ବେଲଗୁଣ୍ଠା, ମୁଠାଏ ପିଡ଼ିଆ ଆଶାରେ ଶତାଧିକ ଚାଷୀ ରାତି ଦୁଇଟାରୁ ଆସି ଦିନ ଦୁଇଟା ପର୍ଯ୍ୟନ୍ତ ସମବାୟ ସମିତି ଆଗରେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିଲେ ମଧ୍ୟ ସମ୍ପାଦକଙ୍କ ଦର୍ଶନ ମିଳିଲା ନାହିଁଁ I ଫଳରେ ଅପେକ୍ଷା କରିଥିବା ଚାଷୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ପିଡ଼ିଆ ନପାଇ ନିରାଶରେ ଘରକୁ ଫେରିଛନ୍ତି I ଏହିଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ବେଲଗୁଣ୍ଠା ବ୍ଳକ୍ ବୋରି ସେବା ସମବାୟ ସମିତି ଲିମିଟେଡ୍ ରେ I ସୂଚନା ପ୍ରକାରେ ଜମିରେ ସାର ପକାଇବା ସମୟ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ଦୀର୍ଘ ଦିନ ହେବ ଅଞ୍ଚଳର ଚାଷୀମାନେ ସାର ନପାଇ ମାନସିକ ଅଶାନ୍ତି ମଧ୍ୟରେ ରହିଥିଲେ I ଦୁଇଦିନ ତଳେ ଏହି ସେବା ସମବାୟ ସମିତି ପକ୍ଷରୁ ଚାଷୀଙ୍କୁ ସାର ଯୋଗାଇବା ପାଇଁ ସୂଚନା ଦିଆଯାଇଥିଲା I ସୂଚନା ଅନୁଯାୟୀ ଗତକାଲି କିଛି ଚାଷୀଙ୍କୁ ସାର ବଣ୍ଟନ କରାଯାଇଥିବା ବେଳେ ଆଜି ରାତି ଦୁଇଟାରୁ ଶତାଧିକ ଚାଷୀ ନିକଟସ୍ଥ ବୋରି,କୁମୁଣ୍ଡି,ବିଞ୍ଝଗିରୀ ଏବଂ ଗୋପନଗର ଗ୍ରାମରୁ ଆସି ସାର ପାଇଁ ସେବା ସମବାୟ ସମିତି ଆଗରେ ଆଧାର କାର୍ଡ୍ ପକାଇ ଧାଡି଼ ଲଗାଇଥିଲେ I କିନ୍ତୁ ବିଡମ୍ବନାର ବିଷୟ ଯେ ଚାଷୀମାନେ ଦୀର୍ଘ 12 ଘଣ୍ଟା ଅର୍ଥାତ୍ ଅପରାହ୍ଣ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଭୋକ ଶୋଷରେ ଅପେକ୍ଷା କରିଥିଲେ ମଧ୍ୟ ସମବାୟ ସମିତି ସମ୍ପାଦକ ପ୍ରଦୀପ କୁମାର ପ୍ରଧାନଙ୍କ ଦର୍ଶନ ମିଳିନଥିଲା I ବହୁ ଚାଷୀ ସମ୍ପାଦକ ଶ୍ରୀ ପ୍ରଧାନଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ କାହାର ଫୋନ୍ ରିସିଭ୍ କରିନଥିଲେ I ଫଳରେ ଚାଷୀମାନେ ସମ୍ପାଦକଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଖାଲି ହାତରେ ଘରକୁ ଫେରିଥିଲେ I ସୂଚନା ଥାଉକି ଅସନ୍ତୁଷ୍ଟ ଚାଷୀମାନେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ସମ୍ପାଦକଙ୍କ ବିରୁଦ୍ଧରେ ବହୁ ଗୁରୁତର ଅଭିଯୋଗ ମଧ୍ୟ କରିଥିଲେ I ସମ୍ପାଦକ ଶ୍ରୀ ପ୍ରଧାନ ଚାଷୀଙ୍କୁ ନିୟମିତ ସାର, ବିହନ ଯୋଗାଇ ପାରୁନଥିବା ବେଳେ ଋଣ ଜାଲିଆତି ଏବଂ ଆର୍ଥିକ କାରବାରରେ ଅନିୟମିତା କରିବା ସହିତ ସମ୍ପାଦକ ମହୋଦୟ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରି ଭଞ୍ଜନଗରରେ କୋଟିଏ ଟଙ୍କାର ଏକ ଘର ନିର୍ମାଣ କରିଥିବା ଚାଷୀମାନେ ଅଭିଯୋଗ କରିଥିଲେ I ତେଣୁ ସମ୍ପାଦକ ଶ୍ରୀ ପ୍ରଧାନଙ୍କୁ ତଦନ୍ତ ପରିସରକୁ ଆଣି ପ୍ରଶାସନ ତରଫରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାନଗଲେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ପିଡ଼ିଆ ନପାଇ ଫେରିଯାଇଥିବା ଚାଷୀମାନେ ପ୍ରକାଶ କରିଛନ୍ତି I
ରିପୋର୍ଟ-ଶିବରାମ ଚୌଧୁରୀ