କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ

ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ଆଜି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଭିଡିଓ କନଫରେନ୍ସ ମାଧ୍ୟମରେ ଜିଲ୍ଲାର ଅସହାୟ ଓ ଅନାଥ ପିଲାମାନଙ୍କୁ ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ମାନ୍ୟବର ମନ୍ତ୍ରୀ ପିଲା ମାନଙ୍କ କଥାବାର୍ତ୍ତା ହୋଇ ସମସ୍ତ ସହଯୋଗ ଯୋଗାଇ ଦେବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୧୧୭ ଜଣ ହିତାଧିକାରୀଙ୍କୁ ଏହି ସହାୟତା ପ୍ରଦାନ କରାଯାଇଛି । ତେବେ ଏହି ଯୋଜନାରେ ସାମିଲ ଥିବା ହିତାଧିକାରୀ ମାନେ ସରକାରୀ ଓ ବେସରକାରୀ ସ୍କୁଲ ରେ ମାଗଣା ଶିକ୍ଷାଦାନ, ପୁସ୍ତକ ଓ ପୋଷାକ ପ୍ରଦାନ କରାଯିବା ସହ ସେମାନଙ୍କୁ ଅନ୍ୟ ସରକାରୀ ଯୋଜନାରେ ମଧ୍ୟ ସାମିଲ କରାଯାଇ ସମସ୍ତ ସହଯୋଗ ପାଇପାରିବା ନେଇ ବ୍ୟବସ୍ଥା କରାଯାଇଛି । ଏପ୍ରିଲ ୨୦୨୦ ମସିହା ପରଠାରୁ ଯେଉଁ ପିଲାଙ୍କ ବାପା ଓ ମା ଉଭୟ କୋଭିଡ ଓ ଅଣ-କୋଭିଡରେ ମୃତ୍ୟୁ ବରଣ କରିଥିବେ ସଂପୃକ୍ତ ସେମାନଙ୍କ ପାଇଁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ମାସିକ ୨୫ ଶହ ଟଙ୍କା ପ୍ରଦାନ କରାଯିବ । ଯଦି ସଂପୃକ୍ତ ପିଲାମାନେ ନିଜ ଘରେ ରହିବାର କିଛି ସମସ୍ୟା ଥାଏ ତେବେ ସେମାନଙ୍କୁ ସରକାରୀ ଭାବେ ମାଗଣାରେ ରଖିବା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ଏବଂ ପ୍ରତ୍ୟେକଙ୍କୁ ଏକ ହଜାର ଟଙ୍କା ମାସିକ ପ୍ରଦାନ କରାଯିବ । ଯାହାଙ୍କ ଘରୁ ବାପା ମାଙ୍କ ମଧ୍ୟରୁ ରୋଜଗାରକ୍ଷମ ବ୍ୟକ୍ତି ମୃତୁ ବରଣ କରିଥିବେ ସେମାନଙ୍କୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ୧୫ଶହ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବାକୁ ବ୍ୟବସ୍ଥା କରାଯାଇଛି । ପ୍ରାଥମିକ ଭାବେ ଏହି ଯୋଜନାରେ ସାମିଲ ପାଇଁ ୫୨୮ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୬୯ ଜଣଙ୍କ ସଂପର୍କରେ ସର୍ବେକ୍ଷଣ ଶେଷ କରାଯାଇ ପ୍ରଥମ ପର୍ଯ୍ୟାୟରେ ୧୧୭ ଜଣଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ସେମାନଙ୍କ ମଧ୍ୟରେ ପୁରୀ ପୌରସଂସ୍ଥାର ୨୪ ଜଣ, ବ୍ରହ୍ମଗିରିର ୨୬, ସତ୍ୟବାଦୀ ୨ଜଣ, ନିମପଡା ୧୮, କାକାଟପୁର ୬, ପୁରୀସଦର ୩, ପିପିଲି ୮, କଣାସ ୩, କୃଷ୍ଣପ୍ରସାଦ ୧୨, ଡେଲାଙ୍ଗ ୭, ଗୋପ ୩ ଓ ଅସ୍ତରଙ୍ଗର ୫ ଜଣ ସାମିଲ ଅଛନ୍ତି ।
ଏହି ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜ୍ୟୋତିର୍ମୟ ଦଳାଇ, ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ମହାବୀର ରୁଦ୍ର ନାରାୟଣ ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପୁଷ୍ପାଞ୍ଜଳୀ ମହାପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିବାବେଳେ ସଂପୃକ୍ତ ବ୍ଲକରେ ବିଡିଓ ମାନଙ୍କ ସହ ହିତାଧିକାରୀମାନେ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗ ଦେଇଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO