
ପ୍ରାରମ୍ଭରେ ଶ୍ରମିକ ନେତା ପରେଶ୍ କୁମାର ଜାଲି ସ୍ୱାଗତ ଅଭିଭାଷଣ ଦେଇଥିଲେ । ବିଜେପି ନେତା ଶ୍ରୀ ଜଗଦେବ କହିଥିଲେ ଯେ, ବ୍ରହ୍ମଗିରିରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଏଠାରେ ବ୍ରିଜ ହୋଇପାରୁନାହିଁ । ତେଣୁ ଜନସାଧାରଣ ଦଳମତ ନିର୍ବିଶେଷରେ ଚିଲିକାରେ ସେତୁ ନିର୍ମାଣ ପାଇଁ ଗଣ ଆନ୍ଦୋଳନ କରିବାକୁ ସେ ଆହ୍ବାନ ଦେଇଥିଲେ । ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଶଙ୍କର ପରିଡା କହିଥିଲେ ଯେ, ରାଜ୍ୟ ସରକାରଙ୍କ ପାଇଁ ଭାରତମାଳା ପରିଯୋଜନା ନକ୍ସା ଦୀଘାରୁ ଗୋପାଳପୁର ଭାୟା ସାତପଡ଼ା ଚିଲିକା ନହୋଇ ଟାଙ୍ଗୀ ଠାରେ ସଂଯୋଗ ହୋଇ ରତନପୁର ଦେଇ ଦୀଘା ପର୍ଯ୍ୟନ୍ତ ପରିବର୍ତ୍ତନ ହୋଇଛି । ଆଇନଜୀବୀ ଦିଗମ୍ବର ବେହେରା କହିଥିଲେ ଯେ, ପୂର୍ବତନ ବିଧାୟକ ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ପ୍ରସ୍ତାବ କ୍ରମେ ବର୍ତ୍ତମାନର ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ଅନ୍ୟାନ୍ୟ ଦଳର ନେତା ତଥା ଅଞ୍ଚଳର ପଚାଶ ଜଣ ବୁଦ୍ଧିଜୀଵୀ ମାନଙ୍କୁ ନେଇ ଏକ ବୈଷୟିକ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ଏଥିରେ ସମସ୍ତ ଆନ୍ଦୋଳନକାରୀ ଅନୁଷ୍ଠାନର ମୁଖ୍ୟ, ଜାତୀୟ ଉଚ୍ଚ ସଡ଼କ ପଥ କର୍ତ୍ତୃପକ୍ଷ ରହିବେ ଓ ସେ ଏହାର ଆବାହକ ରହିବେ ।
ସମସ୍ତ ଆନ୍ଦୋଳନକାରୀ ଗୋଟିଏ ଛତା ତଳେ ରହି ସାମୁହିକ ଭାବେ ନିଷ୍ପତ୍ତି ଗ୍ରହଣ କରିବାକୁ ଓ କାର୍ଯ୍ୟ କରିବାକୁ ସେ ଆହ୍ବାନ ଜଣାଇଛନ୍ତି । ଏହାର ନିଷ୍କର୍ଷ ଆଧାରରେ ଚିଲିକାରେ ସେତୁ ନିର୍ମାଣ ପାଇଁ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ । ଆଗାମୀ ୧୯ ତାରିଖ ଦିନ ଏକ ୧୫ ଜଣିଆ ପ୍ରତିନିଧି ମଣ୍ଡଳୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନେ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ଭୁବନେଶ୍ୱର ଠାରେ ସାକ୍ଷାତ କରି ଏ ସମ୍ପର୍କରେ ଆଲୋଚନା କରିବ ବୋଲି କେଳୁଚରଣ ଜେନା ସଭାରେ ସୂଚନା ଦେଇଛନ୍ତି । ଚିଲିକାରେ ସେତୁ ନିର୍ମାଣ କରାଗଲେ ଏଠାରୁ ୪୩ କିମି ଦୂରରେ ଅବସ୍ଥିତ ନଳବଣ ପକ୍ଷୀ ଅଭୟାରଣ୍ୟ ଉପରେ କିଛି ପ୍ରଭାବ ପଡ଼ିବ ନାହିଁ ବୋଲି ସଭାରେ ମତ ପ୍ରକାଶ ପାଇଛି । ଇର଼ୱ୍ଆଡି ଡଲ୍ଫିନ୍ ମାନଙ୍କ ପାଇଁ ଏକ ସଂରକ୍ଷଣ ଅଞ୍ଚଳ ଚିହ୍ନଟ କରିବା ପାଇଁ ସଭାରେ ବକ୍ତାମାନେ କହିଛନ୍ତି ।ଶେଷରେ ମଞ୍ଚର ସମ୍ପାଦକ ବିକ୍ରମ ପଲାଇ ଧନ୍ୟବାଦ ଅର୍ପଣ କରିଥିଲେ।