-
ଜିଲ୍ଲାରୁ ନୂଆ ୧୪୧ କରୋନା ପଜିଟିଭ ଚିହ୍ନଟ
ସଂକ୍ରମିତଙ୍କ ସଂଖ୍ୟା ୩୭,୧୨୧କୁ ବୃଦ୍ଧି
ବାରିପଦା, ଗତ ୨୪ ଘଂଟା ମଧ୍ୟରେ ଓଡ଼ିଶାରୁ ଚିହ୍ନଟ ହୋଇଥିବା ୨,୨୮୨ କରୋନା ସଂକ୍ରମିତମାନଙ୍କ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ୧୪୧ ପଜିଟିଭ ରହିଛନ୍ତି ଏବଂ ଜିଲ୍ଲାରେ ସଂକ୍ରମିତମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୩୭,୧୨୧ରେ ପହଁଚିଛି । ସେହିପରି ଜିଲ୍ଲାରେ ଚିକିତ୍ସାଧୀନ କରୋନା ସଂକ୍ରମିତମାନଙ୍କ ମଧ୍ୟରେ ମୃତ୍ୟୁ ସଂଖ୍ୟା ଥମିବାର ନାମ ଧରୁ ନାହିଁ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ଜାରି କରାଯାଇଥିବା ରିପୋର୍ଟ ଆଧାରରେ ମୟୂରଭଞ୍ଜ ଜିଲ୍ଲାରୁ ଚିକିତ୍ସାଧୀନ କୋଭିଡ଼-୧୯ ସଂକ୍ରମିତମାନଙ୍କ ମଧ୍ୟରୁ ୩ ପୁରୁଷ ଓ ୨ ମହିଳାଙ୍କୁ ମିଶାଇ ୫ ଜଣ ପ୍ରାଣ ହରାଇଥିବାର ଜଣାପଡ଼ିଛି । ଆଜକୁ ମିଶାଇ ଚଳିତ ଜୁଲାଇ ମାସର ୧୧ ଦିନ ମଧ୍ୟରେ ୨୭ ଜଣଙ୍କର ମୃତ୍ୟୁ ହୋଇଥିବାର ସରକାରୀ ସୂତ୍ରରୁ ସୂଚନା ମିଳିଛି । ଏଥି ସହିତ ଜୁଲାଇ ୧୦ ପର୍ଯ୍ୟନ୍ତ ଜିଲ୍ଲାରୁ ୯୬.୩୯ ପ୍ରତିଶତ ହାରରେ ୩୫,୬୪୫ ଜଣ ସୁସ୍ଥ ହୋଇ ଫେରିଥିବା ସମୟରେ ଜୁଲାଇ ୧୧ ଅପରାହ୍ନ ସୁଦ୍ଧା ୩.୫୫ ପ୍ରତିଶତ ହାରରେ ୧,୩୧୮ ଜଣ ସକ୍ରିୟ ଥାଇ ବାଙ୍କିଶୋଳ କୋଭିଡ଼ ହସପିଟାଲ, ପିଆରଏମ ମେଡ଼ିକାଲ ସ୍ଥିତ ସ୍ୱତନ୍ତ୍ର ୱାର୍ଡ଼, କୋଭିଡ଼ କେୟାର ସେଂଟର ଓ କଟକ-ଭୁବନେଶ୍ୱର ଆଦିରେ ଚିକିତ୍ସା ହେଉଥିବା ସମୟରେ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୦.୪୨ ପ୍ରତିଶତ ହାରରେ ୧୫୫ରେ ପହଁଚିଛି । ଅନ୍ୟ କାରଣରୁ ୩ ଜଣଙ୍କର ମୃତ୍ୟୁ ହୋଇଛି ।ସେହିପରି କେବଳ ଜୁଲାଇ ମାସର ୧୧ ଦିନରେ ଜିଲ୍ଲାରୁ ୧,୫୯୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୦ ଦିନରେ ୧,୭୨୪ ଜଣ ସୁସ୍ଥ ହୋଇ ଫେରିଥିବାର ଜଣାପଡ଼ିଛି ।