-
ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ଦ୍ ର ମିଶ୍ରିତ ପ୍ରଭାବ
ବାରିପଦା, ପେସା ଆକ୍ଟ ବଳରେ ଆଦିବାସୀ ମାନଙ୍କୁ ଜଙ୍ଗଲ ଜମି ଅଧିକାର ପ୍ରଦାନ ଦାବିରେ ଆଜି ପେସା ଗ୍ରାମସଭା ପକ୍ଷରୁ ୧୨ ଘଂଟିଆ ମୟୂରଭଞ୍ଜ ବନ୍ଦ ପାଳନ ହେଉଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ଦ ର ମିଶ୍ରିତ ପ୍ରଭାବ ପରିଲକ୍ଷିତ ହୋଇଛି ।
ମଇ ୯ ତାରିଖରେ ଆଦିବାସୀଙ୍କ ମାନଙ୍କ ଧାର୍ମିକ ପୀଠ ଜାହିରାରେ କେତେକ ଆଦିବାସୀ ସମ୍ପ୍ରଦାୟର ଲୋକ ମାନେ ପଶି ଭଙ୍ଗାରୁଜା କରିବା ସହ ସେଠାରେ ପରିସ୍ରା କରି ପୀଠର ପବିତ୍ରତାକୁ ନଷ୍ଟ କରିଥିଲେ । ଧାର୍ମିକ ଭାବନା ଉପରେ ଆଂଚ୍ ଆଣିଥିଲେ । ଏଣୁ ଦୋଷୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆଦିବାସୀ ମାନଙ୍କ ‘ପେସା’ ଗ୍ରାମସଭା ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରାଯାଇଥିଲେ ସୁଦ୍ଧା ଅଦ୍ୟାବଧି ଜିଲ୍ଲା ପ୍ରଶାସନ ନ୍ୟାୟ ଦେବାରେ ବିଫଳ ହୋଇଛି । ଯାହାର ପ୍ରତିବାଦ କରିବା ସହ ନ୍ୟାୟ ଦାବିରେ ଆଜି ପେସା ଗ୍ରାମସଭା ପକ୍ଷରୁ ୧୨ ଘଂଟିଆ ମୟୂରଭଞ୍ଜ ବନ୍ଦ ପାଳନ ହୋଇଛି । ଏଥି ସହିତ ଗ୍ରାମସଭା ପକ୍ଷରୁ ସରକାରଙ୍କ ନିକଟରେ ୧୦ ଦଫା ଦାବି ମଧ୍ୟ ରଖାଯାଇଛି । ଜିଲ୍ଲା ସଦର ମହକୁମା ସମେତ ନିନୋଟି ଉପଖଣ୍ଡରେ ସକାଳ ୬ଟା ଠାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଡ଼ାକରା ଦିଆଯାଇଛି । ପେସା ଗ୍ରାମସଭାର ସଭାପତି ନାନୁରାମ ମୁର୍ମୁଙ୍କ ନେତୃତ୍ୱରେ ଆନ୍ଦୋଳନରେ ଶତାଧିକ ଆଦିବାସୀ ସାମିଲ୍ ହୋଇଛନ୍ତି ।
ଏହି ପରିପ୍ରେକ୍ଷୀରେ ଆଜି ସକାଳୁ ପେସା ଗ୍ରାମସଭାର କର୍ମକର୍ତା ମାନେ ପିକେଟିଂ କରି ଯାନବାହନ ଚଳାଚଳ ବନ୍ଦ କରାଇବା ସହ ଦୋକାନ ବଜାର ବନ୍ଦ କରିବାକୁ ଦୋକାନୀ ମାନଙ୍କୁ ପରାମର୍ଶ ଦେଇଥିଲେ । ତେବେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନକୁ ଏଥିରୁ ବାଦ୍ ଦିଆଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ଦର ମିଶ୍ରିତ ପ୍ରଭାବ ପରିଲକ୍ଷିତ ହୋଇଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।