-
ଶିକ୍ଷକତାରୁ ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ, ବିଜୟଙ୍କ ବିଜୟ ଯାତ୍ରା

ବ୍ରହ୍ମପୁର/ଛତ୍ରପୁର,(ବ୍ୟୁରୋ/ଆପ୍ର): ଭାରତୀୟ ପ୍ରଶାସନିକ ସେବାର ଜଣେ ବରିଷ୍ଠ ଅଧିକାରୀ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ଜଣେ କର୍ତ୍ତବ୍ୟନିଷ୍ଟ ଓ କାର୍ଯ୍ୟ ଦକ୍ଷ ପ୍ରଶାସକ ଭାବରେ ବେଶ୍ ଜଣାଶୁଣା। କରୋନା ମହାମାରୀର ପ୍ରଥମ ଲହରୀରେ ଗଞ୍ଜାମ ଜିଲ୍ଲାପ୍ରଶାସନର ଉଦ୍ୟମ ଓ କାର୍ଯ୍ୟ ଦକ୍ଷତା କରୋନା ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଆଣି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିବା ସହ ସାରା ବିଶ୍ବରେ ରୋଲ୍ ମଡେଲ ସାଜିଥିଲା ଗଞ୍ଜାମ ଜିଲ୍ଲା। ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ମଧ୍ୟ ଗଞ୍ଜାମ ଜିଲ୍ଲା ବେଶ୍ ପ୍ରଶଂସନୀୟ। ଦୂର ଦୃଷ୍ଟି ସମ୍ପନ୍ନ ଚିନ୍ତା ଧାରା ଆଗୁଆ ପଦକ୍ଷେପ ସହ ଜିଲ୍ଲାବାସୀଙ୍କ ସହଯୋଗ ଯୋଗୁଁ ସବୁ କ୍ଷେତ୍ରରେ ଗଞ୍ଜାମ ନିଜର ପ୍ରଥମ ସ୍ଥାନ ବଜାୟ ରଖିପାରିଛି। ଜିଲ୍ଲାପାଳ ଭାବେ ଗଞ୍ଜାମରେ କରୋନା ମୁକାବିଲା ପାଇଁ ସେ ଅନେକ ଅଭିନବ ପଦକ୍ଷେପ ନେଇଛନ୍ତି। ଘରକୁ ଘର ବୁଲି ମେଗା ସ୍ୱାସ୍ଥ୍ୟ ଯାଞ୍ଚ୍, ସମ୍ଭାବ୍ୟ କରୋନା ତୃତୀୟ ଲହରୀକୁ ନେଇ ପ୍ରଥମ ଜିଲ୍ଲା ଭାବେ ଜିଲ୍ଲାରେ ଶିଶୁମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ୍, ସଂକ୍ରମଣ ରୋକିବାକୁ ପଡୋଶୀ ସୀମା ସିଲ୍, ପ୍ରବାସୀଙ୍କୁ ମନରେଗାରେ କର୍ମନିଯୁକ୍ତି, ଟିକାଦାନଙ୍କୁ ପ୍ରୋତ୍ସାହିତ କରିବା ଲାଗି ଦୋକାନୀଙ୍କୁ ଦୋକାନ ସାମ୍ନାରେ ଟିକା ପ୍ରମାଣ ପତ୍ର ଟଙ୍ଗାଇବାକୁ ବାଧ୍ୟତାମୂଳକ କରିବା, ମାସ୍କ ନ ପିନ୍ଧିଲେ ସଉଦା ନାହିଁ, ଘରକୁ ଘର ବୁଲି ଅମ୍ଲଜାନ ସ୍ତର ଯାଞ୍ଚ୍, ଭୋଜିରେ ପାର୍ସଲକୁ ଅନୁମତି, ପିଲାଙ୍କ ପାଇଁ ଦିନଟିଏ, ନିର୍ଭୟା କଢି, ମୋ ଗେହ୍ଲା ଝିଅ, ମୋ ଗାଁରେ ତହସିଲ, ମୋ ନିବେଦନ କାର୍ଯ୍ୟକ୍ରମ, ରାଜସ୍ବ ରଥ, ମଧୁ ଅପ୍ ଏହି ଭଳି ପଦକ୍ଷେପ କାର୍ଯ୍ୟକାରୀ କେବଳ ଗଞ୍ଜାମ ଜିଲ୍ଲାରୁ ହିଁ ଆରମ୍ଭ ହୋଇଛି। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ରାଜସ୍ବ ରଥ ଜିଲ୍ଲାର ପ୍ରତି ଗାଁ ଗାଁରେ ବୁଲି ତହସିଲ ସମ୍ବନ୍ଧୀୟ ଅଭିଯୋଗ ଗ୍ରହଣ ସହ ଘରବାରି ପଟ୍ଟା ବଣ୍ଟନ, ମୋ ନିବେଦନ କାର୍ଯ୍ୟକ୍ରମ ପ୍ରତି ପଞ୍ଚାୟତରେ କରାଯାଇ ଲୋକଙ୍କ ଅଭିଯୋଗ ଶୁଣାଣି କରାଯାଇ ସମାଧାନ କରାଯାଉଳଛି। ଯାହା ଫଳରେ ସାଧାରଣ ଲୋକେ ଅଯଥାରେ କାର୍ଯ୍ୟାଳୟ ନ ଆସି ସିଧାସଳଖ ନିଜର ଅଭିଯୋଗ ଜଣାଇ ପାରୁଛନ୍ତି। ମଧୁ ଅପ୍ କରୋନା
କଟକଣା ସମୟରେ ଏହା ପିଲାଙ୍କ ପାଠପଢ଼ାରେ ବେଶ୍ ସହାୟକ ହୋଇପାରିଲା। ସ୍ମାର୍ଟ୍ କ୍ଲାସ କାର୍ଯ୍ୟକାରିତା ସବୁଠାରୁ ଆଗରେ ଗଞ୍ଜାମ ଜିଲ୍ଲା। ମନରେଗାରେ ରେକର୍ଡ ସଂଖ୍ୟକ ଶ୍ରମ ଦିବସ ସୃଷ୍ଟି କରି ରାଜ୍ୟରେ ପ୍ରଥମ ସ୍ଥାନ ଥିବା ବେଳେ ଦେଶରେ ଚତୁର୍ଥ ସ୍ଥାନରେ ରହିଛି। ପରିବେଶ ଓ ବନୀକରଣ ପାଇଁ ପିଲାଟିଏ ଗଛଟିଏ କାର୍ଯ୍ୟକ୍ରମ, ଦୋକାନୀମାନଙ୍କୁ ପଞ୍ଚସୂତ୍ରୀ ନିୟମ ପାଳନ କରିବା ଆଦି ପଦକ୍ଷେପ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିଛି। ଅତି ନିକଟରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ “ଆଜିର ଦିନଟି ମୋର” ଉନ୍ମୋଚନ କରିଥିଲେ। ଜଣେ ଉତ୍ତମ ପ୍ରଶାସକ ଭାବେ ତାଙ୍କ କାର୍ଯ୍ୟଧାରା ଯେତିକି ଚର୍ଚ୍ଚିତ, ସଂଘର୍ଷମୟ ପିଲାଦିନ ସେତିକି ରୋମାଞ୍ଚକର ଯାହା କୈାଣସି ଚଳଚ୍ଚିତ୍ର ଠାରୁ କମ୍ ନୁହେଁ। ଯାହା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଜୀବନ କାହାଣୀ ଓଡ଼ିଆ ଅନୁବାଦ ପୁସ୍ତକ ଆଜିର ଦିନଟି ମୋର” ରୁ ଅନେକ ସଂଘର୍ଷମୟ କାହାଣୀ ଲୁକ୍କାୟିତ ଭାବେ ଥିବା ସଫଳତ ପଛର ଜାଣି ହୋଇପାରୁଛି। ବିଜୟ ଅମୃତା କୁଲାଙ୍ଗେଙ୍କ ସ୍ୱପ୍ନ ଥିଲା ଜଣେ ଭଲ ଡାକ୍ତର ହେବା। ହେଲେ ପରିବାରର ଅତିଶୟ ଦାରିଦ୍ର୍ୟ ଏଭଳି ସ୍ୱପ୍ନରେ ପ୍ରତିବନ୍ଧକ ସାଜିଥିଲା। ସେହି ଦିନମଜୁରୀଆ ପରିବାର ପାଇଁ ସନ୍ତାନକୁ ଡାକ୍ତର ପାଠ ପଢ଼ାଇବା ଥିଲା ଅସମ୍ଭବ। ଶେଷରେ ଶିକ୍ଷକତା ଆରମ୍ଭ କରିଥିଲେ ଶ୍ରୀ କୁଲାଙ୍ଗେ। କିନ୍ତୁ ସ୍ୱପ୍ନ ସଙ୍କୁଚିତ ହୋଇନଥିଲା କୁହାଯାଏ ଦୃଢ଼ ଇଚ୍ଛାଶକ୍ତି ଓ ନିଷ୍ଠା ଆଗରେ ସମସ୍ତ ପ୍ରତିବନ୍ଧକ ହାର୍ ମାନେ। ଏବେ ସେ ଭାରତୀୟ ପ୍ରଶାସନିକ ସେବାର ଜଣେ ବରିଷ୍ଠ ଅଧିକାରୀ ହୋଇପାରିଛନ୍ତି। ଜଣେ ପ୍ରଶାସନିକ ଅଧିକାରୀ ଚାହିଁଲେ ଜନତାଙ୍କ ବହୁବିଧ ଉନ୍ନତି କରିପାରେ ଏହା ତାଙ୍କ କାର୍ଯ୍ୟ ଦକ୍ଷତାରୁ ପ୍ରତିଫଳିତ ହେଉଛି। ଅଭାବୀ ପରିବାରରୁ ଆସିଥିବା ଅଧିକାରୀ ଜଣେ ହିଁ ଚିହ୍ନି ପାରେ ଦାରିଦ୍ର୍ୟର ସଢୁଥିବା ପ୍ରତିଭାକୁ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO