
-
ସାମ୍ବାଦିକତାରୁ ସମାଜସେବା
ହରିଚନ୍ଦନପୁର/ଘଟଗାଁ, ସାମ୍ବାଦିକତାରୁ ସମାଜସେବା ଏକ ଦୀର୍ଘ ସଫଳ ଯାତ୍ରା । ରେଡକ୍ରସ୍ ହୋଇଛି ସମାଜ ସେବାର ପ୍ରକୃଷ୍ଟ ମାଧ୍ୟମ ଏବଂ ଅବଦୁଲ ରହମନ ଖାନ୍ ସାଜିଛନ୍ତି ସମାଜସେବାର ଧାରକ । ତରୁଣ ବୟସରୁ ସମାଜସେବାକୁ ଜୀବନର ବ୍ରତ ଭାବେ ସେ ଗ୍ରହଣ କରିଛନ୍ତି । ସ୍ୱର୍ଗତ ପିତା କ୍ଷୁଦ୍ର ବ୍ୟବସାୟୀ ଥିଲେ ହେଁ ତାଙ୍କର ପରୋପକାର, ଦୀନ, ଦୁଃଖୀ, ଦରିଦ୍ରଙ୍କୁ ସାହାଯ୍ୟ କରିବାର ମହତ୍ ପଣରେ ଅନୁପ୍ରାଣିତ ହୋଇଥିଲେ ଅବଦୁଲ । ଯେଉଁଥି ପାଇଁ ଫଟୋଗ୍ରାଫି କରିବାବେଳେ ତାଙ୍କର କ୍ୟାମେରା ଥିଲା ସୃଜନଶୀଳ ଏବଂ ଫଟୋରେ ରହୁଥିଲା ସୌନ୍ଦର୍ଯ୍ୟ ଓ ମାନବିକତାର ଚିତ୍ର । ସାମ୍ବାଦିକ ଭାବରେ କାର୍ଯ୍ୟ କରିବାବେଳେ ଅତି ନିକଟରୁ ଦେଖିଛନ୍ତି –ଗରିବ, ଅସହାୟ, ନିଃସହାୟମାନଙ୍କର କରୁଣ ମୁହଁ ଏବଂ ତାଙ୍କର ଦୁଃଖ ଓ ଖୋଜିଛନ୍ତି ତା’ର କାରଣ ଓ ସମାଧାନର ସୂତ୍ର । ପଥପ୍ରାନ୍ତ ହେଉ କିି ଡାକ୍ତରଖାନା କିମ୍ବା ବଣପାହାଡ ଘେରା ମୁଲକ ଯେଉଁଠି ଅସହାୟ ଲୋକଟିଏ କି ରୋଗୀଟିଏ ଦେଖିଲେ ସେ ସ୍ୱତଃ ଟାଣି ହୋଇ ଆସନ୍ତି ତାକୁ ସାହାଯ୍ୟ କରିବା ପାଇଁ ଭରସାର ହାତ ବଢାଇ ଦିଅନ୍ତି । ମନରେ ଏକାଗ୍ରତା ଓ ଆତ୍ମବିଶ୍ୱାସକୁ ପାଥେୟ କରି ସମାଜ ସେବା ପଥର ପଥିକ ସାଜିଛନ୍ତି ଅବଦୁଲ୍ ।
ସାମ୍ବାଦିକ ହୋଇ ସାଧାରଣ ମଣିଷ ଭାବେ ବଂଚୁଥିବା ଅବଦୁଲ ସମୟକ୍ରମେ ସମାଜସେବାର ଅସାଧାରଣ ଯାତ୍ରୀ ହୋଇଛନ୍ତି । ସମାଜସେବାର ଦୁର୍ବାର ଆକାଂକ୍ଷା ତାଙ୍କୁ ୨୦୦୦ ମସିହାରୁ ରେଡକ୍ରସ ସହ ଯୋଡିଛି । ୨୦୧୦ରେ ଭାରତୀୟ ରେଡ୍କ୍ରସ ସଂସ୍ଥା କେନ୍ଦୁଝର ଜିଲ୍ଲା ଶାଖାର ଯୁଗ୍ମ ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କରି ସମାଜସେବାର ବୃହତର କ୍ଷେତ୍ର ପାଲଟିଛନ୍ତିି । ରେଡକ୍ରସ ସଂସ୍ଥାର ଯୁଗ୍ମ ସମ୍ପାଦକ ଭାବେ ରକ୍ତ ଭଣ୍ଡାରର ପୁନଋଦ୍ଧାର ଓ ଉନ୍ନତିକରଣରେ ତାଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ । ରକ୍ତ ଭଣ୍ଡାର ପରିଚାଳନା ମଣ୍ଡଳୀ ସଦସ୍ୟ ଓ ଜିଲ୍ଲା ସ୍ୱେଚ୍ଛାକୃତ ରକ୍ତଦାତା ସଂଘର ସମ୍ପାଦକ ପଦବୀରେ ଅବିରତ ଭାବେ ସେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନଠାରୁ ଆରମ୍ଭ କରି ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ସଚେତନତା ସୃଷ୍ଟିରେ ଉଲ୍ଲେଖନୀୟ କାର୍ଯ୍ୟ କରିଆସୁଛନ୍ତି । ଜଣେ ମାଷ୍ଟର ଟ୍ରେନର ଭାବେ ଜିଲ୍ଲା ଓ ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ତାଲିମ ପ୍ରଦାନ କରି ଅନେକ ରେଡକ୍ରସ୍ ସ୍ୱେଚ୍ଛାସେବୀ ସୃଷ୍ଟି କରିପାରିଛନ୍ତି ସେ । ଯେଉଁମାନେ ରେଡକ୍ରସ ଆନ୍ଦୋଳନକୁ ଆହୁରି କ୍ରିୟାଶୀଳ କରୁଛନ୍ତି ।ଜଣେ ଜାତୀୟସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଓ ପ୍ରାଥମିକ ଚିକିତ୍ସାର ମାଷ୍ଟର ଟ୍ରେନର ଭାବରେ କେବଳ ଜିଲ୍ଲା କାହିଁକି ରାଜ୍ୟ ଓ ରାଜ୍ୟ ବାହାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ସେ । ଅସହାୟଙ୍କ ମୁହଁରେ ହସ ଫୁଟାଇବା ପାଇଁ ନିଜେ ଓ ନିଜର ସାଥୀମାନଙ୍କ ଦ୍ୱାରା ପ୍ରତ୍ୟେକ୍ଷ ଓ ପରୋକ୍ଷରେ ଉଦ୍ୟମ ଜାରୀରଖିଛନ୍ତି ।
ପୀଡିତ ଅସହାୟମାନଙ୍କୁ ଆପଦ ବିପଦରେ ସହାୟତା ଯୋଗାଇବା, ନୂତନ ପୀଢିଙ୍କୁ ଫାଷ୍ଟଏଡ୍, ଜଳବାୟୁ ପରିବର୍ତନ, ଡିଜାଷ୍ଟର ରିସ୍କ୍ ମ୍ୟାନେଜମେଂଟ୍, ସାଇକୋ ସୋସିଆଲ୍ ସପୋର୍ଟ, ହେଲଥ୍ କେୟାର, ୱାଟର ମ୍ୟାନେଜମେଂଟ୍, ଇଂଟର ନ୍ୟାସନାଲ୍ ହ୍ୟୁମାନଟାରିଆନ୍ ଲ, ଗ୍ରୀନ୍ ହାଉସ୍ ପ୍ରଭାବ, ଭଲ୍ୟୁଂଟାରିଜିମ୍ ସମ୍ପର୍କରେ ସଚେତନତା ସୃଷ୍ଟି ସହ ନିୟମିତ ତାଲିମ୍ ପ୍ରଦାନ କରି ଏକ ସୁସ୍ଥ ସୁନ୍ଦର ସମାଜ ଗଠନରେ ଅବଦାନ ରଖି ଚାଲିଛନ୍ତି । ସରକାର ଏବଂ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ସମୟର ଆବଶ୍ୟକତା ଅନୁଯାୟୀ ବିଭିନ୍ନ ସମୟରେ ସେବା ଓ ସଚେତନତା କାର୍ଯ୍ୟକ୍ରମ, ରିଲିଫ୍ ଯୋଗାଣ, ଉଦ୍ଧାର କାର୍ଯ୍ୟ, ରକ୍ତଦାନ ଶିବିର କ୍ଷେତ୍ରରେ ଅବଦୁଲ୍ ରହମନ ଖାନ୍ ପ୍ରଶଂସନୀୟ କାର୍ଯ୍ୟ କରିଆସୁଛନ୍ତି । ଏତଦ୍ବ୍ୟତୀତ ବିଭିନ୍ନ ଜନହିତୈଷୀ ଅନୁଷ୍ଠାନ, ସଂଗଠନ ସହିତ ଜଡ଼ିତ ରହି ସେବା କାର୍ଯ୍ୟ ଜାରି ରଖିବାରେ ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ହୋଇଛନ୍ତି । ଏତାଦୃଶ ମହନୀୟ ସମାଜସେବା ପାଇଁ ସେ ପାଇଛନ୍ତି ଅନେକ ଯଶ, ପ୍ରଶଂସା ଏବଂ ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ତରଫରୁ ସମ୍ବର୍ଦ୍ଧିତ ମଧ୍ୟ ହୋଇଛନ୍ତି । ସମାଜସେବା କ୍ଷେତ୍ରରେ ଏତାଦୃଶ ମହନୀୟ ସେବା କାର୍ଯ୍ୟର ସ୍ୱୀକୃତିସ୍ୱରୂପ ଶ୍ରୀ ଖାନ୍ ଙ୍କୁ ଓଡ଼ିଶା ସରକାରଙ୍କ ତରଫରୁ ୨୦୧୮ ମସିହା ନିମନ୍ତେ ରାଜ୍ୟ ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଛି । ଅନ୍ୟକୁ ପ୍ରତିଟି କ୍ଷେତ୍ରରେ ସାଧ୍ୟମତେ ସହାୟତା ଯୋଗାଇବାର କ୍ଷମତା ରଖିଛନ୍ତି କେନ୍ଦୁଝର ଜିଲ୍ଲାର ରେଡ୍କ୍ରସ୍ ମ୍ୟାନ୍ ଏ.ଆର୍.ଖାନ୍ ।