଏ ପୁଅ ଅଛି, କିନ୍ତୁ ସେ ବାପାଙ୍କ ପାଖାରେ ନରହି ରୁହନ୍ତି ବୋଉଙ୍କ ଗ୍ରାମରେ ତଥା କବିସୂର୍ଯ୍ୟନଗର ବ୍ଲକର ବରିଡା ଗ୍ରାମରେ । ଦୁଃଖର ବିଷୟ ବିପିନିଙ୍କ ସ୍ତ୍ରୀ ମଧ୍ୟ ବହୁଦିନ ଧରି ମରିଯାଇଥିବା ହେତୁ ସେ ହୋଇଯାଇଛନ୍ତି ଆଜି ଏକୁଟିଆ, ତଥାପି ମନ ବଳକୁ ଦୃଢ଼ କରି ଦାଦନ ଖଟିବାକୁ ବେଙ୍ଗଲୁରୁ ଯାଇ ବହୁତ ଦିନ କଟାଇଦେଇଥିଲେ । କିନ୍ତୁ, ଦଇବ ତାଙ୍କୁ ସାହା ହେଲାନି । କାରଣ ତାଙ୍କୁ ବହୁଦିନଧରି ଟିବି ରୋଗ ଗ୍ରାସ କରିନେଇସାରିଲାଣି । ତେଣୁ ସେ ସେଠାରେ ଅଧିକ ଦିନ ନରହି ନିଜ ଗ୍ରାମକୁ ଆଜକୁ ଦୁଇମାସ ହେବ ଆସି ଦୁଃଖ ଯନ୍ତ୍ରଣାକୁ ଛାତିରେ ଚାପି ସହି ଚାଲିଛନ୍ତି । ସାହି ଲୋକ ଏ ସବୁ ଜାଣିଲା ପରେ କିଛି ଦିନ ତାଙ୍କର ଦେଖାଶୁଣା କରୁଥିଲେ । ଉକ୍ତ ରୋଗ ଯୋଗୁ ତାଙ୍କର ଔଷଧ ବାବଦରେ ଅର୍ଥର ଅଭାବ ମାଡିଆସିଲା । ଔଷଧ ନଖାଇ ଯନ୍ତ୍ରଣାରେ ପଡି ଛଟପଟ ହେଉଥିବାର ଖବର ଶୁଣି ଏହି ଅଂଚଳର ଜଣାଶୁଣା ସମାଜସେବୀ ତଥା ବିଜେପି ଘୁମୁସରର ଉପ ସଭାପତି ପ୍ରଭାକର ପଣ୍ଡା ଗତକାଲି ସଂନ୍ଧ୍ୟାରେ ବିପିନିଙ୍କୁ ଭେଟି ସୁଖ, ଦୁଃଖ ବୁଝି ତାଙ୍କୁ ଔଷଧ କିଣିବା ପାଇଁ କିଛି ଆର୍ଥିକ ସହଯୋଗ ପ୍ରଦାନ କରିବା ସହ ପୋଲସରା ପ୍ରଶାସନଙ୍କୁ ବିପିନିଙ୍କୁ ତୁରନ୍ତ ସରକାରୀ ସ୍ତରରେ ସାହାଯ୍ୟ ଓ ସହଯୋଗ କରିବାକୁ ଅନୁରୋଧ କରିଥିଲେ ।ସମାଜସେବୀଙ୍କ ଏପରି ମହାନତା ପାଇଁ ଉକ୍ତ ଗ୍ରାମର ଉପସ୍ଥିତ ଥିବା ବୟସ୍କ ବୃଦ୍ଧା, ଯୁବକ ମାନେ ପ୍ରଶଂସା କରିଥିଲେ । ହେଲେ ଏବେ ଦେଖିବାକୁ ବାକି ରହିଲା ବିପିନିର ଏପରି ଅସୁବିଧା ସ୍ଥଳେ ପ୍ରଶାସନ କେତେ ଶୀଘ୍ର ତାଙ୍କ ନିକଟରେ ପହଂଚି ସହଯୋଗ କରୁଛି ।