ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଏକ ଉତରଦାୟୀ ଓ ସ୍ୱଚ୍ଛ ଶାସନ ଦେବା ପାଇଁ ୫-ଟି ସୂତ୍ର ଆରମ୍ଭ କରିଛନ୍ତି । କାର୍ଯ୍ୟରେ ସ୍ୱଚ୍ଛତା ଅବଲମ୍ବନ, ବୈଷୟିକ ଜ୍ଞାନ କୌଶଳର ଉପଯୋଗ, ସାମୂହିକ ଉଦ୍ୟମ ଏବଂ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପାଦନ ଦ୍ୱାର ପରିବର୍ତନ ହାସଲକୁ ପ୍ରଶାସନର ସମସ୍ତ ସ୍ତରରେ ଗୁରୁତ୍ୱ ପ୍ରଦାନ କରାଯାଉଛି । ବନଖଣ୍ଡ ଅଧିକାରୀମାନେ ଏହି ୫ଟି ସୂତ୍ରକୁ ଆଧାର କରି ବିଭାଗୀୟ ଯୋଜନାଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସଫଳାଭାବେ ରୂପାୟିତ କରବାକୁ ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ବନଖଣ୍ଡ ଅଧିକାରୀ ସମ୍ମିଳନୀରେ ଆହ୍ୱାନ ଦେଇଛନ୍ତି ।
ସ୍ଥାନୀୟ ଅରଣ୍ୟ ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ଆରୁଖ କହିଲେ ଯେ, ଜଙ୍ଗଲ ସମ୍ପଦର ସୁରକ୍ଷା ଓ ସୁପରିଚାଳନା ବନଖଣ୍ଡ ଅଧିକାରୀମାନଙ୍କ ହାତରେ ନ୍ୟସ୍ତ । ନୂତନ ବୈଷୟିକ ଜ୍ଞାନ କୌଶଳର ଉପଯୋଗ ଦ୍ୱାରା ଜଙ୍ଗଲ ଓ ଜଙ୍ଗଲ ସମ୍ପଦର ବିକାଶମୁଖୀ ପରିଚାଳନା ସମ୍ଭବ ହେବ । ସେମାନଙ୍କ ନିଷ୍ଠା ଓ କର୍ତବ୍ୟବୋଧ ଯୋଗୁ ରାଜ୍ୟର ଜଙ୍ଗଲ ପରିସୀମା ବଢ଼ିଛି । ସାରା ଦେଶରେ ଆମ ରାଜ୍ୟ ଚତୁର୍ଥ ସ୍ଥାନ ହାସଲ କରି ସୁନାମ ଅର୍ଜନ କରିଛି ।
ମନ୍ତ୍ରୀ ଶ୍ରୀ ଆରଖ କହିଲେ ଯେ, କାମ୍ପା ଯୋଜନାରେ ୨୦୦୯-୨୦୧୦ଠାରୁ ୨୦୧୭-୧୮ ପର୍ଯ୍ୟନ୍ତ ୯ଟି ବାର୍ଷିକ କାମ୍ପା ଯୋଜନାରେ ବିଭିନ୍ନ କିସ୍ତିରେ ସମୁଦାୟ ୨ ହଜାର ୬୪୪ କୋଟି ଟଙ୍କାର ପ୍ରାପ୍ତ ହୋଇଥିଲା ଏବଂ ଏହି ଅର୍ଥକୁ ଅତି ସଫଳତାର ସହ ବିନିଯୋଗ କରାଯାଇଛି । ଜାତୀୟ କ୍ଷତିପୂରକ ବନୀକରଣ ଜମା ଅର୍ଥରୁ କାମ୍ପା ପାଣ୍ଠି ବିନିଯୋଗ ଉଦ୍ଦେଶ୍ୟରେ ଓଡ଼ିଶାର ଅଂଶଧନ ବାବଦକୁ ରାଜ୍ୟ ୫୯୩୩ କୋଟି ଟଙ୍କା ପାଇଛି । ୨୦୧୯-୨୦ ବାର୍ଷିକ କାର୍ଯ୍ୟ ଯୋଜନାରେ କାମ୍ପାରେ ମୁଖ୍ୟତଃ ବନୀକରଣ, ବନ୍ୟଜନ୍ତୁ ପରିଚାଳନା, ଜଙ୍ଗଲ ସୁରକ୍ଷା, ଦକ୍ଷତା ବୃଦ୍ଧି ଏବଂ ଆନୁସଙ୍ଗିକ ବ୍ୟୟ ବାବଦକୁ ୫୯୩ କୋଟି ଟଙ୍କାର ଅନୁମୋଦନ ମିଳିଛି । କ୍ଷତିପୂରକ ବନୀକରଣ ପାଣ୍ଠି ଉପଯୋଗ ନିମନ୍ତେ ଏକ ସ୍ୱଚ୍ଛ ଆର୍ଥିକ ପ୍ରଣାଳୀ ପ୍ରଣୟନ କରିବାରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ । ଏହି ବିପୁଳ କାମ୍ପା ପାଣ୍ଠିର ସୁବିନିଯୋଗ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । ବନୀକରଣ, କ୍ଷତିପୂରକ ବନୀକରଣ, ଜଙ୍ଗଲ ସୁରକ୍ଷା, ସମନ୍ୱିତ ବନ୍ୟପ୍ରାଣୀ ପରିଚାଳନା, ଆମ ଜଙ୍ଗଲ ଯୋଜନା, ଭିତିଭୂମି ଉନ୍ନୟନ ଆଦି ବିଭିନ୍ନ କ୍ଷେତ୍ରରେ କାମ୍ପା ପାଣ୍ଠିକୁ ବନଖଣ୍ଡ ଅଧିକାରୀମାନେ ସମସ୍ତ ସ୍ୱଚ୍ଛତା ବଜାୟ ରଖିବା ସହ ମାର୍ଗଦର୍ଶିକା ଅନୁସାରେ ସମୟୋଚିତ ଭାବେ ବିିନିଯୋଗ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।
ମୁଖ୍ୟମନ୍ତ୍ରୀ ରାଜ୍ୟରେ ଥିବା ଅପରୂପ ସୌନ୍ଦର୍ଯ୍ୟ ବିମଣ୍ଡିତ ସ୍ଥଳୀଗୁଡ଼ିକୁ ପର୍ଯ୍ୟଟକ ମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ କିରବା ଉପରେ ସଦା ସର୍ବଦା ଗୁରୁତ୍ୱ ଦେଇ ଆସୁଛନ୍ତି । ପରିବେଶ ପର୍ଯ୍ୟଟନକୁ ଅôଦକ ବିକଶିତ କରିବାପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ସଂକଳ୍ପବଦ୍ଧ । ଏ ଦିଗରେ ଅଧିକ ତତ୍ପରତାର ସହ କାର୍ଯ୍ୟ କରି ବନଖଣ୍ଡ ଅଧିକାରୀମାନେ ସଂମ୍ପୃକ୍ତ ବନାଂଚଳରେ ରହିଥିବା ମନୋରମ ସ୍ଥଳୀଗୁଡ଼ିକୁ ରାଜ୍ୟ ପରିବେଶ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରିବା ପାଇଁ ଉଦ୍ୟମ କରିବେ ବୋଲି ସେ କହିଥିଲେ ।
ଜଙ୍ଗଲ ନିକଟରେ ଥିବା ବନ ସୁରକ୍ଷା ସମିତିର ନିଷ୍ଠାପର ସହଯୋଗ ବିନା ଜଙ୍ଗଲ ସୁରକ୍ଷା ଏକ ଦୁରୁହ ବ୍ୟାପାର । ବନଖଣ୍ଡ ଅଧିକାରୀମାନେ ଅଧିକରୁ ଅଧିକ ବନ ସୁରକ୍ଷା ସମିତି ଗଠନରେ ସହାୟକ ହେବା ସହ ଏହି ବନ ସୁରକ୍ଷା ସମିତିଗୁଡ଼ିକ ସହ ସମନ୍ୱୟ ରକ୍ଷା କରି ସାମାଜିକ ବନୀକରଣ, ଜଙ୍ଗଲ ସୁରକ୍ଷା ଓ ବନାଂଚଳ ଅଭିବୃଦ୍ଧିରେ ନିର୍ଣ୍ଣାୟକ ଭୂମିକା ନେବେ । ଗତ ମେ ମାସରେ ହୋଇଥିବା ଫନିର ପ୍ରଭାବରେ ଉପକୂଳ ଓଡ଼ିଶାର ସବୁଜିମା ବ୍ୟାପକ ଭାବରେ ନଷ୍ଟ ହୋଇଥିଲା । ଏହି ସବୁଜିମା ଫେରାଇ ଆଣିବା ପାଇଁ ବ୍ୟାପକ ବନୀକରଣ କାର୍ଯ୍ୟକ୍ରମକୁ ବନଖଣ୍ଡ ଅଧିକାରୀମାନେ ପ୍ରତ୍ୟକ୍ଷ ଭାବରେ ତଦାରଖ କରିବା ଜରୁରୀ ବୋଲି ଶ୍ରୀ ଆରୁଖ ମତ ପ୍ରକାଶ କରିଥିଲେ ।
ଏହି ସମ୍ମିଳନୀରେ ବିଭାଗୀୟ ପ୍ରମୁଖ ସଚିବ ଡ. ମୋନା ଶର୍ମା ଯୋଗ ଦେଇ ମଣିଷ-ବନ୍ୟଜନ୍ତୁ ସଂଘଷକୁ ପ୍ରତିହତ କରିବା, ପରିବେଶ ପର୍ଯ୍ୟଟନକୁ ଅଧମକ ଋଦ୍ଧିମନ୍ତ କରିବା, ନନ୍ଦନକାନନ ଚିଡ଼ିଆଖାନାର ପରିଚାଳନାକୁ ଅଧିକ ସୁସଂହତ କରିବା, ଜଙ୍ଗଲ ଏକାଡେମୀ ପ୍ରତିଷ୍ଠାକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଡଃ. ସଂଜୟ ତ୍ରିପାଠୀ ସ୍ୱାଗତ ଭାଷଣ ଦେଇ କହିଲେ ଯେ, ଜଙ୍ଗଲ ପରିଚାଳନାରେ ସଂସ୍କାର ଆଣିବା ଓ ନୂତନ ପଦ୍ଧତିକୁ ଆପଣେଇବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ।
ଏହି ଅବସରରେ ଅନଲାଡ଼୍ ଟିମ୍ବର ଟ୍ରାନଜିଟ୍ ପରମିଟ୍ ସିଷ୍ଟମ ମନ୍ତ୍ରୀ ଶ୍ରୀ ଆରୁଖଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ସୂଚନାଯୋଗ୍ୟ ଯେ, ପୂର୍ବରୁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ଜମି ପରିସରରେ ଥିବା ମୂଲ୍ୟବାନ ବୃକ୍ଷକୁ କାଟି ଏହାର ବିନିଯୋଗ କରିବା ପାଇଁ ଅନୁମତିପତ୍ର ହାସଲକୁ ୧୭୨ ଦିନ ସମୟ ଲାଗୁଥିଲା । ଆଜି ଅନ୍ଲାଇନ୍ ଟିମ୍ବର ଟ୍ରାନଜିଟ୍ ପରମିଟ୍ ସିଷ୍ଟମ ଲୋକାର୍ପିତ ହେବା ପରେ ଏହି ସମୟସୀମା ୪୨ ଦିନକୁ ହ୍ରାସ ପାଇବ ଓ ଜଙ୍ଗଲ ପ୍ରଶାସନରେ ଅଧିକ ସ୍ୱଚ୍ଛତା ଆସିବ । ଅନ୍ଲାଇନ୍ ଆକାଉଂଟିଂ, ଟେଣ୍ଡର ବ୍ୟବସ୍ଥାରେ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଫରେଷ୍ଟ କୋର୍ଡ଼ରେ ଆବଶ୍ୟକ ସଂଶୋଧନ କରାଯାଇ ଜଙ୍ଗଲ ବିଭାଗର ଆଥିକ ପରିଚାଳନାରେ ବ୍ୟାପକ ସ୍ୱଚ୍ଛତା ଆସିବ ।
ଅନୁଗୁଳ, ବାରିପଦା, କେଉଁଝର, ବରାଇ, ଭଦ୍ରକ, ସୁନ୍ଦରଗଡ଼ ଓ ସମ୍ବଲପୁର ବନଖଣ୍ଡ ଅଧିକାରୀମାନେ ଜଙ୍ଗଲ ପରିଚାଳନା କ୍ଷେତ୍ରରେ ଆପଣେଇଥିବା ଅଭିନବ ପଦ୍ଧତି ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଆରୁଖଙ୍କୁ ବିଭିନ୍ନ ତଥ୍ୟ ଭିତିକ ସୂଚନା ଦେଇଥିଲେ ।