ଗଞ୍ଜାମ,ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଦୈନିକ ୧୫୦ ଜଣଙ୍କ କୋଭିଡ୍ ପରୀକ୍ଷା ହେଉଛି । ତୃତୀୟ ଲହର ପାଇଁ ଶିଶୁଙ୍କ ସୁରକ୍ଷା ଚିନ୍ତା ବଢିଯାଇଛି । କରୋନାର ଦ୍ୱିତୀୟ ଲହର ଏବେ ନିୟନ୍ତ୍ରଣରେ ରହିଛି । ସଂକ୍ରମିତ ସଂଖ୍ୟା କ୍ରମଶଃ ହ୍ରାସ ପାଉଥିବାରୁ ରାଜ୍ୟ ସରକାର କଟକଣାକୁ କୋହଳ କରିଛନ୍ତି । ସାରା ରାଜ୍ୟରେ ସକାଳ ୬ଟା ଠାରୁ ରାତି ୧୦ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି । କିନ୍ତୁ, ସମ୍ଭାବ୍ୟ ତୃତୀୟ ଲହର ପାଇଁ ସଜାଗ ରହିବା ଉପରେ ସରକାର ଗୁରତ୍ୱ ଦେଇଛନ୍ତି । ତୃତୀୟ ଲହରରେ ଶିଶୁମାନଙ୍କ ପ୍ରତି ଅଧିକ ବିପଦ ରହିଥିବା ବେଳେ ଏ ଦିଗରେ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶିଶୁଙ୍କ ଚିକିତ୍ସା ପାଇଁ ମେଡିକାଲ କଲେଜରେ ସ୍ୱତନ୍ତ୍ର ୱାର୍ଡ଼ ବ୍ୟବସ୍ଥା କରାଯାଇଛି । ଏମକେସିଜି ମେଡ଼ିକାଲରେ ଦୈନିକ ପ୍ରାୟ ୧୫୦ ଶିଶୁଙ୍କ କୋଭିଡ଼୍ ପରୀକ୍ଷା କରାଯାଉଥିବା ଶିଶୁରୋଗ ବିଭାଗ ପ୍ରଫେସର ଡାକ୍ତର ନରେନ୍ଦ୍ର ବେହେରା ସୂଚନା ଦେଇଛନ୍ତି ।