ମାଲକାନଗିରି, ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଳକ ଅନ୍ତର୍ଗତ ମାଟେରୁ ଗ୍ରାମରେ ବିଷାକ୍ତ ସାପ କାମୁଡାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମାଟେରୁ ଗ୍ରାମର ଇରମା ମାଡକାମି ତାଙ୍କ ସ୍ତ୍ରୀ ଭୀମେ ମାଡକାମି ( ୨୫ ) ଏବଂ ଭୀମେଙ୍କ ଭାଇ ପୁଅ ଆକାଶ କୁରାମି ( ୧୨ ) ବୁଧବାର ରାତିରେ ଲାଡିରେ ଶୋଇଥିଲେ । ବିଳମ୍ବିତ ରାତିରେ ଭୀମେ ମାଡକାମି ଏବଂ ଆକାଶ କୁରାମିଙ୍କୁ ଏକ ବିଷଧର ସାପ କାମୁଡି ଦେଇଥିଲା । ସେମାନଙ୍କୁ ତୁରନ୍ତ ପଡ଼ିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଏହି ଖବର ପାଇବା ପରେ ବିଜେଡିର ପଡ଼ିଆ ବ୍ଳକ ସାଂସଦ ପ୍ରତିନିଧି ଚିନାମ ରବିଟ, ନିଲିଗୁଡା ସରପଞ୍ଚ ବୁଦୁରା କାମୀ, ପୂର୍ବତନ ପଡ଼ିଆ ବ୍ଲକ ସରପଞ୍ଚ ଗଙ୍ଗା କାରାମୀ ଓ ମାଟେରୁ ସଭାପତି ଲାଛମାନ ମାଡକାମୀ ସେଠାରେ ପହଂଚି ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହିତ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ପ୍ରତିଶୃତି ଦେଇଛନ୍ତି ।