
ଶିଳ୍ପ ପ୍ରତିଷ୍ଠା କରିବାର ପ୍ରତିଶୃତି ଦେଇ ଉନ୍ନତମାନର ପ୍ରଚୁର ଲୁହାପଥର ଗଛିତ ଥିବା ଗନ୍ଦଲପଡା ଖଣିକୁ ହାତେଇବା ପାଇଁ ଭିତିରିଆ ଗୁପ୍ତ ଯୋଜନା ମଧ୍ୟ କୁଆଡେ ପ୍ରସ୍ତୁତ ସରିଛି । ତେବେ ପୂର୍ବରୁ ଖଣି ଥାଇ ମଧ୍ୟ ଶିଳ୍ପ ପ୍ରତିଷ୍ଠା ପାଇିଁ ଆଗ୍ରହୀ ନଥିବା କମ୍ପାନୀ ଉକ୍ତ ଖଣିକୁ ହାତେଇବା ଲକ୍ଷ୍ୟରେ ଷ୍ଟିଲପ୍ଲାଟଂ ନାମରେ ପୁରୁଣା କାରଖାନା ସଂପ୍ରସାରଣ ଘଟଣାକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି । ଅଧିଗ୍ରହଣ ଜମି , ବିବାଦ ଘେରରେ ଥିବାରୁ କାରଖାନାକୁ ସଂପ୍ରସାରଣ କରି ଷ୍ଟିଲପ୍ଲାଟଂ ପ୍ରତିଷ୍ଠା ନେଇ ଅନିଶ୍ଚିତତା ଲାଗିରହିଥିବାବେଳେ ଖଣି ହାସଲ ପରେ କମ୍ପାନୀର ପ୍ଲାଟଂ ପ୍ରତିଷ୍ଠା ସ୍ୱଭାବିକ ଭାବେ ସନ୍ଦେହ ସୃଷ୍ଟି କରିଛି । କେନ୍ଦୁଝର ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଂଚଳ । ଷ୍ଟିଲପ୍ଲାଟଂ ପାଇଁ ଅଧିଗ୍ରହଣ ହୋଇଥିବା ଜମିକୁ ସରକାର ଇଡକୋ ମାଧ୍ୟମରେ ବେଆଇନ ଭାବେ ଲୋକଙ୍କ ଆସ୍ଥା କିମ୍ବା ସହମତି ନିଆ ନଯାଇ ଚଂଚକତା କରାଯାଇ ଆଦିବାସୀଙ୍କ ଜମିକୁ ଅଧିଗ୍ରହଣ କରାଯାଇଥିବା ,ଏପରିକି ମୃତ ଲୋକଙ୍କ ନାମରେ ଜାଲଦସ୍ତଖତ ହୋଇଥିବା କୁହାଯାଇଛିି । ଏହାଦ୍ୱାରା ଆଦିବାସୀମାନଙ୍କର ଜୀବନଜୀବିକା ଗୁରୁତର ଭାବେ ପ୍ରଭାବିତ ହେବ । ଯେଉଁଠାରେ ଜମି ହରାଉଥିବା ନିରୀହ ଆଦିବାସୀ ନିଜର ହକ ଏବଂ ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି ସେଠାରେ ରାଜ୍ୟ ସରକାରଙ୍କ ଷ୍ଟିଲପ୍ଲାଟଂଣ୍ଟ ଘୋଷଣା ଜିଲ୍ଲାବାସୀଙ୍କୁ କିପରି ନ୍ୟାୟ ଦେବେ ବୋଲି ପ୍ରଶ୍ନ କରିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ଅଶୋକ ଠକ୍କର । ପ୍ରାକୃତିକ ସମ୍ପଦକୁ ନଷ୍ଟ କରି ନେତା ଓ କମ୍ପାନୀଙ୍କ ସାଲିସରେ ବିକାଶ ନାମରେ ବିନାଶ ଉଦ୍ୟମର ଜବାବ ଦିଆଯିବ ବୋଲି ସେ କହିଛନ୍ତି ।
ସେହିପରି କାଶିଆ ଳୁହାପଥର ଖଣିକୁ କଳିଙ୍ଗନଗରଠାରେ ଥିବା ଏକ କାରଖାନାକୁ ଦେବାକୁ ଉଦ୍ୟମ ହେଉଥିବା ସେ ଅଭିଯୋଗ କରିଛନ୍ତି । ତେବେ ଜିଲ୍ଲାରେ ମେଗା ଇସ୍ପାତ କାରଖାନାର ଦାବୀ ରହିଥିବାବେଳେ ଖଣି କମ୍ପାନୀ ନିଜର ବିକାଶ ପାଇଁ ସରକାରଙ୍କ ସହାୟତାରେ ଉନ୍ନତମାନର ଖଣି ହାତେଇବା ଲବି ଆରମ୍ଭ କରିଥିବାକୁ ନେଇ ଜିଲ୍ଲାରେ ବିରୋଧାଭାଷ ଦେଖାଦେଲାଣି । ମହାମାରୀ କୋଭିଡ୍-୧୯ ପରିସ୍ଥିତିରେ ଜୀବନ ଓ ଜୀବିକାର ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ କେନ୍ଦୁଝର ଜିଲ୍ଲାରେ ଖଣି ଗୁଡିକ ମେସିନରେ କାମ ହେଉଥିବାରୁ ବହୁ ଶ୍ରମିକ କାମ ହରାଇ ଦାଦନ ଖଟିବାକୁ ଯାଉଛନ୍ତି । ନିଜ ଘର ପାଖରେ ଥିବା ଖଣି ଏବେ ବାହାର ଲୋକ ଏବଂ ଅଣଓଡିଆଙ୍କ ଦ୍ୱାରା ପରିଚାଳିତ ହେଉଥିବାବେଳେ ଶ୍ରମିକଙ୍କ ସମସ୍ୟାକୁ କେହି ଗୁରୁତ୍ୱ ଦେଉନାହାଁନ୍ତି । ଫଳରେ ହଜାର ହଜାର ଶ୍ରମିକ ଏବେ କାମଧନ୍ଦା ହରାଇଛନ୍ତି । ସରକାର ଶ୍ରମିକଙ୍କ ସମସ୍ୟା ପ୍ରତି ଆଖିବୁଜି ଦେଇଥିବାବେଳେ ଖଣିମାଲିକଙ୍କୁ ସୁହାଇଲା ଭଳି କାମ କରୁଥିବା ସେ ଅଭିଯୋଗ କରିଛନ୍ତି । କେନ୍ଦୁଝର ଜିଲ୍ଲାରେ ବୃହତ ଶିଳ୍ପ ପ୍ରତିଷ୍ଠା ନକରି ଏଠାରୁ ଲୁହାପଥର ନେଇଯିବାକୁ ହେଉଥିବା ଉଦ୍ୟମକୁ ଜିଲ୍ଲାବାସୀଙ୍କ ପକ୍ଷରୁ ଘୋରବିରୋଧ କରାଯିବ ବୋଲି ବହୁଳ ମତ ପ୍ରକାଶ ପାଉଛି ।