ଭୁବନେଶ୍ୱର, ଦିଗପହଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦିଗପହଣ୍ଡି ଏବଂ କୁକୁଡାଖଣ୍ଡି ବ୍ଲକରେ ୨୦ଟି ପଂଚାୟତ ଜନସାଧାରଣଙ୍କ ପାନୀୟ ଜଳ ସମସ୍ୟାର ଆଶୁ ସମାଧାନ ଏବଂ ତ୍ୱରିତ ପଦକ୍ଷେପ ନିମନ୍ତେ ବାଚସ୍ପତି ଡଃ ସୂର୍ଯ୍ୟ ନାରାୟଣ ପାତ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି । ବାଚସ୍ପତିଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ଉକ୍ତ ବୈଠକରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପଗୁଡିକର ତୁରନ୍ତ କାର୍ଯ୍ୟ ସମାପ୍ତ କରି ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ବାଚସ୍ପତି ଡଃ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ପାନୀୟ ଜଳ ଜନସାଧାରଙ୍କ ମୌଳିକ ଆବଶ୍ୟକତା ଥିବା ଦୃଷ୍ଟିରୁ ଉକ୍ତ ପ୍ରକଳ୍ପଗୁଡିକର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ତ୍ୱରାନ୍ୱିତ କରିବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।
ଉକ୍ତ ବୈଠକରେ ଗ୍ରାମାଂଚଳ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ସର୍ବୋଚ୍ଚ ଯନ୍ତ୍ରୀ, ମୁଖ୍ୟ ଯନ୍ତ୍ରୀ, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, ବ୍ରହ୍ମପୁର, ଅଧିକ୍ଷଣ ଯନ୍ତ୍ରୀ, ବ୍ରହ୍ମପୁର ଏବଂ ନିର୍ବାହୀ ଯନ୍ତ୍ରୀ, ବ୍ରହ୍ମପୁର ପ୍ରମୁଖ ଯୋଗଦେଇଥିଲେ । ବାଚସ୍ପତିଙ୍କ ପରାମର୍ଶ କ୍ରମେ ପାନୀୟ ଜଳ ଯୋଗାଣର ତ୍ୱରିତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନେ ଉଚିତ ପଦକ୍ଷେପ ଗ୍ରହଣ କରାଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ ।