ବାରିପଦା – ଲଘୁଚାପ ବର୍ଷା ନେଲା ଜୀବନ। କାନ୍ଥ ପଡିବାରୁ ଚାପିହୋଇ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ। ଝିଅ ବାହାଘରକୁ ନେଇ ମାଆ ଆଖିରେ ଥିଲା ଆଖିଏ ସ୍ୱପ୍ନ। କିନ୍ତୁ ଦଇବ ସହିଲାନି ଆଖି ବୁଜିଲା ମାଆ। ଅଧାରେ ରହିଗଲା ଝିଅ ବାହାଘରର ସ୍ୱପ୍ନ । ଏଭଳି ଏକ ଦୁଃଖଦ ଘଟଣା ଆଜି ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଖୁଣ୍ଟାପାଳ ଗ୍ରାମରେ ଦେଖିବାଜୁ ମିଳିଛି। ଭଙ୍ଗା ନଡ଼ା ଛପର ଘର କାନ୍ଥରେ ବର୍ଷା ଜଳ ପଡିବାରୁ ଓଲଟି ପଡିଥିଲା ମାଟି କାନ୍ଥ। ରୋଷେଇ କରୁଥିବା ବେଳେ କାନ୍ଥ ତଳେ ଚାପିହୋଇ ଯାଇଥିଲେ ଶମ୍ଭୁନାଥ ପଲେଇଙ୍କ ସ୍ତ୍ରୀ ଦମୟନ୍ତୀ। କାନ୍ଥ ପଡିବା ଶବ୍ଦ ଶୁଣି ପଡ଼ୋଶୀମାନେ ଆସି ଦମୟନ୍ତିଙ୍କୁ କାନ୍ଥ ତଳୁ ଉଦ୍ଧାର କରିଥିଲେ। ମାତ୍ର ସେତେବେଳକୁ ଦମୟନ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ତେବେ ଝିଅ ବାହାଘରର ପ୍ରସ୍ତୁତିକୁ ନେଇ ଲାଗି ରହିଥିବା ଆନନ୍ଦର ମାହୋଲ୍ ବଦଳି ଯାଇଥିଲା ଶୋକାକୁଳ ପରିବେଶରେ।
ଦମୟନ୍ତିଙ୍କ ଗୋଟିଏ ଝିଅ ଓ ଗୋଟିଏ ପୁଅ ଅଛନ୍ତି । ଝିଅର ବାହାଘର ଠିକ୍ ହୋଇଥିଲା ଏବଂ ଆସନ୍ତା ନଭେମ୍ବର ୫ ରେ ଝିଅ ବାହାଘର ପାଇଁ ଦିନ ସ୍ଥିର ହୋଇଥିଲା । ଦମୟନ୍ତି ଆଜି ସକାଳୁ ଘରୁ ବାହାରି ଥିଲେ ସମ୍ପର୍କୀୟମାନଙ୍କୁ ବାହାଘର ଖବର ଦେବାପାଇଁ, କିନ୍ତୁ ଲଗାଣ ବର୍ଷା ଯୋଗୁଁ ବସ୍ ଆସିନଥିଲା। ଫଳରେ ସେ ଘରକୁ ଫେରିଯାଇ ସମସ୍ତଙ୍କ ପାଇଁ ରୋଷେଇ କରୁଥିଲେ । ହଠାତ ବର୍ଷାରେ ଭିଜି ରହିଥିବା ମାଟି କାନ୍ଥ ତାଙ୍କ ଉପରେ ପଡିଯାଇଥିଲା । ଖବର ପାଇ ରାସଗୋବିନ୍ଦପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି । ମୃତଦେହ ଜବତ କରିବା ସହିତ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି । ପରେ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । କିନ୍ତୁ, ପରିବାର ଲୋକେ କହିଛନ୍ତି ସରକାରୀ ସହାୟତା କିଛି ମିଳିନାହିଁ , କେବଳ ଶବ ସତ୍କାର ପାଇଁ ପଞ୍ଚାୟତରୁ ହରିଶ୍ଚନ୍ଦ୍ର ଯୋଜନାରେ ହଜାର ଟଙ୍କା ମିଳିଛି । ତେବେ ଏହି ଅସହାୟ ଗରିବ ପରିବାରକୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହେଉଛି ।