ନୂଆଦିଲ୍ଲୀ, ୨୦୨୧ ଅଗଷ୍ଟ ମାସରେ ମୋଟ ୧,୧୨,୦୨୦ କୋଟି ଟଙ୍କାର ଜିଏସଟି ରାଜସ୍ୱ ଆଦାୟ ହୋଇଛି, ଯେଉଁଥିରେ ୨୦,୫୨୨ କୋଟି ଟଙ୍କାର ସିଜିଏସଟି, ୨୬,୬୦୫ କୋଟି ଟଙ୍କାର ଏସଜିଏସଟି, ୫୬,୨୪୭ କୋଟି ଟଙ୍କାର ଆଇଜିଏସଟି (ସାମଗ୍ରୀ ଆମଦାନି ବାବଦରେ ଆଦାୟ ହୋଇଥିବା ୨୬,୮୮୪ କୋଟି ଟଙ୍କା ସହିତ) ଏବଂ ୮,୬୪୬ କୋଟି ଟଙ୍କାର ସେସ (ସାମଗ୍ରୀ ଆମଦାନି ଉପରେ ଆଦାୟ ହୋଇଥିବା ୬୪୬ କୋଟି ଟଙ୍କା ସହ) ରହିଛି ।
ସରକାର ନିୟମିତ ବ୍ୟବସ୍ଥା ସ୍ୱରୂପ ଆଇଜିଏସଟିରୁ ୨୩,୦୪୩ କୋଟି ଟଙ୍କା ସିଜିଏସଟିକୁ ଏବଂ ୧୯,୧୩୯ କୋଟି ଟଙ୍କା ଏସଜିଏସଟିକୁ ପ୍ରଦାନ କରିଛନ୍ତି । ଏଥିସହିତ, କେନ୍ଦ୍ର ସରକାର ଆଇଜିଏସଟି ଆଡ୍ ହକ୍ ଥଇଥାନ ଭାବେ ୨୪,୦୦୦ କୋଟି ଟଙ୍କା କେନ୍ଦ୍ର ଓ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ୫୦:୫୦ ଅନୁପାତରେ ବି ଥଇଥାନ କରିଛନ୍ତି । ୨୦୨୧ ଅଗଷ୍ଟ ମାସରେ ନିୟମିତ ଏବଂ ଆଡ-ହକ୍ ଥଇଥାନ ପରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକର ମୋଟ ରାଜସ୍ୱ ସିଜିଏସଟି ନିମନ୍ତେ ୫୫,୫୬୫ କୋଟି ଟଙ୍କା ଓ ଏସଜିଏସଟି ପାଇଁ ୫୭,୭୪୪ କୋଟି ଟଙ୍କା ହୋଇଛି ।
୨୦୨୧ ଅଗଷ୍ଟ ମାସ ପାଇଁ ଆଦାୟ ହୋଇଥିବା ରାଜସ୍ୱ ଗତବର୍ଷ ସମାନ ମାସର ଜିଏସଟି ରାଜସ୍ୱ ତୁଳନାରେ ୩୦% ଅଧିକ । ଏହି ମାସରେ, ଘରୋଇ କାରବାରରୁ ଆସିଥିବା ରାଜସ୍ୱ (ସେବା ଆମଦାନି ସମେତ) ଗତବର୍ଷ ସମାନ ମାସରେ ଏହିସବୁ ଉତ୍ସରୁ ଆଦାୟ ହୋଇଥିବା ରାଜସ୍ୱ ଠାରୁ ୨୭% ଅଧିକ । ଏମିତି କି ୨୦୧୯-୨୦ରେ ଅଗଷ୍ଟ ରାଜସ୍ୱ ୯୮,୨୦୨ କୋଟି ଟଙ୍କା ତୁଳନାରେ ଏହି ଅଭିବୃଦ୍ଧି ୧୪% ରହିଛି ।
ଲଗାତର ୯ ମାସ ପାଇଁ ଜିଏସଟି ଆଦାୟ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିବା ପରେ କୋଭିଡ ମହାମାରୀର ଦ୍ୱିତୀୟ ଲହର ଯୋଗୁ ୨୦୨୧ ଜୁନରେ ଏହା ୧ ଲକ୍ଷ କୋଟି ଟଙ୍କା ତଳକୁ ଖସିଯାଇଥିଲା । କୋଭିଡ କଟକଣା କୋହଳ ହେବା ପରେ, ୨୦୨୧ ଜୁଲାଇ ଓ ଅଗଷ୍ଟ ନିମନ୍ତେ ଜିଏସଟି ଆଦାୟ ପୁଣି ୧ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି, ଯେଉଁଥିରୁ ସ୍ପଷ୍ଟ ସଂକେତ ମିଳୁଛି ଯେ ଘରୋଇ ଅର୍ଥ ବ୍ୟବସ୍ଥା ଦ୍ରୁତ ଗତିରେ ସୁଧାର ଲାଭ କରୁଛି । ଅର୍ଥନୈତିକ ଅଭିବୃଦ୍ଧି, ଠକେଇ ନିରୋଧ କାର୍ଯ୍ୟକଳାପ, ବିଶେଷକରି ନକଲି ବିଲ୍ ସୃଷ୍ଟିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆଦି ବର୍ଦ୍ଧିତ ଜିଏସଟି ସଂଗ୍ରହରେ ସହାୟକ ହୋଇପାରିଛି । ଆଗାମୀ ମାସଗୁଡ଼ିକରେ ମଧ୍ୟ ବିପୁଳ ଜିଏସଟି ରାଜସ୍ୱ ଆଦାୟ ଜାରି ରହିପାରେ ।