ସମ୍ବଲପୁର, ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ସମ୍ବଲପୁରର ଆରାଧ୍ୟ ଦେବୀ ମା ସମଲେଶ୍ବରୀଙ୍କ ମନ୍ଦିର ସହ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଅ।ଜିଠୁ ଖୋଲିଛି । ସରକାରଙ୍କ ନୂତନ ଗାଇଡଲାଇନକୁ ଅନୁପାଳନ କରିବା ସହ ମୁହଁରେ ମାସ୍କ ପରିଧାନ ଓ ସାମାଜିକ ଦୂରତା ରକ୍ଷା କରି ଭକ୍ତ ମାନେ ମନ୍ଦିର ମଧ୍ୟକୁ ପ୍ରବେଶ ସହିତ ଦେବାଦେବୀଙ୍କ ଦର୍ଶନ କରୁଛନ୍ତି । ମା ସମଲେଶ୍ବରୀଙ୍କ ଦର୍ଶନ ପାଇଁ ଏକକାଳୀନ ୫ ଜଣ ଭକ୍ତଙ୍କୁ ପ୍ରବେଶ ପାଇଁ ଅନୁମତି ରହିଛି । ସକାଳ ୬ଟାରୁ ପୂର୍ବାହ୍ନ ସାଢ଼େ ୧୧ଟା ଓ ଅପରାହ୍ନ ୩ଟାରୁ ସନ୍ଧ୍ୟା ସାଢ଼େ ୭ଟା ପର୍ଯ୍ୟନ୍ତ ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିର ଉନ୍ମୁକ୍ତ ରହିବ । ମାତ୍ର ସଫେଇ ବିଶୋଧନ ପାଇଁ ସପ୍ତାହରେ ସୋମବାର ମନ୍ଦିର ବନ୍ଦ ରହିବ ।
ତେବେ ସମସ୍ତ ଭକ୍ତ ଖାଲିହାତରେ ଯାଇ କେବଳ ମାଙ୍କ ଦର୍ଶନ କରୁଛନ୍ତି । ପ୍ରଶାସନିକ ନିର୍ଦ୍ଦେଶ ପ୍ରକାରେ ହାତରେ କୌଣସି ପ୍ରକାର ଧୂପ, ଫୁଲ, ଦୀପ ଆଦି ନେବାକୁ ବାରଣ କରାଯାଇଛି । ଏହା ବ୍ୟତୀତ ଭକ୍ତମାନଙ୍କୁ ଭିତରେ ଛିଡ଼ା ହୋଇ ରହିବାକୁ ଅନୁମତି ନାହିଁ । ଏପରିକି ଭକ୍ତଙ୍କୁ ମନ୍ଦିର ମଧ୍ୟରେ କୌଣସି ଅସବାବପତ୍ର ଛୁଇଁବାକୁ ମଧ୍ୟ ବାରଣ କରାଯାଇଛି । ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା, ଶିଶୁ ଓ ରୋଗୀଙ୍କୁ ମନ୍ଦିର ପ୍ରବେଶ ଉପରେ କଟକଣା ରହିଛି ।
ସୂଚନାଯୋଗ୍ୟ ଯେ, କରୋନା ସଂକ୍ରମଣ ଯୋଗୁଁ ସରକାରଙ୍କ ନିର୍ଦ୍ଦେଶରେ ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ଵାର ଆଦି ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା । ତେବେ ବର୍ତ୍ତମାନ କରୋନା ସ୍ଥିତିରେ ଉନ୍ନତି ହେବାରୁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିର ସହ ସମସ୍ତ ଧର୍ମାନୁଷ୍ଠାନ ଗୁଡ଼ିକୁ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି । ଜିଲ୍ଲା ପ୍ରଶାସନ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦିଷ୍ଟ ମାର୍ଗଦର୍ଶିକାର ତଥା କୋଭିଡ୍ ନିୟମ ଅନୁପାଳନ କରି ଧର୍ମାନୁଷ୍ଠାନ ଗୁଡ଼ିକ ଭକ୍ତ ତଥା ଜନସାଧାରଣଙ୍କ ସକାଶେ ଖୋଲାଯାଇଛି । ତେବେ ସପ୍ତାହରେ ଗୋଟିଏ ଦିନ ବିଶୋଧନ ଓ ସଫେଇ ପାଇଁ ମନ୍ଦିର ସହ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିବ ।