-
୧୩ ବର୍ଷର ଝିଅ ଉପରେ ପରିବାରର ଦାୟିତ୍ୱ, ସରକାରୀ ସହାୟତା ଅପେକ୍ଷାରେ ପରିବାର
ନୂଆପଡା, ଦୁର୍ଘଟଣାରେ ମାଁ ଚାଳିଗଲା । ପାଦ କଟି ସବୁଦିନ ପାଇଁ ଅକ୍ଷମ ହୋଇଗଲା ବାପା । ୩ ଭାଇ ଭଉଣୀକୁ ସାହା ହେବା ପାଇଁ କେହି ନାହିଁ, କି ଆହା ହେବା ପାଇଁ କେହି ନାହିଁ । ଝିଅ କାଜଳ (୧୩) ଉପରେ ଭିନ୍ନକ୍ଷମ ବାପା ଓ ଦୁଇ ଭାଇଭଉଣୀଙ୍କ ଗୁରୁଦାୟିତ୍ୱ । ଯେଉଁ ବୟସ ଖେଳିବା ବୁଲିବାର ବୟସ, ଯେଉଁ ବୟସରେ ବହିପତ୍ର ଧରି ବିଦ୍ୟାଳୟ ଯିବାର ବୟସ, ସେହି ବୟସରେ ପରିବାରର ଦାୟିତ୍ୱ ନେବାକୁ ପଡୁଛି କାଜଳକୁ । ଗତ ଜାନୁୟାରୀ ମାସ ୯ ତାରିଖ ଖଡିଆଳ ବ୍ଲକ ଅନ୍ତର୍ଗତ ଗଡ୍ରାମୁଣ୍ଡା ଗ୍ରାମର ନମିତା ହଂସ ରାତ୍ରୀ ଭୋଜନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପାଖରେ ବସିଥିଲେ ସ୍ୱାମୀ ନରେଶ ହଂସ । ଦୁହେଁ ସୁଖ ଦୁଃଖ ହେଉଥିବା ବେଳେ ହଠାତ ଦୁଃଖର ବ୍ରଜପାତ ପଡିଲା । ଭାରସାମ୍ୟ ହରାଇ ବୋଲୋରୋ ଗାଡି ମାଡଗଲା ଘର ଭିତରକୁ । କେହି କିଛି ବୁଝିବା ପୂର୍ବରୁ ଚାଳିଗଲା ନମିତାଙ୍କ ଜୀବନ । ଗୁରୁତର ଅବସ୍ଥାରେ ନରେଶଙ୍କୁ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲା ଓ ତାଙ୍କର ପାଦ କାଟିବାକୁ ପଡିଲା । ସମସ୍ତେ ଆସିଲେ କିନ୍ତୁ କେହି ସହଯୋଗ କଲେନି । ନିଜ ସଞ୍ôଚତ ୫୦ ହଜାର ଟଙ୍କା ଚିକିତ୍ସାରେ ଖର୍ଚ୍ଚ କଲେ ନରେଶ । ଏବେ ଦୟନୀୟ ଅବସ୍ଥାରେ ଜୀବନ ଜିଇଁବାକୁ ପଡୁଛି । ଏକ ହୁଇଲ ଚେୟାରରେ ବସି ଭଙ୍ଗାଦଦରା ଗୁହାଳରେ ବସି ନିରବରେ ଅଶ୍ରୃପାତ କରିବା ସାର ହେଉଛି । ୩ ପୁଅ ଝିଅଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ନରେଶ । ପରିବାରର ଏହି ଦୁର୍ଦ୍ଦିନରେ କିନ୍ତୁ ହାର ମାନୁନାହାନ୍ତି ବଡଝିଅ କାଜଳ । ଭିନ୍ନକ୍ଷମ ବାପାଙ୍କ ସେବା ଶୁଶ୍ରୃଷା ସହ ଦୁଇ ଭାଇ ସୁପେଶ (୧୦) ବର୍ଷ ଓ ଲଲିତ ମୋହନ (୬) ବର୍ଷଙ୍କ ସବୁ ଦାୟିତ୍ୱ ନିଜ ମୁଣ୍ଡ ଉପରକୁ ନେଇଛି ସେ । ଘରର ଯାବତୀୟ କାର୍ଯ୍ୟ ସମ୍ପାଦନ ସହ ଭାଇ ମାନଙ୍କୁ ପଢିବାରେ ମଧ୍ୟ ସହଯୋଗ କରୁଛି । ଏହି ପରିବାରକୁ କିନ୍ତୁ ପ୍ରଶାସନ କୌଣସି ସହଯୋଗ କରୁନି । ଭତ୍ତା ଖଣ୍ଡେ ମିଲିପାରିନି କି ଘର ଖଣ୍ଡେ ମିଳି ପାରିନି । ପ୍ରଶାସନ ଏ ନେଇ ତୁରନ୍ତ ବିଚାର କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନରେଶ ହଂସ ଅନୁରୋଧ କରିଛନ୍ତି ।