ପୁରୀ – ସ୍ଥାୟୀ ନିଯୁକ୍ତି ଦାବିରେ ନିଖିଳ ଓଡ଼ିଶା ଆୟୁଷ ଡାକ୍ତର ସଂଘ, ପୁରୀ ଶାଖା ପକ୍ଷରୁ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ମଙ୍ଗଳବାର ସ୍ମାରକପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ସଂଘର କର୍ମକର୍ତାଙ୍କ ଆରୋପ ଅନୁସାରେ ପୁରୀ ଜିଲ୍ଲାରେ ୫୪ ଜଣଙ୍କ ସମେତ ଓଡ଼ିଶାରେ ୧୧୫୫ଜଣ ଆୟୁଷ ଡାକ୍ତର ରାଜ୍ୟର ବିଭିନ୍ନ ପ୍ରାଥମିକ ଓ ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୦୦୭ ମସିହାରୁ କାର୍ଯ୍ୟରତ ଅଛନ୍ତି । ଦୀର୍ଘ ୧୪ବର୍ଷ ଧରି ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଅଧିନରେ ଚୁକ୍ତିଭିତିରେ କାର୍ଯ୍ୟ କରୁଥିଲେ ବି, ଏହି ଡାକ୍ତରମାନଙ୍କୁ ଅଦ୍ୟାବଧି ନିୟମିତ କରାନଯିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସଂଘର କର୍ମକର୍ତାମାନେ କହିଛନ୍ତି । ଗତ ୨୦୧୯ ମସିହା ନିର୍ବାଚନ ପୂର୍ବରୁ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଅଧିନରେ କାର୍ଯ୍ୟ କରୁଥିବା ସମସ୍ତ ପାରାମେଡ଼ିକାଲ୍ କର୍ମଚାରୀମାନଙ୍କୁ ନିୟମିତ ମାନ୍ୟତା ପ୍ରଦାନ କରାଯାଇଥିବାବେଳେ ଆୟୁଷ ଡାକ୍ତରଙ୍କୁ କେବଳ ଆଶ୍ୱାସନା ରେ ସନ୍ତୁଷ୍ଟ କରାଯାଇଥିଲା । ଏ ସଂକ୍ରାନ୍ତରେ ଅନ୍ୟ ରାଜ୍ୟମାନଙ୍କର ଆୟୁଷ ଡାକ୍ତରମାନଙ୍କୁ ନିୟମିତ କରାଯାଇଥିଲେ ମଧ୍ୟ ଆମ୍ଭ ରାଜ୍ୟରେ ଏହା ଲାଗୁ ନହେବା ଦୁର୍ଭାଗ୍ୟଜନକ ଅଟେ । ଏ ନେଇ ରାଜ୍ୟ ସଂଘ ଆହ୍ୱାନକ୍ରମେ ଗତ ୧୫ ତାରିଖରୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଆସନ୍ତା ୩୦ ତାରିଖ ସୁଦ୍ଧା ଦାବି ପୂରଣ ନେଇ ସରକାର ଉଚିତ୍ ପଦକ୍ଷେପ ନନେଲେ, ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ସମଗ୍ର ରାଜ୍ୟରେ ଆୟୁଷ ଡାକ୍ତରମାନେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅସହଯୋଗ ଆନେ୍ଦାଳନ ପାଇଁ ଓହ୍ଲାଇବେ । ଏହି ସମୟରେ କେବଳ ଆୟୁଷ ଓ.ପି.ଜି. କରି ରୋଗୀ ଚିକିତ୍ସା କରିବେ । ମାତ୍ର ସାଧାରଣ ବର୍ହିବିଭାଗ/ଅନ୍ତଃବିଭାଗ, ଟୀକାକରଣ, ବିଭିନ୍ନ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଏବଂ କୋଭିଡ୍ ଅନ୍ତର୍ଗତ କୌଣସି କାର୍ଯ୍ୟରେ ସହଯୋଗ କରିବେ ନାହିଁ ବୋଲି ଜିଲ୍ଲାସଂଘର ସଭାପତି ଡ. ବଲ୍ଲଭ ଭଡ଼ ସୂଚନା ଦେଇଛନ୍ତି । ଏ ସମୟରେ ସଂଘର ଉପସଭାପତି, ଡଃ ମହେଶ ପ୍ରସାଦ ମହାପାତ୍ର, ସମ୍ପାଦକ, ଡଃ ତପନ ଜ୍ୟୋତି ଆଚାର୍ଯ୍ୟ, ସହ ସମ୍ପାଦକ, ଡ. ଜୟଶ୍ରୀ ଖୁଂଟିଆ, କୋଷାଧ୍ୟକ୍ଷ, ଡ. ରାମପ୍ରସାଦ ଷଡ଼ଙ୍ଗୀ ଓ ଡ. ସୌମ୍ୟକାନ୍ତ ପଣ୍ଡା ଉପସ୍ଥିତ ଥିଲେ ।