କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଶ୍ରାବଣ ପୂର୍ଣ୍ଣିମା ତିଥିରେ ମହାପ୍ରଭୁ ଜଗନ୍ନାଥଙ୍କ ଜ୍ୟେଷ୍ଠ ଭ୍ରାତା ବଳଭଦ୍ରଙ୍କ ପୁଣ୍ୟ ଜନ୍ମୋତ୍ସବ ସହିତ ରାକ୍ଷୀ ଲାଗି ନୀତି ଶ୍ରୀମନ୍ଦିରରେ ପାଳିତ ହୋଇଛି । ଆଜି ଭୋଗ ମଣ୍ଡପ ସରିବା ପରେ ଦ୍ବିପହର ଧୂପ ନୀତି ପରେ ମଙ୍ଗଳାର୍ପଣ କରାଯାଇ ଚକ୍ରରାଜ ସୁଦର୍ଶନଙ୍କୁ ବିମାନରେ ମାର୍କଣ୍ଡ ପୁଷ୍କରଣୀକୁ ନିଆଯାଇଥିଲା । ସେଠାରେ ମାଟିରେ ପ୍ରଭୁ ବଳଭଦ୍ରଙ୍କ ପିତୁଳା ନିର୍ମାଣ କରି ଜୀବନ୍ୟାସ ଦେବା ପରେ ପଞ୍ଚ ଉପଚାର, ଶୀତଳ ମଣୋହୀ ଓ ବନ୍ଦାପନା ଅନ୍ତେ ଏହି ମାଟି ପିତୁଳାଙ୍କୁ ମାର୍କଣ୍ଡ ପୁଷ୍କରଣୀରେ ବିସର୍ଜନ କରାଯାଇଥିଲା ।
ଏହି ଅବସରରେ ଚକ୍ରରାଜ ସୁଦର୍ଶନ ଚାରି ଆଶ୍ରମ ଭ୍ରମଣ କରିଥିଲେ |ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଗହ୍ମାମଣ୍ଡା ଭୋଗ ଲାଗି ହୋଇଥିଲା ଏବଂ ବାସୁଙ୍ଗା ପାଟରେ ପ୍ରସ୍ତୁତ ହୋଇଥିବା ସୁବର୍ଣ୍ଣ ଖଞ୍ଜିତ ପାଟ ରାକ୍ଷୀ ଓ ଗୁଆମାଳ ଶ୍ରୀ ଜୀଉମାନେ ପରିଧାନ କରିଥିଲେ ।୫୪ଟି ଲେଖାଏଁ ଗୁଆରେ ପ୍ରସ୍ତୁତ ଏହି ଗୁଆ ମାଳ ନାଲି, ସବୁଜ, ହଳଦିଆ ଓ ନୀଳ ରଙ୍ଗର ହୋଇଥିଲା ।