ସୁନାବେଶ ପରଦିନ ପରମ୍ପରା ଅନୁସାରେ ରଥ ଉପର ଶ୍ରୀଜିଉଙ୍କ ଅଧରପଣା ନୀତି ଅନୁଷ୍ଠିତ ହୋଇଥାଏ । ରତ୍ନ ସିଂହାସନ ଛାଡ଼ି ରଥରେ ଅବତରଣ କରିବା ପରେ ମହାପ୍ରଭୁଙ୍କୁ ଦର୍ଶନ ସହ ମୁକ୍ତି ପାଇଁ ଚଣ୍ଡିଚାମୁଣ୍ଡା ଘୂରି ବୁଲୁଥାନ୍ତି ।ଏମାନଙ୍କୁ ତୃପ୍ତ କରିବା ପାଇଁ ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ତିଥିରେ ରଥାରୂଢ଼ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଅଧରପଣା ନୀତି ହୋଇଥାଏ |। ଏହି ପଣା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଲାଗି ହେବା ପରେ ରଥ ଉପରେ ଅଧରହାଣ୍ଡିକୁ ଭାଙ୍ଗି ଚଣ୍ଡି ଚାମଣ୍ଡା ମାନଙ୍କ ସହିତ ରଥର ପାର୍ଶ୍ଵ ଦେବଦେବୀଙ୍କୁ ଏହି ପଣା ସମର୍ପଣ କରାଯାଇଥିଲା ।
ଅଧରପଣା ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ, ରାଘବଦାସ ମଠ ଓ ବଡ଼ଓଡ଼ିଆ ମଠ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା । ଛାଚି, ସର, କଦଳୀ,ଛେନା, ଗୋଲମରିଚ, କର୍ପୂର ଓ ଜାଇଫଳ ଆଦି ୯ ଗୋଟି ସାମଗ୍ରୀ ପଣା ପାଇଁ ବ୍ୟବହୃତ ହୋଇଥିଲା । ମହାପ୍ରଭୁଙ୍କ ସେବକମାନେ ପଣା ପ୍ରସ୍ତୁତ କରିଥିଲେ ।ତ୍ରିବଡୁ, ସୁଆରବଡୁ, ଗରାବଡୁ ପାଳିଆ ସେବକ ପଣା ପ୍ରସ୍ତୁତି କରିବା ପରେ ପୂଜାପଣ୍ଡା ସେବକ ପଣା ହାଣ୍ଡିକୁ ପଞ୍ଚୋପଚାରରେ ପୂଜାର୍ଚ୍ଚନା କରିବା ପରେ ଏହି ଅଧରହାଣ୍ଡି କୁ ଭଙ୍ଗା ଯାଇଥିଲା |। ଆସନ୍ତାକାଲି ନିଳାଦ୍ରିବିଜେରେ ଶ୍ରୀମନ୍ଦିର ରତ୍ନବେଦୀକୁ ଫେରିଯିବେ ଚତୁର୍ଦ୍ଧାମୂର୍ତ୍ତି । ପୁରୀରେ କିଛି ଅଂଚଳରେ କର୍ଫୁ ବଳବତ୍ତର ରହିଛି ।ମାର୍କେଟ ଛକ, କାକୁଡ଼ିଖାଇ ଛକ ସମେତ ଶ୍ରୀମନ୍ଦିର ସହ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଆସନ୍ତା ୨୪ ତାରିଖ ସକାଳ ୬ ଟା ପର୍ଯ୍ୟନ୍ତ କର୍ଫୁ ଜାରି ରହିବ ।