-
ଶାସକ ବିଜେଡି କର୍ମୀମାନେ ଦଳିତ ପରିବାରକୁ ମରଣାନ୍ତକ ଆକ୍ରମଣ କରିବା ପ୍ରସଙ୍ଗ
-
ଦଳିତ ପୀଡିତ ପରିବାରକୁ ନ୍ୟାୟ, ଅପରାଧୀଙ୍କୁ ଗିରଫ କରିବା ଏବଂ ଆଳି ଥାନା ଅଧିକାରୀଙ୍କ ବଦଳି ଦାବିରେ

ଭୁବନେଶ୍ୱର,ଦୁର୍ନୀତି ବିରୁଦ୍ଧରେ ମୁହଁ ଖୋଲିବାରୁ ଶାସକ ଦଳ କର୍ମୀମାନେ ରକ୍ତମୁଖା ସାଜି ଏକ ଦଳିତ ପରିବାରକୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ବିଭିନ୍ନ ସରକାରୀ ଯୋଜନାର ଘୋଟଲା ଏବଂ ସ୍ଥାନୀୟ ଅଂଚଳରେ ଶାସକଦଳର ଭ୍ରଷ୍ଟାଚାର ବିରୁଦ୍ଧରେ ସାମାଜିକ ଗଣମାଧ୍ୟମରେ ମନ୍ତବ୍ୟ ଦେବାରୁ ଶାସକ ବିଜେଡି ସରପଂଚଙ୍କ ଇଙ୍ଗିତରେ ଦଳିତ ପରିବାର ଲୋକଙ୍କୁ ଆକ୍ରମଣ କରାଯାଇଛି । ଗତ ଜୁଲାଇ ୧ ତାରିଖରେ କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ବାଳକାଟି ପଂଚାୟତର ବାଳକାଟି ଗ୍ରାମର ନବକିଶୋର ମଲ୍ଲିକଙ୍କ ଦଳିତ ପରିବାର ଉପରେ, ସେହି ପଂଚାୟତର ଶାସକ ବିଜେଡି ସମର୍ଥିତ ସରପଂଚ ଦିବାକର ନାୟକଙ୍କ ଇଙ୍ଗିତ ଓ ଉପସ୍ଥିତିରେ ତାଙ୍କ ପୁଅ ରଂଜନ ନାୟକ ଏବଂ ତାଙ୍କ ସହଯୋଗୀମାନେ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କଲେ । ଏପରିକି ଚିକିତ୍ସା ହେବାକୁ ମେଡିକାଲ ଯିବା ପାଇଁ ଏବଂ ଥାନାରେ ଏତଲା ନଦେବା ପାଇଁ ପୀଡିତ ପରିବାରକୁ ଛାଡିଲେ ନାହିଁ । ସ୍ଥାନୀୟ ଥାନା ଆଇଆଇସି ସଲୀଳ ପ୍ରଧାନଙ୍କୁ ଫୋନ୍ ଯୋଗେ ସମସ୍ତ ଘଟଣା କହିବା ପରେ ବି ସେ ଘଟଣାସ୍ଥଳକୁ ଆସିଲେ ନାହିଁ କି ପୀଡିତ ପରିବାରକୁ ସୁରକ୍ଷା ଦେଲେ ନାହିଁ । ପୁଲିସ ହୋଇ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ପରିବର୍ତେ ଶାସକ ଦଳ କର୍ମୀଙ୍କୁ ଘଂଟ ଘୋଡାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ଘଟଣା ବୋଲି ବିଜେପି ଅନୁସୂଚୀତ ମୋର୍ଚ୍ଚା ରାଜ୍ୟ ସଭାପତି ବିଭୁ ପ୍ରସାଦ ତରାଇ କହିଛନ୍ତି ।
ଏଭଳି ଏକ ହୃଦୟ ବିଦାରକ ଘଟଣାର ଅନୁଧ୍ୟାନ କରିବା ପାଇଁ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଅନୁସୂଚୀତ ଜାତି ମୋର୍ଚ୍ଚା ସଭାପତି ବିଭୁ ତରାଇଙ୍କ ନେତୃତ୍ୱରେ ସାଧାରଣ ସଂପାଦକ ରାଘବ ମଲ୍ଲିକ, ସଂଯୋଜକ ରବି ବେହେରା ଓ ଶିବ ମଲ୍ଲିକ, ସ୍ଥାନୀୟ ଜିଲ୍ଲା ସଭାପତି କିଶୋର ପଣ୍ଡା, ଉପସଭାପତି କୃଷ୍ଣଚନ୍ଦ୍ର ପଣ୍ଡା ଓ ମୋର୍ଚ୍ଚା ସଭାପତି ସୁଦାମ ମଲ୍ଲିକ ପ୍ରମୁଖ ଘଟଣାସ୍ଥଳରେ ପହଂଚି ଘଟଣାର ସରଜମିନ ତଦନ୍ତ କରିବା ସହ କେନ୍ଦ୍ରାପଡାର ଅତିରିକ୍ତ ଏସପିଙ୍କ ସହ ଆଲୋଚନା କରିଥିଲେ । ଏହି ଘଟଣାରେ ସ୍ଥାନୀୟ ପୁଲିସର ନିଷ୍କ୍ରିୟତା, ପୀଡିତ ପରିବାରର ସୁରକ୍ଷା ଓ ଆସାମୀଙ୍କୁ ଗିରଫ କରିବା ପାଇଁ ପ୍ରତିନିଧୀ ଦଳ ଦାବି କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ପୁଲିସ ଅପରାଧୀଙ୍କୁ ଗିରଫ କରିପାରିଲା ନାହିଁ । ଘଟଣାକୁ ୧୩ ଦିନ ବିତିଲା ପରେ ବି ଶାସକ ଦଳ ବିଧାୟକ ପ୍ରତାପ ଦେବଙ୍କ ଛତ୍ରଛାୟା ତଳେ ଆସାମୀମାନେ ସୁରକ୍ଷିତ ରହି ପୀଡିତ ପରିବାର ଉପରେ ସାନି ଆକ୍ରମଣ କରିବାର ଧମକ ଦେଉଛନ୍ତି ବୋଲି ଶ୍ରୀ ତରାଇ ଅଭିଯୋଗ କରିଛନ୍ତି ।
ଦଳିତ ପୀଡିତ ପରିବାର ଲୋକଙ୍କୁ ନ୍ୟାୟ ଏବଂ ଏହି ମରଣାନ୍ତକ ଆକ୍ରମଣ ଘଟଣାରେ ସଂପୃକ୍ତ ଅପରାଧୀଙ୍କୁ ଗିରଫ ଓ ଆଳି ଥାନା ଆଇଆଇସିଙ୍କ ବଦଳି ଦାବିରେ କେନ୍ଦ୍ରାପଡା ଏସପି ଅଫିସ ଘେରାଓ କରିବ ବିଜେପି । ୩ ଦିନରେ ଦାବି ପୂରଣ ନହେଲେ ଏହି ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଶ୍ରୀ ତରାଇ ଚେତାବନୀ ଦେଇଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ଅନୁସୂଚିତ ଜାତି ମୋର୍ଚ୍ଚା ପ୍ରଭାରୀ ଦିଲୀପ ମଲ୍ଲିକ, ଅନୁସୂଚିତ ଜାତି ମୋର୍ଚ୍ଚା ସାଧାରଣ ସଂପାଦକ ରାଘବ ମଲ୍ଲିକ ଓ ସଂଯୋଜକ ରବି ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO