ଭୁବନେଶ୍ୱର – ରାଜ୍ୟ ବିଜେପି ଏବେ ମିଛ କହିବାର ସୀମା ଟପିଗଲାଣି । ହୀନ ରାଜନୀତି ପାଇଁ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଗୋଟିଏ ମିଛକୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ବାରମ୍ବାର ଦୋହରାଇବାରେ ଲାଗିଛି ବୋଲି ବିଜେଡି ମୁଖପାତ୍ର ସୁଲତା ଦେଓ କହିଛନ୍ତି ।
ଶ୍ରୀମତୀ ଦେଓ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଯେଉଁ ତାଲିକା ବିଜେପି ଦେଖାଇ ବିଜେଡିକୁ ବଦନାମ କରିବାକୁ ଚାହୁଁଛି ସେଥିରେ କୌଣସି ସତ୍ୟତା ନାହିଁ । ହିତାଧିକାରୀ ଚୟନ ସମୟରେ ଦଳ ଅପେକ୍ଷା ଆବଶ୍ୟକତାକୁ ପ୍ରାଧାନ୍ୟ ଦିଆଯାଇଥାଏ । କିନ୍ତୁ ମିଛର ଆଶ୍ରୟ ନେଇ ବିଜେପି ଯେଭଳି ଘର ପାଇଥିବା ସମସ୍ତ ବ୍ୟକ୍ତି ବିଜେଡିର ବୋଲି ଦର୍ଶାଉଛି ତାହା ଅତ୍ୟନ୍ତ ହାସ୍ୟାସ୍ପଦ । ଯଦି ଆବାସ ପାଇଥିବା ସବୁ ଲୋକ ବିଜେଡି ଦଳର ତେବେ ବିଜେପି ସେଠାରୁ କିଭଳି ଭୋଟ ପାଉଛି ବୋଲି ଶ୍ରୀମତୀ ଦେଓ ପ୍ରଶ୍ନ କରିଛନ୍ତି । ତେଣୁ ଘର ପାଇଥିବା ତାଲିକାକୁ ଅତିରଞ୍ଜିତ କରି ବିଜେପି ଯେଭଳି ପ୍ରଦର୍ଶନ କରୁଛି ତାହା ରାଜ୍ୟର ଗରିବ ଲୋକଙ୍କ ପ୍ରତି ଉପହାସ ଛଡା ଆଉ କିଛି ନୁହେଁ । ମନଗଢ଼ା କାହାଣୀ ପ୍ରସ୍ତୁତ କରି ବିଜେପି ଯେଭଳି ତାହାର ହତାଶା ଭାବକୁ ପ୍ରଦର୍ଶନ କରୁଥିବାବେଳେ ସେଥିରୁ ନିବୃତ ରହିବା ଉଚିତ୍ ବୋଲି ଶ୍ରୀମତୀ ଦେଓ କହିଛନ୍ତି ।